Unknown

 

 

 

 

 

 

 

 

 

 

 

ଆମ ସମାଜ

ବଳରାମ ମିଶ୍ର

 

 

 

 

 

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ ଦ୍ୱାରା ବହୁ ରଜନୀ ଅଭିନୀତ

 

ଆମ ସମାଜ

(ସାମାଜିକ ନାଟକ)

 

ନାଟ୍ୟକାର

ପ୍ରକାଶକ

ଶ୍ରୀ ବଳରାମ ମିଶ୍ର

ଶ୍ରୀ ଶରତ ଚନ୍ଦ୍ର ପତି

 

ଉତ୍ସର୍ଗ

 

ମୋର ପରମାରାଧ୍ୟ ପିତୃଦେବଙ୍କ ଶ୍ରୀଚରଣରେ

ଭକ୍ତିର ନୈବେଦ୍ୟ ସ୍ୱରୂପ

ଏହି ପୁସ୍ତିକାଟିକୁ

ଅର୍ପଣ କଲି ।

 

। ଇତି ।

ଅଧମ ସନ୍ତାନ

ବଳରାମ

 

ଆମ ସମାଜ

 

–ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍, କଟକଙ୍କ ଦ୍ୱାରା ଅଭିନୀତ–

 

ସଂଗଠନକାରୀଗଣ

 

ସ୍ୱତ୍ୱାଧିକାରୀ

ଶ୍ରୀ ଲିଙ୍ଗରାଜ ନନ୍ଦ

ମ୍ୟାନେଜର

ଶ୍ରୀ ରାଜକିଶୋର ମହାନ୍ତି

ନିର୍ଦ୍ଦେଶକ

ଶ୍ରୀ ପ୍ରିୟନାଥ ମିଶ୍ର (ପିର)

ସଙ୍ଗୀତ ଓ ସ୍ୱର

କିଶୋର କବି ଶ୍ରୀ ଶ୍ୟାମସୁନ୍ଦର ଦାସ

ନୃତ୍ୟ ପରିଚାଳନା

ଶ୍ରୀ କେଳୁଚରଣ ମହାପାତ୍ର

ସହକାରୀ

ଶ୍ରୀ ରଘୁନାଥ ଦତ୍ତ,

 

 

ଚୌଧୁରୀ ବଳରାମ ମିଶ୍ର

ମଞ୍ଚ ପରିଚାଳନା

ସରକାର ବ୍ରଦର୍ସ, କଟକ

ମଞ୍ଚ ପ୍ରସ୍ତୁତି

ଶ୍ରୀ ଶ୍ରୀବତ୍ସ ମହାରଣା

ମଞ୍ଚସଜ୍ଜା

ଗୋବିନ୍ଦ, ଧଡ଼ିଆ ଓ ମଦନ

ପରିଚ୍ଛଦ

ଦେବେନ୍ଦ୍ର

ଆଲୋକ

ପଦ୍ମଚରଣ, କୈଳାସ

ସ୍ମାରକ

ନିରୋଦ, ନୟନ

ଯନ୍ତ୍ରୀସଂଘ

ହରି, ରବି, ସୁକୁମାର, ନାଥ ଓ ମଧୁ

 

 

 

ଶିଳ୍ପୀବୃନ୍ଦ

-ପୁରୁଷ-

ଧୀର

ବାବି, ପରେ ବାବାଜି

ହମିଦ୍

ପିର, ରବିନାରାୟଣ ଚୌଧୁରୀ

ରହିମ

କେଶବ, ପିର

ଅନାଦି

ମାଧବ

ପରଶୁ

ମଧୁ, କୈଳାସ

ଚଇତା

ଜୟୀ, ପରେ ନୀରୋଦ

ରାମ ସିଂ

ନାଥ, ପରେ ଶାନ୍ତନୁ

ମୁଦୁଲି

ହରି, ପରେ ନୀଳନ୍ନା

-ସ୍ତ୍ରୀ-

କ୍ଷମା

କମଳା

କାନ୍ତା

ଲକ୍ଷ୍ମୀ, ପରେ ରୁକ୍‍ମିଣୀ

ହାସିନା

ବାସନ୍ତୀ, ରୋଜି-କୃଷ୍ଣା, ଧୀରବୋଉ-ମେନା, ରମାବୋଉ–ଆହ୍ଳାଦିନୀ, ମାତା-ଟୁକୁ ।

ନୃତ୍ୟାଂଶେ

 

 

ମିନତୀ, ଚୌଧୁରୀ, ଦିଗମ୍ବର, ନୀଳନ୍ନା

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

[ପରଦା ଉଠିଲା ପରେ ଦେଖାଗଲା–ଥାନା ଅଫିସର ହମିଦଙ୍କ ଘର । ଘରର ସାଜସଜ୍ଜା ଉଚ୍ଚକୋଟୀର ନ ହେଲେ ବି ଆଧୁନିକ ରୁଚିର । ଘରର କାନ୍ଥରେ ଟଙ୍ଗା ହୋଇଛି ବୁଦ୍ଧ, ଯୀଶୁ, ଗାନ୍ଧି ଓ ମକ୍କା-ମଦିନା ଚିତ୍ରପଟ । ଗୋଟିଏ ଝରକା ପାଖରେ ଠିଆହୋଇ କ୍ଷମା ବେଦନା ଆତୁର ଅଶ୍ରୁଳ ଚାହାଣି ନିକ୍ଷେପ କରୁଥିଲା–ରାଜରାସ୍ତା ଉପରେ ଚାଲିଯାଉଥିବା ଗୋଟିଏ ବାହାଘରର ପଟୁଆର ଉପରେ । ଏତିକିବେଳେ ଘର ଭିତରୁ ଆସିଲେ ହମିଦଙ୍କ ସ୍ତ୍ରୀ ହାସିନା ବେଗମ୍]

 

ହାସିନା— କ୍ଷମା !

 

କ୍ଷମା— (ଅନ୍ୟମନସ୍କା ଥିବାରୁ କିଛି ଉତ୍ତର ଦେଇପାରିଲେନି)

 

ହାସିନା— (ସତେ ଯେମିତି ମନକଥା ବୁଝିପାରିଲେ) ଓ, ବାହାଘରର ଶଙ୍ଖ ମହୁରିରେ ମନପ୍ରାଣ ମଜ୍ଜିଯାଇଚି ପରା ! ହେଲେ, ଜୀବନରେ ସେ ଶୁଭବେଳା ଦୁଇଥର ଆସେ ନାହିଁ ।

 

କ୍ଷମା— (ପ୍ରକୃତିସ୍ଥା ହୋଇ) ଅପା !

 

ହାସିନା— ଇମିତି ବାହାଘର ପଟୁଆର ଦେଖି ପୁଣି ଥରେ ବୋହୂ ସାଜି ବେଦୀ ଉପରେ ବସିବାକୁ ମନହଉଚି କି ? (ହଲାଇଦେଲେ । ଆଖିର ଲୁହ ଦେଖିପାରି) ଏଁ, କ୍ଷମା ! ତୁ କାନ୍ଦୁଛୁ ?

 

କ୍ଷମା— (ଲୁହ ପୋଛି) ନା ତ...

 

ହାସିନା— ନା ତ ! ତୋ ଆଖିରେ ଲୁହ । କ’ଣ ତୋର ହେଇଚି କ୍ଷମା ! ଇମିତି କାନ୍ଦୁଛୁ କାହିଁକି ? କ’ଣ ଧୀରେ କିଛି କହିଲେ ?

 

କ୍ଷମା— ନା ।

 

ହାସିନା— ତେବେ ? ଏଠି କିଛି ଅସୁବିଧା ହଉଚି ?

 

କ୍ଷମା— ନାହିଁ ତ !

 

ହାସିନା— ନାହିଁ ତ ? ଆଉ ତେବେ କାନ୍ଦୁଥିଲୁ କାହିଁକି ?

 

କ୍ଷମା— ସେ କିଛି ନୁହେଁ ଅପା । (ଚାଲି ଯାଉଥିଲେ)

 

ହାସିନା— (ଅଟକାଇ) କ୍ଷମା, ମତେ କହିବୁ ନାହିଁ ?

 

କ୍ଷମା— ଅପା ! (କହିବ କହିବ ହୋଇ କହିପାରିଲାନି)

 

ହାସିନା— କ’ଣ ଘରକଥା ମନେପଡ଼ୁଚି ? (କ୍ଷମା ନୀରବ) ଘରକୁ ଯିବୁ ବୋଲି କହୁଛୁ ତ ? ବେଶ୍, ଧୀରେ ଉଠନ୍ତୁ । ମୁଁ ତାଙ୍କୁ କହି ଗାଁକୁ ପଠେଇବାର ବ୍ୟବସ୍ଥା କରିଦେବି । ଏଇ ସାମାନ୍ୟ କଥା ପାଇଁ ଏମିତି କାନ୍ଦନ୍ତି ? ଛି, ମୋ ସୁନା ଭଉଣୀଟା ପରା ! (ଆଦର କରି ଲୁହ ପୋଛି ଦେଲେ)

 

କ୍ଷମା— ମୋ ପାଇଁ ବୋଉ ଭାରି ବ୍ୟସ୍ତ ହଉଥିବ ଅପା ! ମତେ ଛାଡ଼ି ସେ ଦଣ୍ତେ କୋଉଠି ରହିପାରୁନଥିଲା ।

 

ହାସିନା— ଏମିତି କୋଉ ପର ଲୋକ ସାଙ୍ଗରେ ତୁ ଚାଲିଆସିଛୁ ଯେ, ବୋଉ ବ୍ୟସ୍ତ ହେଉଥିବେ-?

 

କ୍ଷମା— (ଚମକି) ଅପା !

 

ହାସିନା— ତୁ ତ ତୋ ସ୍ୱାମୀ ସାଙ୍ଗରେ ବୁଲିଆସିଛୁ । ଏଥିରେ ଏତେ ବ୍ୟସ୍ତ ହେବାର କ’ଣ ଅଛି ? ହଁ ମ, ନୂଆ ନୂଆ ମନଟା ସେମିତି ହୁଏ । ମୁଁ ବି ଦିନେ ତୋରି ପରି ହଉଥିଲି । ପ୍ରତି ଚାରିଦିନରେ ଥରେ ମା’ ପାଖକୁ ନ ଗଲେ ରହିପାରୁନଥିଲି । ହେଲେ, ଆଜିକାଲି ସେ ସବୁ ଏମିତି ଦେହସୁହା ହୋଇଗଲାଣି ଯେ, ନିଜ ଘର ଛଡ଼ା ଅନ୍ୟ କଥା ଭାବିବାକୁ ବେଳ କାହିଁ ? ହଉ, ତୁ ଦୁଃଖ କରନା । ମୁଁ ଧୀରଙ୍କୁ କହି ତତେ ଘରକୁ ପଠାଇଦେବି । ସେ ଉଠିଲେଣି ତ ?

 

କ୍ଷମା— ସେ ନାହାନ୍ତି ।

 

ହାସିନା— ନାହାନ୍ତି ! ଗଲେ କୁଆଡ଼େ ?

 

କ୍ଷମା— କେଜାଣି ?

 

ହାସିନା— ତତେ କିଛି କହିନାହାନ୍ତି ?

 

କ୍ଷମା— ନା-

 

ହାସିନା— ଓ, ସେଇଥିପାଇଁ ଏତେ ଅଭିମାନ କରି କାନ୍ଦୁଛୁ ?

 

କ୍ଷମା— (ଅଭିମାନରେ) ନା, ଅପା ! ମୁଁ କାହିଁକି କାହା ଉପରେ ଅଭିମାନ କରିବି ?

 

ହାସିନା— ଛି, କ୍ଷମା ! ଏମିତି ଟିକିଏ ଟିକିଏ କଥାରେ ଏତେ ଅଭିମାନ କରନ୍ତି ?

 

କ୍ଷମା—       ସେ ମୋର ଅଭିମାନ ନୁହେଁ ଅପା !

 

ହାସିନା— ଆଉ କ’ଣ ଅଭିଯୋଗ ?

 

କ୍ଷମା— ନା ଅପା, ତୁମେ ବୁଝିପାରିବ ନାହିଁ । ମୁଁ ଯେ କେତେ ଦୁଃଖୀ...... (କହିପାରିଲାନି । ....ଦ୍ରୁତପଦରେ ଚାଲିଗଲା ଭିତରକୁ)

 

ହାସିନା— କ୍ଷମା ! ମତେ କହି ଯା, କ’ଣ ତୋର ହେଇଚି ? କ୍ଷମା....କ୍ଷମା...... (ହମିଦ ଆସିଲେ)

 

ହମିଦ—       ହାସିନା......

 

ହାସିନା— (ଫେରିପଡ଼ି) କ’ଣ ଡିଉଟି (Duty) ସରିଲା ?

 

ହମିଦ— ମୋ ଡିଉଟିର କ’ଣ ଶେଷ ଅଛି ? ୟେ ତ ଆଉ ଫାଇଲ ଚାଷ ଚାକିରି ହେଇନି, ପୁଲିସ ଚାକିରି । ଦିନରେ ୨୪ ଘଣ୍ଟା ନ ହୋଇ ୪୮ ଘଣ୍ଟା ହେଲେବି ଆମ ରୁଟିନରେ ରିସେସ hour zero ।

 

ହାସିନା— ତେବେ ଆସୁଥିଲ କାହିଁକି ?

 

ହମିଦ— କିହୋ, ଆଜି ତମର କ’ଣ ହେଇଚି କି ? ଏମିତି ଚିଡ଼ିଚିଡ଼ି କାହିଁକି ହଉଚ ?

 

ହାସିନା— ହେବନି ? ତୁମେ ତ କୌଣସି କଥାରେ ଧରାଛୁଆଁ ଦଉନ । ତୁମ ଡିଉଟି ଭଲ ତ ତୁମେ ଭଲ । ହବ କିମିତି ଯେ ? ସେମାନେ ଏ ଘରକୁ ଆସିବାର ଚାରିଦିନ ହେଇଗଲାଣି । ଦିନେହେଲେ ସେମାନେ ହସଖୁସିରେ କଥାବାର୍ତ୍ତା କରିବା ତୁମେ ଦେଖିଚ ? କ୍ଷମା ସବୁବେଳେ କାନ୍ଦୁଚି ।

 

ହମିଦ— ଏତେ କାନ୍ଦୁଚି କାହିଁକି ?

 

ହାସିନା— ମୁଁ ଜାଣିବି କିମିତି ? ଏଇ ଟିକିଏ ଆଗରୁ ଏଇଠି ଠିଆହେଇ କାନ୍ଦୁଥିଲା । ପଚାରିବାରୁ କହିଲା-ସେ କୁଆଡ଼େ ଭାରି ଦୁଃଖୀ ।

 

ହମିଦ— ଦୁଃଖୀ ! କାହିଁକି ?

 

ହାସିନା— ସେ ସବୁ ସିନା ତୁମେ ନିଜେ ପଚାରି ବୁଝିଲେ ହୁଅନ୍ତା ! ତୁମେ ତ କିଛି ବୁଝିବ ନାହିଁ ।

 

ହମିଦ— ମୁଁ ଆଉ ବୁଝନ୍ତି କେତେବେଳେ ? ସେଦିନ ରାତିଅଧରେ ଆସି ଠିଆ ଠିଆରେ କ୍ଷମାକୁ ଏଠି ଛାଡ଼ିଦେଇ ରାୟଗଡ଼ା ଚାଲିଗଲା ଯେ, କାଲି ରାତିରେ ଫେରିଲା । ତା’ ସାଙ୍ଗରେ ତ ମୋର ମୁଲାକାତ ନାହିଁ । ଆଚ୍ଛା, ତୁମେ ଧୀରକୁ ଡାକ ତ ।

 

ହାସିନା— ସେ କ’ଣ ଅଛନ୍ତି ?

 

ହମିଦ— ନାହିଁ ! କୁଆଡ଼େ ଗଲା ?

 

ହାସିନା— ସେ କ’ଣ କାହାକୁ କିଛି କହୁଛନ୍ତି ! ଯାଇଥିବେ ଚାକିରି ଖୋଜି ।

 

ହମିଦ— ତାହେଲେ କ’ଣ ସେ ଚାକିରି କରିବ ?

 

ହାସିନା— ହେଇଥିବ । ତା’ ନହେଲେ ରାୟଗଡ଼ା ଯାଇଥାନ୍ତେ କାହିଁକି ?

 

ହମିଦ— ସେ ଚାକିରି କଲେ ତେଣେ ଘରକଥା ବୁଝିବ କିଏ ?

 

ହାସିନା— ଆଚ୍ଛା ଲୋକ ତୁମେ ! ମତେ କାହିଁକି ସେଗୁଡ଼ା ପଚାରୁଚ ?

 

ହମିଦ— ତା’ ଚାଲିଚଳନ ଏଥର ମତେ କାହିଁକି ଭଲ ଦେଖାଯାଉନି ।

 

ହାସିନା— ଆହା-ହା..... ପୁଲିସବାଲା ତ, ନ ବୁଝି ନ ଶୁଣି ସାଙ୍ଗେସାଙ୍ଗେ ଦୋଷ ଦେଇଦେଲେ ।

 

ହମିଦ— ଦୋଷ ଦେବିନି ? ପୁଆଣିଟା ସରିବା ସାଙ୍ଗେସାଙ୍ଗେ ଏମିତି ଘରଛାଡ଼ି ଚାଲି ଆସିବାଟା ତା’ର କ’ଣ ଉଚିତ ହେଲା ? ବ୍ରାହ୍ମଣ ଘରର ବୋହୂ, ବର୍ଷକ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରନ୍ତା ନାହିଁ । ଅଥଚ...

 

ହାସିନା— ସାବତ ଶାଶୁ କିଛି ସୁବିଚାର କରିଥିବେ । ତା’ ନହେଲେ ଘରଛାଡ଼ି ଚାକିରି ପାଇଁ ବୁଲନ୍ତେ କାହିଁକି ?

 

ହମିଦ— ମୋର ମଧ୍ୟ ସେହି ଆଶଙ୍କା । କିଛି ବିଭ୍ରାଟ ହେଇଚି ନିଶ୍ଚୟ ।

 

ହାସିନା— ତୁମେ ଆଜି ସବୁକଥା ପଚାରି ବୁଝିବଟି ?

 

ହମିଦ— ହଁ, ମୁଁ ବର୍ତ୍ତମାନ ବୁଝୁଛି ! ତୁମେ କ୍ଷମାକୁ ଏଠିକି ଡାକିଦିଅ ତ ।

 

ହାସିନା— ସେ କ’ଣ ତୁମ ସାମନାକୁ ଆସିବ ?

 

ହମିଦ— ହଁ ମ, ଆସିବନି କାହିଁକି ? ଡାକିଦିଅନା- ଆଜି ସବୁ କଥା ମୁଁ ଜାଣିବାକୁ ଚାହେଁ ।

 

ହସିନା— ହଉ, ତୁମେ ବସ, ମୁଁ ଡାକିଦଉଚି । (ପ୍ରସ୍ଥାନ । ହମିଦ ଟିକିଏ ଚିନ୍ତିତ ମନରେ ପଦଚାରଣା କରୁଥିଲେ । ଅନ୍ତରାଳରୁ ଡାକିଲେ–ରାମ ସିଂ)

 

ରାମ ସିଂ— ସାର୍ !

 

ହମିଦ— ଉଁ, କ’ଣ ?

 

ରାମ ସିଂ— ଭୁବନେଶ୍ୱରରୁ ଟଙ୍କା କଳ ଆସିଚି ।

 

ହମିଦ— ଆଚ୍ଛା, ଚାଲ । (ଯାଉଥିଲେ, ହାସିନା ଆସିଲେ)

 

ହାସିନା— ଆରେ ଚାଲିଯାଉଚ ଯେ ? କ’ଣ ବୁଝିବ ପରା ?

 

ହମିଦ— ଟ୍ରଙ୍କ କଲ୍ ଆସିଚି, ଶୁଣୁ ଆସେ । (ପ୍ରସ୍ଥାନ)

 

ହାସିନା— ମୁଁ ଜାଣେ ପରା, କୌଣସି କଥା ବୁଝିବାକୁ ତୁମର ସମୟ ନଥିବ । ଆଜିକୁ ପାଞ୍ଚ ବର୍ଷ ହେଲା ତ ଏଇଆ ଦେଖିଆସୁଚି । କାହିଁକି ଯେ ଘର ସଂସାର କଲ...(ଯାଉଥିଲେ)

 

ଧୀର— (ଆସି) କାହାଉପରେ ଏମିତି ଚିଡ଼ିଚିଡ଼ି ହଉଚ କି ଭାଉଜ ?

 

ହାସିନା— ତୁମରିମାନଙ୍କ ଉପରେ । ସକାଳୁ କୁଆଡ଼େ ଯାଇଥିଲ ?

 

ଧୀର— ଘର ଖୋଜିବାକୁ ।

 

ହାସିନା— କ’ଣ ଭଡ଼ାଘର ? କାହିଁକି ? ଏଠି କ’ଣ କିଛି ଅସୁବିଧା ହେଲା ନା କ’ଣ ?

 

ଧୀର— ଅସୁବିଧା ନୁହେଁ ଯେ, ସବୁଦିନେ ତ ଆମେ ଆଉ ଏଠି ରହିବୁ ନାହିଁ ?

 

ହାସିନା— ତା’ହେଲେ ତୁମ ବନ୍ଧୁ ଠିକ୍ ସନ୍ଦେହ କରିଛନ୍ତି ।

 

ଧୀର— (ଚମକି) ସନ୍ଦେହ ? ହମିଦ ମତେ ସନ୍ଦେହ କରିଚି ! କି ସନ୍ଦେହ ?

 

ହାସିନା— ଏଇ ତୁମର ଘରୁ ଆସିବା କଥା ।

 

ଧୀର— ଓଃ ! କ୍ଷମା କାହିଁ ?

 

ହାସିନା— ସେ ଘରେ କାନ୍ଦୁଚି ।

 

ଧୀର— କାନ୍ଦୁଚି କାହିଁକି ?

 

ହାସିନା— ସେ କଥା ତୁମେ ସ୍ତ୍ରୀ ହୋଇଥିଲେ ବୁଝନ୍ତ ।

 

ଧୀର— ତା’ହେଲେ କ’ଣ କିଛି କହୁଥିଲା ?

 

ହାସିନା— ମୁଁ ହାସିନା, ଧୀର ନୁହେଁ ଯେ, ମୋ ଆଗରେ ସେ ତା’ ମନକଥା ଖୋଲି କହିବ ।

 

ରାମ ସିଂ— (ଡାକି ଡାକି ଆସିଚି) ମା’ –ମା’— ଟିକିଏ ଜଲଦି ଆସ । ରାଇଟର ବାବୁଙ୍କ ସ୍ତ୍ରୀଙ୍କ ଦେହ କ’ଣ ହେଇଯାଉଚି । (ହାସିନା ଯାଉଥିଲେ)

 

ଧୀର— କ’ଣ ହେଇଚି ?

 

ହାସିନା— (ଫେରି) ଡେଲିଭରି ସମୟ । ମାଇପିଟା ଦେହରେ ମୋଟେ ରକ୍ତ ନାହିଁ ।

 

ରାମ ସିଂ— ଟିକିଏ ଶୀଘ୍ର ଆସ ମା’ । (ହାସିନା ଚାଲିଗଲେ । ପଛେ ପଛେ ରାମ ସିଂ ମଧ୍ୟ ଚାଲିଗଲା । ଧୀର ଅତି ବିବ୍ରତ ହୋଇ ପଦଚାରଣା କରୁ କରୁ ବସିପଡ଼ିଲେ । ଏତିକିବେଳେ ଆସିଚି କ୍ଷମା)

 

କ୍ଷମା— ଗାଁକୁ କେବେ ଯିବା ?

 

ଧୀର— ଉଁ...

 

କ୍ଷମା— କ’ଣ ଏତେ ଭାବୁଚ ?

 

ଧୀର— କିଛି ନାହିଁ ।

 

କ୍ଷମା— ଗାଁକୁ କ’ଣ ଯିବା ନାହିଁ ?

 

ଧୀର— ଗାଁକୁ ? ନା-

 

କ୍ଷମା— ନା ?

 

ଧୀର— ହଁ ।

 

କ୍ଷମା— କାହିଁକି ?

 

ଧୀର— ଉଃ, ମୋ ମନର ଅବସ୍ଥା ଭଲ ନାହିଁ କ୍ଷମା । ମତେ ବିରକ୍ତ କରନା–ତୁମେ ଯାଅ ।

 

କ୍ଷମା— ମୋ ଭାଗ୍ୟକୁ ଆଦରି ମୁଁ ପଡ଼ିରହିଥାନ୍ତି, ତୁମେ କାହିଁକି ମୋ ଚଲାବାଟରେ ଆସି ଠିଆହେଲ ? ମତେ ମୋ ନନା ବୋଉଙ୍କ କୋଳରୁ ଛଡ଼ାଇ ଆଣି ଏମିତି ଲୋକହସା କରୁଚ କାହିଁକି ?

 

ଧୀର— କ୍ଷମା !

 

କ୍ଷମା— ଏଇ କ’ଣ ତୁମର କଟକ ଚଣ୍ତୀ ମନ୍ଦିର ? କହିଥିଲ ନା ମନ୍ଦିରରେ ବାହାଘର ସାରି ଘରକୁ ଫେରିଯିବା ପାଇଁ ? ହେଲେ ଆଜିକି ଚାରିଦିନ ହେଇଗଲା, ମତେ ଗୋଟାଏ ପଠାଣ ଘରେ ରଖିଦେଇ...

 

ଧୀର— ଚୁପ୍‍କର କ୍ଷମା । ସେମିତି ପଠାଣ ପଠାଣ ହୁଅନ୍ତି ।

 

କ୍ଷମା— କାହିଁକି ହେବନି ? ୟେ ସବୁ କ’ଣ ତୁମକୁ ସୁନ୍ଦର ଦିଶୁଚି ? ଲୋକେ ଆମକୁ କ’ଣ କହିବେ ? ଏମିତି ଚାରିଦଉଡ଼ି କଟା ହେଲେ ଧର୍ମ ସହିବ ଟି ?

 

ଧୀର— ଓଃ, ବନ୍ଦକର ତୁମେ । ହୁଏତ ସେମାନେ ଶୁଣିବେ ।

 

କ୍ଷମା— ଶୁଣନ୍ତୁ । ମୁଁ କିନ୍ତୁ ଏ ଘରେ ଦଣ୍ତେ ରହିପାରିବିନି । ଆଜି ଗାଁକୁ ଫେରିଯିବାର ବ୍ୟବସ୍ଥା କର । ମତେ ଏଠି ମୋଟେ ଭଲ ଲାଗୁନି ।

 

ଧୀର— ଧର୍ମ ନାଁରେ ଆମ ପିଲାଦିନର ବନ୍ଧୁତ୍ୱକୁ ନଷ୍ଟ କରିଦିଅ ନାହିଁ କ୍ଷମା ! ମଣିଷକୁ ମଣିଷର ସମ୍ମାନ ଦେଇ ଶିଖ ।

 

କ୍ଷମା— ମୁଁ ନିର୍ବୋଧ ନୁହେଁ ।

 

ଧୀର— ତୁମେ ଜାଣନା କ୍ଷମା ! ଆଜିକୁ ପାଞ୍ଚବର୍ଷ ତଳେ ମୁଁ ଗୋଟାଏ ମଟର ଦୁର୍ଘଟଣାରେ ପଡ଼ିଥିଲି । ଏଇ ହମିଦ ନିଜର ରକ୍ତରେ ମତେ ନୂଆ ଜୀବନ ଦେଇଚି । ତୁମେ କୁହତ କ୍ଷମା, ଟୋପାଏ ଦହିରେ ଦୁଧହାଣ୍ତି ଫାଟିଗଲା ପରି ମୁସଲମାନ ରକ୍ତରେ ମୋ ଦେହର ରକ୍ତ ତ ପାଣି ଫାଟିଗଲା ନାହିଁ କାହିଁକି, କହିପାରିବ ?

 

କ୍ଷମା— ଏତେ କଥାର ଜବାବ ମୁଁ ଦେଇପାରିବିନି ।

 

ଧୀର— ମୁଁ ଜାଣେ, ମୋ କଥାର ଜବାବ କେହି ଦେଇପାରିବେ ନାହିଁ ।

 

କ୍ଷମା— ହଉ, ହେଲା । କହିବଟି ଆମେ ଗାଁକୁ କେବେ ଫେରିଯିବା ?

 

ଧୀର— ଆମର ଗାଁକୁ ଫେରିଯିବାର ଉପାୟ ନାହିଁ, କ୍ଷମା ।

 

କ୍ଷମା— କାହିଁକି ?

 

ଧୀର— ଆମ ବିବାହକୁ ବ୍ରାହ୍ମଣ ସମାଜ ସମର୍ଥନ କରିବ ନାହିଁ ।

 

କ୍ଷମା— ସମର୍ଥନ କରିବ ନାହିଁ !

 

ଧୀର— ହଁ ।

 

କ୍ଷମା— କାହିଁକି ? କ’ଣ ଆମର ଅପରାଧ ?

 

ଧୀର— ଅନେକ କିଛି ।

 

କ୍ଷମା— ଅନେକ କିଛି !

 

ଧୀର— ଓଃ, ତୁମେ ସେ ସବୁ ଶୁଣିବାକୁ ଚେଷ୍ଟା କର ନାହିଁ, କ୍ଷମା । ଶୁଣିଲେ କଷ୍ଟ ପାଇବ ।

 

କ୍ଷମା— ତଥାପି ମୁଁ ସବୁ ଜାଣିବାକୁ ଚାହେଁ । କୁହ, ମୁଁ କି ଅପରାଧ କରିଛି ?

 

ଧୀର— ଅପରାଧ ତୁମର ନୁହେଁ କ୍ଷମା, ତୁମ ଭାଗ୍ୟର ।

 

କ୍ଷମା— ଭାଗ୍ୟର ! କ’ଣ ସେ ଅପରାଧ ?

 

ଧୀର— ଶୁଣିବ, ବେଶ୍ ଶୁଣ ତେବେ । ତୁମେ...

 

କ୍ଷମା— କୁହ, ଅଟକିଗଲ କାହିଁକି ?

 

ଧୀର— ତୁମେ ବ୍ରାହ୍ମଣ ଘରର ଝିଅ ନୁହଁ ।

 

କ୍ଷମା— (ଚମକି) ମୁଁ ବ୍ରାହ୍ମଣ ଘରର ଝିଅ ନୁହେଁ !

 

ଧୀର— ହଁ । ତୁମକୁ ରାସ୍ତା କଡରୁ ସାଉଁଟି ଆଣି ଜଗା ମଉସା ଝିଅ କରି ପାଳିଥିଲେ । କେବଳ ସେଇଥିପାଇଁ କନ୍ୟାଦାୟରୁ ମୁକ୍ତ ହେବାକୁ ତୁମ ନନା, ବୋଉ ଗୋଟିଏ ଖନା ସାଙ୍ଗରେ ଛନ୍ଦି ଦେବାକୁ ବସିଥିଲେ ।

 

କ୍ଷମା— ନା-ନା-ମିଛ ।

 

ଧୀର— ମିଛ ନୁହେଁ କ୍ଷମା ! ସବୁ ସତ ।

 

କ୍ଷମା— ତେବେ ସବୁ ଜାଣିଶୁଣି ମତେ ଆଣୁଥିଲ କାହିଁକି ?

 

ଧୀର— ସେ ସବୁ ମୁଁ ଜାଣିନଥିଲି କ୍ଷମା ! ରାୟଗଡ଼ାରୁ ଫେରିଲାବେଳେ ବାଟରେ ନରି ଅଜାଙ୍କଠୁଁ ମୁଁ ସବୁ କଥା ଶୁଣିବାକୁ ପାଇଲି । ଗାଁ ଲୋକେ କୁଆଡ଼େ ଭାରି ତାତି ରହୁଛନ୍ତି । ଆମ ବିବାହକୁ ସମର୍ଥନ କରିବା ତ ଦୂରର କଥା, ଆମକୁ ଗାଁ ମାଟି ମାଡ଼ିବାକୁ ବି ଦେବେ ନାହିଁ ।

 

କ୍ଷମା— ଏଁ, ମୁଁ ତା’ହେଲେ ମୋ ନନା ବୋଉଙ୍କର ଝିଅ ନୁହେଁ ? ମତେ ରାସ୍ତା କଡରୁ ସାଉଁଟି ଆଣିଥିଲେ ? କାହିଁ, ଏ କଥା ତ ମୁଁ କେବେ ଶୁଣିନି ! ନା –ନା–ଏ ସବୁ ମିଛ । ଏ ସବୁ ତୁମରି ଫନ୍ଦି-। ମତେ ଠକିବାର ଚେଷ୍ଟା ।

 

ଧୀର— କ୍ଷମା !

 

କ୍ଷମା— କାହିଁକି, ତୁମର ଯଦି ବାହା ହବାକୁ ଇଚ୍ଛା ନାହିଁ, ମତେ ସଫା ସଫା କହିଦିଅ, ମୋ ବାଟ ମୁଁ ଖୁବ୍ ସହଜରେ ବାଛିନେବି । ଆଉ ତୁମର ଗଳଗ୍ରହ ହୋଇ ରହିବି ନାହିଁ । (ଯାଉଥିଲେ)

 

ଧୀର— କ୍ଷମା ! ଶୁଣ–

 

କ୍ଷମା— ନା-ନା-ମୁଁ ଆଉ କିଛି ଶୁଣିବାକୁ ଚାହେନା । (ପ୍ରସ୍ଥାନ)

 

ଧୀର— କ୍ଷମା- କ୍ଷମା- (ପଛେ ପଛେ ଯାଉଥିଲେ)

 

ହମିଦ— (ପ୍ରବେଶ କରି) ଧୀର...

 

ଧୀର— (ଫେରିପଡ଼ି) ଓ, ହମିଦ୍ !

 

ହମିଦ— ୟେ ସବୁ ତୁ କ’ଣ କରୁଛୁ ?

 

ଧୀର— କ’ଣ ?

 

ହମିଦ— ପୁଣି ପଚାରୁଛୁ କ’ଣ ? କ୍ଷମା ତୋର କିଏ ? କହ...

 

ଧୀର— ଏଁ !

 

ହମିଦ— ତୁ ଏତେ ନୀଚ ହେଇପାରିଲୁ ? ତୋର ସମସ୍ତ ଜ୍ଞାନ, ବୁଦ୍ଧି, ବିବେକକୁ ବଳି ଦେଇ ଶେଷରେ ତୁ ଏଇଆ କଲୁ ? ମୁଁ କଳ୍ପନା କରିପାରୁନି ଧୀର, ତୁ ୟୁନିଭରସିଟିର ସେଇ କୃତୀ ଛାତ୍ର ବୋଲି !

 

ଧୀର— ଓଃ, ହମିଦ ! ତୁ ବନ୍ଦକର । ମତେ ଆଉ ଏମିତି ଅପମାନ ଦେ’ନା...

 

ହମିଦ— ଅପମାନ ମୁଁ ତତେ ଦଉଚି, ନା ତୁ ମତେ ଦଉଚୁ ?

 

ଧୀର— ହମିଦ !

 

ହମିଦ— ବର୍ତ୍ତମାନ ସୁଦ୍ଧା ସମୟ ଅଛି ଧୀର ! ତୁ କ୍ଷମାକୁ ଫେରାଇଦେ ।

 

ଧୀର— ମୋ ଭଲପାଇବାର ଅମର୍ଯ୍ୟାଦା ମୁଁ କରିପାରିବି ନାହିଁ, ହମିଦ !

 

ହମିଦ— ୟା ବୋଲି ତୁ ତୋର ବିବାହିତା ସ୍ତ୍ରୀର ଜୀବନକୁ ନଷ୍ଟ କରିଦବୁ ?

 

ଧୀର— ସେ ବିବାହକୁ ମୁଁ ସ୍ୱୀକାର କରେନା ।

 

ହମିଦ— ଧୀର !

 

ଧୀର— କଣ୍ଢେଇ ଖେଳ ପରି ନିତାନ୍ତ ଛୋଟ ବୟସରେ ଜବରଦସ୍ତି ଯୋଉ ବିବାହ କରାଯାଇଛି, ସେ ବନ୍ଧନକୁ ମାନିନେବା ପାଇଁ ମୁଁ ମୋଟେ ପ୍ରସ୍ତୁତ ନୁହେଁ । ବିବାହ ସେହିମାନଙ୍କର ହୁଏ, ଯୋଉମାନଙ୍କର ହୃଦୟ ସହ ହୃଦୟର ମିଳନ ହୋଇଥାଏ; କିନ୍ତୁ ହାତ ସହ ହାତର ନୁହେଁ ।

 

ହମିଦ— ଚୁପକର ।

 

ଧୀର— ଯାହାକୁ ମୁଁ ଜୀବନରେ ଥରେ ଦେଖିନି, ଜାଣିନି, ତାକୁ ମୁଁ ଗ୍ରହଣ କରିବି କିମିତି ?

 

ହମିଦ— ସେ ଭୁଲ୍ ପାଇଁ କ’ଣ ଦାୟୀ ହବ କାନ୍ତା ?

 

ଧୀର— ତେବେ କ’ଣ ମୁଁ ଦାୟୀ ହେବି ? କାହିଁକି, ଯେଉଁମାନେ ମଣିଷ ଜୀବନକୁ କିଣାବିକା କରିପାରନ୍ତି, ସେହିମାନେ ତା’ର ବିଚାର କରନ୍ତି ।

 

ହମିଦ— ତୁ ଗୋଷ୍ଠୀଛଡ଼ା ହେଇପଡ଼ିଛୁ ଧୀର ! ମନେରଖ ମଣିଷ ପରି ଚଳିବାକୁ ହେଲେ, ତୋର ଦରକାର ଜାତି, ଧର୍ମ, ସମାଜ । ତୁ ମୋ କଥା ରଖ ।

 

ଧୀର— ମୁଁ ତୋ କଥା ରଖିପାରିବି ନାହିଁ, ହମିଦ । ମୋ ଆଖିରେ ମଣିଷ ଜୀବନଟା ଏତେ ଶସ୍ତା ନୁହେଁ । ମୁଁ କ୍ଷମା ପ୍ରତି ଏତେଟା ଅନ୍ୟାୟ କରିପାରିବି ନାହିଁ ।

 

ହମିଦ— ବେଶ୍, ତେବେ କହ-କ’ଣ ୟାର ସମାଧାନ-(ୱାରେଣ୍ଟ ଦେଖାଇ) ତୋ ନାଁ’ରେ warrant ବାହାରିଚି ।

 

ଧୀର— (ଚମକି) warrant !

 

ହମିଦ— ହଁ, ଯୁବତୀ ହରଣଚାଳ ଅଭିଯୋଗରେ ବେଲଗାଁ ଥାନା ୱାରେଣ୍ଟ ଜାରି କରିଚି ।

 

ଧୀର— warrant ଜାରି କରିଚି ? ଠିକ୍ ଅଛି ହମିଦ, ତୁ ମତେ ଆରେଷ୍ଟ କର ।

 

ହମିଦ— (ବିସ୍ମୟରେ) ଧୀର !

 

ଧୀର— ହଁ, ହଁ-ତୁ ମତେ ଆରେଷ୍ଟ କର (ହାତ ଦେଖାଇ) । (ଏତିକିବେଳେ ହାସିନା ଆସିଲେ)

 

ହାସିନା— ହଁ ଭାଉଜ, Police Officerକୁ ତା’ର କର୍ତ୍ତବ୍ୟ କରିବାକୁ ଦିଅ ।

 

ହାସିନା— ମୁଁ ସବୁ ଶୁଣିଚି । ହେଲେ ମୁଁ ଥାଉଥାଉ ଏ ଘରୁ କେହି ଆରେଷ୍ଟ ହେଇ ଯାଇପାରିବେ ନାହିଁ ।

 

ହମିଦ— ତୁମେ ବାଧାଦିଅ ନାହିଁ ! ମତେ ମୋର duty କରିବାକୁ ଦିଅ ।

 

ହାସିନା— duty ? ବନ୍ଧୁ ବନ୍ଧୁକୁ ଆରେଷ୍ଟ କରିବ ? ଏଇ ହଉଚି ତୁମର ଡିଉଟି ? ପୋଲିସ୍ ଅଫିସର...

 

ହମିଦ— ମୁଁ ସବୁ ବୁଝୁଚି ହାସିନା ! ତୁମେ କ’ଣ ଭାବୁଚ ମୁଁ ମନଖୁସିରେ ତାକୁ ଆରେଷ୍ଟ କରୁଚି ? କିନ୍ତୁ କ’ଣ କରିବି ? I am helpless Hashina, I am helpless.

 

ଦ୍ୱିତୀୟ ଦୃଶ୍ୟ

 

ପର୍ଶୁରାମଙ୍କ ଅଳିନ୍ଦ

(କଥାବାର୍ତ୍ତା ହୋଇ ଆସିଲେ ଅନାଦି ଓ ପର୍ଶୁରାମ)

 

ପରଶୁ— ନା, ନା- ତୁ ଆଉ ମତେ ସେ କଥା କହନା ଅନାଦି । ବ୍ରାହ୍ମଣକୁଳରେ ଜନ୍ମ ହେଇ ମୁଁ ଏତେ ବଡ଼ ଅନ୍ୟାୟ କରିପାରିବିନି ।

 

ଅନାଦି— ତେବେ କାନ୍ତାର ଜୀବନଟା କ’ଣ ଏମିତି ନଷ୍ଟ ହେଇଯିବ ?

 

ପରଶୁ— ଯାହା ତା’ ଭାଗ୍ୟରେ ଥିବ । ମୁଁ ଆଉ କ’ଣ କରିବି ?

 

ଅନାଦି— ଭାଗ୍ୟ ? ସେ ଦୁର୍ଭାଗ୍ୟ ତାକୁ ଦେଲା କିଏ ?

 

ପରଶୁ— ତୁ କ’ଣ କହୁଚୁ ଅନାଦି ! ମୁଁ ମୋ ଝିଅର ଅନିଷ୍ଟ କରିବି ? ଦୁନିଆରେ କୋଉ ବାପା ୟା କରିପାରେ ?

 

ଅନାଦି— ତୁମ ପରି ବାପ ସବୁ କରିପାରେ କକେଇ !

 

ପରଶୁ— ଅନାଦି !

 

ଅନାଦି— ନୁହେଁ ? ଘରର ଗୋଟିଏ ବୋଲି ଝିଅ । ତା’ ଦୁଃଖ ଦେଖିଲେ ଶତ୍ରୁର ଛାତି ଫାଟିପଡ଼ୁଚି-। ଅଥଚ ତୁମେ ତା’ର ବାପ ହେଇ ଏଡ଼ିକି ନିଷ୍ଠୁର ହେଇପାରୁଚ ? ମୋ କଥା ମାନ କକେଇ, ଝିଅକୁ ମୁକୁନ୍ଦପୁର ଚୌଧୁରୀ ଘରେ ବାହା କରିଦିଅ । ବେଶ୍ ଥିଲାବାଲା ଘର, କାନ୍ତାର କିଛି ଅସୁବିଧା ହବ ନାଇଁ । ଖୁବ୍ ସୁଖରେ ତା’ ଦିନ କଟିଯିବ ।

 

ପରଶୁ— ଧର୍ମକୁ ସାକ୍ଷୀ ରଖି ଝିଅକୁ ମୁଁ ଟେକିଦେଇଚି । ଏତେ ବଡ଼ ଅଧର୍ମ କରିବି କେମିତି କହିଲୁ-?

 

ଅନାଦି— ଅଧର୍ମ କ’ଣ ? ଆଜିକାଲି ପରା ରାଣ୍ତଗୁଡ଼ାକ ବାହା ହେଇଗଲେଣି । ୟେ ଯେତେ ସବୁ କାଇଦା, କଟକଣା ଆମର ଏଇ ଶାସନ ଗାଁରେ । ହେଲେ, ସହର ବଜାରରେ ଏସବୁ କଥା ଚଳିଗଲାଣି । ଏମିତି କି ପିଲାଛୁଆର ମା’ ବି ସ୍ୱାମୀକୁ ଛାଡ଼ପତ୍ର ଦେଇ ଅନ୍ୟ ସାଙ୍ଗରେ ଘର କରି ରହୁଛନ୍ତି । କାନ୍ତା ତ କାଲିକାର ଛୁଆ.....ଶାଶୁଘର କ’ଣ ସେ ଜାଣିନି । କୋଉ ପିଲାବେଳେ ଜବରଦସ୍ତି ତାକୁ ବାହା କରିଦେଇଥିଲ ବୋଲି ସେ ପରଗୋତ୍ରୀ ହୋଇଗଲା ?

 

ପରଶୁ— ହାତଗଣ୍ଠି ପଡ଼ିଚି ଯେତେବେଳେ ସେ ପରଗୋତ୍ରୀ । ହଁ, ପର ସେ ।

 

ଅନାଦି— କକେଇ, ତୁମେ ଏ କଥା କହିପାରୁଚ ?

 

ପରଶୁ— କ’ଣ ଆଉ କହିବି ? ଝିଅର ସୁଖ ପାଇଁ ମୁଁ କ’ଣ ନ କରିଥିଲି ଅନାଦି ! ମୋର ସବୁ ସମ୍ପତ୍ତି ସେମାନଙ୍କ ନାଁ’ରେ ଉଇଲ କରିଦେବି ବୋଲି ଭାବିଥିଲି । କାନ୍ତା ଛଡ଼ା ମୋର ଆଉ ଅଛି କିଏ ? (କାନ୍ଦିଲେ) ହେଲେ, ଭଗବାନ ମୋ ସୁଖ ଦେଖିପାରିଲେ ନାହିଁ ।

 

ଅନାଦି— ଛି, କକେଇ ! ତୁମେ ଏତେ ଜାଣିବା ଶୁଣିବା ଲୋକ ହେଇ ଏମିତି ଭାଙ୍ଗିପଡ଼ିଲେ ଚଳିବ-?

 

ପରଶୁ— କ’ଣ ଆଉ କରିବି ଅନାଦି ! ଜନ୍ମ ସିନା ଦେଇଚି, କର୍ମ ତ ଦେଇନି !

 

ଅନାଦି— କର୍ମ କ’ଣ ହେ....ତୁମେ ନିଜେ ୟା କରିଚ । ବାଳୁତ ବୟସରେ ତାକୁ ବାହା ଦେଲେ କାହିଁକି ?

 

ପରଶୁ— ନ ଦିଅନ୍ତି କେମିତି ? ବାଳୁତ ବୟସରେ ବାହା ନ ଦେଲେ ପିତୃପୁରୁଷ ପାଣି ପାଇବେ ନାହିଁ...

 

ଅନାଦି— ତା’ ବୋଲି ଆଇନକୁ ତୁମେ ଏଡ଼ିଦବ ?

 

ପରଶୁ— ଆଇନର ଶାସ୍ତି ଅପେକ୍ଷା ଧର୍ମର ଶାସ୍ତି ବଡ଼ ଭୟଙ୍କର ଅନାଦି !

 

ଅନାଦି— କ’ଣ ହେ ଖାଲି ଧର୍ମ ଧର୍ମ ହଉଚ ? ଝିଅର ଜୀବନ ଅପେକ୍ଷା ତୁମ ଧର୍ମଟା ଏତେ ବଡ଼ ହେଲା ?

 

ପରଶୁ— ସେ ବିଚାର କେହି କରିପାରିବେ ନାହିଁ । ନ୍ୟାୟ ହଉ କି ଅନ୍ୟାୟ ହଉ, ସମାଜର ବିଚାର ଆଖିବୁଜି ସହିନବାକୁ ହବ ।

 

ଅନାଦି— ଓ, ଏଇ ତାହେଲେ ତୁମର ସମାଜ ? ଏଇ ତାହେଲେ ତୁମର ଧର୍ମ ? ଯୋଉ ସମାଜରେ ନ୍ୟାୟ ନାହିଁ, ଯୋଉଠି ଅନ୍ୟାୟ ଅତ୍ୟାଚାରରେ ମଣିଷ ପଶୁ ପରି ପେଷି ହୋଇ ମରୁଚି, ସେହି ଅନ୍ଧ ସମାଜ ପାଇଁ ଜନ୍ମଦେଲା ଝିଅର ଜୀବନଟାକୁ ତୁମେ ନଷ୍ଟ କରିଦବ? ଧର୍ମ ନାଁ’ରେ ବାପ ହେଇ ଝିଅର ସର୍ବନାଶ କରିବ ?

 

ପରଶୁ— ଅନାଦି !

 

ଅନାଦି— ତୁମେ ମୋ କଥା ରଖ କକେଇ ! କାଳ ଏଇନେ ଭଲ ନୁହେଁ । ତିନି ତୁଣ୍ତରେ ଛେଳି କୁକୁର । ସେତେବେଳେ ଏ ଦୁଃଖରୁ ସେ ଦୁଃଖ ବଳିପଡ଼ିବ ।

 

ପରଶୁ— ତୁ କ’ଣ କହୁଛୁ ଅନାଦି ?

 

ଅନାଦି— ଆଚ୍ଛା, ତୁମେ ମନେପକେଇଲ କକେଇ, ସେ ସନେଇ ମିଶ୍ରର ବାଡ଼ୁଅ ଝିଅଟା ଶାଶୁଘରକୁ ଯାଇପାରିଲା ନାହିଁ ବୋଲି ଏଇ ଶାସନ ଗାଁରେ, ତା’ ନାଁ’ରେ କେତେ କଥା ନ ଉଠିଲା-? ତୁମେ ନିଜେ ପରା ଗାଁ ଚଉପାଢ଼ି ଉପରେ ବସି ତାର ବିଚାର କରିଥିଲ ?

 

ପରଶୁ— ଓଃ, ବନ୍ଦ କର ଅନାଦି, ବନ୍ଦ କର । ତୁ ଆଉ ମୋ କଟା ଘା’ରେ ଚୂନଛିଟା ଦେ’ନା ।

 

ଅନାଦି— ବେଶ୍, ତୁମ ମନ ଯେବେ ନ ମାନୁଚି, ମୋର କ’ଣ କହିବାର ଅଛି ? ମୁଁ କାନ୍ତାର ଭଲ ପାଇଁ କହୁଥିଲି । ହେଲେ କକେଇ, ତୁମେ ଅଛ ବୋଲି ସିନା ସବୁ କଥା ଭଲରେ ଭଲରେ ଚଳିଯାଉଛି, କାଲି ଯେତେବେଳେ ଆଖି ବୁଜିବ, କାନ୍ତାର ଅବସ୍ଥା କ’ଣ ହବ କେବେ ଭାବିଚ ? ଏ ଗାଁ ଲୋକଙ୍କ କଥା ତ ତୁମେ ଜାଣ । ଝିଅଟାକୁ ଗାଁରେ ରଖେଇ ଦେବେ ନାଇଁ ।

 

ପରଶୁ— ୟେ ତୁ କ’ଣ କହୁଛୁ ଅନାଦି ? ଗାଁରେ ରଖେଇ ଦେବେ ନାଇଁ ?

 

ଅନାଦି— ମୁଁ କ’ଣ କହିବି ହେ ! ତୁମେ କହୁନା...ତୁମ ଅନ୍ତେ କାନ୍ତା ଚଳିବ କେମିତି ? ଶେଷକୁ ସେ ଯେବେ...

 

ପରଶୁ— ଥାଉ ଥାଉ ଅନାଦି ! ତୁମମାନଙ୍କର ଯାହା ଇଚ୍ଛା ହଉଚି କର । ମୁଁ ସେଥିରେ ବାଧା ଦେବି ନାହିଁ । ସମସ୍ତେ ଯଦି ଚାହୁଚନ୍ତି, ମୁଁ ମନାକରିବି କାହିଁକି ?

 

ଅନାଦି— ହାଁ, ଏତେବେଳେ କଥା ପଦେ କହିଲ ଯେ ମନକୁ, ପାଇଲା । ତୁମେ କିଛି ଚିନ୍ତା କର ନାହିଁ କକେଇ, ମୁଁ ସବୁ ଠିକ୍ କରିଦେବି । ତୁମେ ସିନା କକେଇ ମତେ ଖରାପ ଭାବ, ହେଲେ ମୁଁ ସେତେଟା ଖରାପ ନୁହେଁ –

 

ପରଶୁ— ହଉ, ହଉ, ତୁ ଯା-

 

ଅନାଦି— ହଁ, ମୁଁ ତ ବାହାରିଲି । ଏଇ ସାଙ୍ଗେ ସାଙ୍ଗେ ମୁକୁନ୍ଦପୁର ଯାଇ ସବୁ କଥା ପକ୍କା କରିଦେଇ ଆସିବି । (ପ୍ରସ୍ଥାନ)

 

ପରଶୁ— (ମନକୁମନ) ସମସ୍ତେ ଯେତେବେଳେ କହୁଛନ୍ତି, ମୁଁ କାହିଁକି ବାଧା ଦେବି ? ମୋ ଝିଅର ସୁଖ କ’ଣ ମୁଁ ଚାହେନା ? କାନ୍ତାବୋଉ ! ତୁମେ ମଲାବେଳେ କହିଥିଲ ନା–କାନ୍ତାର ଯେମିତି କିଛି ଅସୁବିଧା ନ ହୁଏ ? ମୁଁ ତୁମ କଥା ରଖୁଚି କାନ୍ତାବୋଉ । କାନ୍ତାକୁ ବାହା ଦେବି । ହେଲେ, ମୁଁ ଏ ଗାଁ ଛାଡ଼ି ଚାଲିଯିବି...ହଁ, ହଁ, ଏ ଗାଁ ଛାଡ଼ି ଚାଲିଯିବି । (କାନ୍ତା ଆସିଚି)

 

କାନ୍ତା— ନନା !

 

ପରଶୁ— କିଏ କାନ୍ତା ! ତୁ କାନ୍ଦ ନା ମା’, ତୁ କାନ୍ଦ ନା, ତୋର ସବୁ ବ୍ୟବସ୍ଥା ମୁଁ କରିଦେବି ମା’ ! ତୋର ସବୁ ବ୍ୟବସ୍ଥା ମୁଁ କରିଦେଇ ଯିବି ।

 

କାନ୍ତା— ଏ ସବୁ ତୁମେ କ’ଣ କଲ ନନା ! ମୋର ସ୍ୱାମୀ ଥାଉ ଥାଉ ମତେ ଅନ୍ୟ ହାତରେ ଟେକିଦେବା ପାଇଁ କଥା ଦେଇଦେଲ ?

 

ପରଶୁ— ସମସ୍ତଙ୍କର ସେଇଆ ଇଚ୍ଛା ମା’ !

 

କାନ୍ତା— ନା-ନା, ଏ ବିବାହ ହେଇପାରେନା- ମତେ ନେଇ ମୋ ଶାଶୁଘରେ ଛାଡ଼ିଦେଇ ଆସ । ମୁଁ ଏଠି ଆଉ ଦଣ୍ତେ ରହିବି ନାହିଁ ।

 

ପରଶୁ— ଶାଶୁଘର !

 

କାନ୍ତା— ହଁ...

 

ପରଶୁ— ସେଠି ତୋର କିଏ ଅଛି ମା’ ! କାହା ପାଖକୁ ଯିବୁ ?

 

କାନ୍ତା— କେହି ନ ଥାନ୍ତୁ । ତଥାପି ସେଇ ମାଟି ମୋର ପୁଣ୍ୟତୀର୍ଥ ।

 

ପରଶୁ— ବୁଝୁଚି ମା’, ହେଲେ ଘରେ ଯେ ସାବତ ଶାଶୁ ! ତା’ ପାଖରେ ଚଳିବୁ କେମିତି ? ବରଂ ଗାଁ ଲୋକଙ୍କ କଥା ମାନି...

 

କାନ୍ତା— ନନା ! ତୁମେ ଏ କଥା କହିପାରୁଚ ? ଅଗ୍ନିକୁ ସାକ୍ଷୀ ରଖି ମତେ ଯାହାଙ୍କ ହାତରେ ଟେକିଦେଇଚ, ସେ ଥାଉ ଥାଉ ମୁଁ ଅନ୍ୟର ହାତ ଧରିବି କେମିତି ?

 

ପରଶୁ— କାନ୍ତା !

 

କାନ୍ତା— ହଁ ନନା, ମୁଁ ବ୍ରାହ୍ମଣ ଘରର ବୋହୂ । ମୁଁ ଏତେବଡ଼ ଅନ୍ୟାୟ କରି ମୋ ଶଙ୍ଖା–ସିନ୍ଦୂରକୁ ଉପହାସ କରିପାରିବି ନାହିଁ । ମତେ ନେଇ ମୋ ଶାଶୁଘରେ ଛାଡ଼ିଦେଇ ଆସ ।

 

ପରଶୁ— ତୋର ଏ ଆଦର୍ଶ କେହି ବୁଝିପାରିବେ ନାହିଁ ମା’ ! ସୀତା ବାଲ୍ମୀକି ଆଶ୍ରମରେ କାଳ କାଟିଲା ପରି ତୋ ଦୁଃଖ କେହି ବୁଝିବେ ନାହିଁ ମା’ ! ତୁ ମୋ କଥା ମାନ...

 

କାନ୍ତା— ନନା ! ପିଲାଟିଦିନରୁ ସୀତା–ସାବିତ୍ରୀଙ୍କ କାହାଣୀ ତୁମେ ପରା ମତେ ଶୁଣାଉଥିଲ ? ଆଉ ଆଜି ଏ କଥା ତୁମେ କହିପାରୁଚ କେମିତି ? ମୁଁ ଯଦି ତୁମକୁ ଏତେ ଭାରି ହେଇଚି ତାହେଲେ ମୋ ତଣ୍ଟିଚିପି ମାରିଦିଅ ପଛେ, ମତେ ଅନ୍ୟ ପାଖକୁ ଠେଲିଦିଅନା ।

 

ପରଶୁ— ମା’, ଏ ଶାସନ ଗାଁରେ ଶକୁନିଙ୍କ ଆଖିରେ ତୁ କେବେ ହେଲେ ସୁଖୀ ହେଇ ରହିପାରିବୁ ନାହିଁ, ମା’ !

 

କାନ୍ତା— ହଁ ନନା, ମୁଁ ରହିବି । ଦୁନିଆର ସବୁ ଝଢ଼ଝଞ୍ଜା ମୁଁ ମୁଣ୍ତପାତି ସହିନବାକୁ ପ୍ରସ୍ତୁତ ଅଛି । ହେଲେ, ତୁମେ ମତେ ଅନ୍ୟ ହାତରେ ଟେକିଦିଅ ନାହିଁ । ମୁଁ ତୁମ ଗୋଡ଼ ତଳେ ପଡ଼ୁଚି । (କାନ୍ଦି କାନ୍ଦି)

 

ପରଶୁ— କାନ୍ତା !

 

କାନ୍ତା— ନନା ! (କୋଳରେ ଆଉଜିପଡ଼ି କାନ୍ଦିଲା)

 

ତୃତୀୟ ଦୃଶ୍ୟ

 

ଧୀରର ଭଡ଼ାଘର

 

(ଚିନ୍ତିତ ମନରେ ବସିଥିଲେ ଧୀର । କଥାବାର୍ତ୍ତା ହୋଇ ଲେଡ଼ି ଡାକ୍ତର ମିସ୍ ରୋଜି ଓ ହାସିନାଙ୍କର ପ୍ରବେଶ ।)

 

ଧୀର— କ’ଣ ଦେଖିଲେ ?

 

ରୋଜି— ନା, ଭୟର କିଛି କାରଣ ନାହିଁ । ବାନ୍ତି ହବା, ମୁଣ୍ତ ବୁଲେଇବା ଏ ସବୁ ହଉଚି...

 

ଧୀର— କ’ଣ ?

 

ରୋଜି— (ହସି) ଆପଣ ଖୁବ୍‍ଶୀଘ୍ର ବାପ ହବାକୁ ଯାଉଚନ୍ତି ।

 

ଧୀର— ଏଁ !

 

ହାସିନା— ଏଁ କ’ଣ ? ବାପ ଆଉ ହୁଅନ୍ତ ନାହିଁ କି ?

 

ରୋଜି— କିନ୍ତୁ ତାଙ୍କ ଦେହରେ ମୋଟେ ରକ୍ତ ନାହିଁ । ମୁଁ ଯୋଉ ଔଷଧଗୁଡ଼ିକ ଲେଖିଦେଇଚି, ସେଗୁଡ଼ିକ ଶୀଘ୍ର ଆଣି ଖୁଆଇବା ଦରକାର । ପ୍ରଥମରୁ ସାବଧାନ ନହେଲେ ସେତେବେଳକୁ ଅସୁବିଧା ହୋଇପାରେ ।

 

ଧୀର— ଆଜ୍ଞା ।

 

ରୋଜି— ହଉ, ମୁଁ ତାହେଲେ ଆସେ ।

 

ହାସିନା— ମଝିରେ ମଝିରେ ଟିକେ ଆସି ଦେଖି ଯାଉଥିବେ ରୋଜି ଦେବୀ !

 

ରୋଜି— ହଁ, ହଁ, ନିଶ୍ଚୟ ଆସିବି । ଆପଣଙ୍କ ବନ୍ଧୁ କ’ଣ ମୋର ବନ୍ଧୁ ନୁହନ୍ତି ? ହଉ, ତେବେ ଆସୁଚି । ନମସ୍କାର ।

 

ହାସିନା— ଆଦାବ ।

 

ଧୀର— ଚାଲନ୍ତୁ, ମୁଁ ଆଗେଇଦେଇ ଆସେ ।

 

(ରୋଜିଙ୍କ ପଛେ ପଛେ ଧୀର ଗେଲ)

 

କ୍ଷମା— (ଭିତରୁ ଆସିଛି) ଅପା !

 

ହାସିନା— କି ଲୋ, ମୁହଁ କାହିଁକି ଶୁଖେଇଛୁ ?

 

କ୍ଷମା— ମତେ ଭାରି ଡର ଲାଗୁଚି, ଅପା !

 

ହାସିନା— ଏଥିରେ ଡରିବାର କ’ଣ ଅଛି ? ଡାକ୍ତରାଣୀ ତ ଅଛନ୍ତି, ମଝିରେ ମଝିରେ ଆସି ଦେଖି ଯାଉଥିବେ । ହେଲେ ମୋର ଗୋଟିଏ କଥା......ସୁନ୍ଦରିଆ ପୁଅଟିଏ ଆଣିବୁ–ଝିଅ ଆଣିବୁ ତ ଦେଖିବୁ ।

 

କ୍ଷମା— (ଲାଜରେ) ଯା’ମ ଅପା, ତୁମର ସବୁବେଳେ ଖାଲି... (ଚାଲିଯାଉଥିଲା, ଏତିକିବେଳେ ଆସିଛନ୍ତି ଧୀର)

 

ହାସିନା— ମଲା, ଏତେ ଲାଜ କାହିଁକି ମ ? (ଧୀରକୁ ଦେଖି) କିହୋ, ମାଇପିଙ୍କ ପରି ତମେ ତ କ’ଣ ଲାଜରେ ସଢ଼ିଗଲଣି ! ତମେ ବି କ’ଣ ଡରୁଚ ?

 

ଧୀର— (ହସିଲେ)

 

କ୍ଷମା— (ପ୍ରେସ୍‍କ୍ରିପ୍‍ସନ ଦେଇ) ଡାକ୍ତରାଣୀ ଏଇଟା ଲେଖି ଦେଇଚନ୍ତି ।

 

ହାସିନା— ହଁ, ହଁ, ସେଟା ମତେ ଦେ ।

 

ଧୀର— ତମକୁ କାହିଁକି ଦବ ?

 

ହାସିନା— ଔଷଧ ଆସିବନି ?

 

ଧୀର— ମୁଁ ନେଇଆସିବି ।

 

ହାସିନା— କ’ଣ କୋଉଠୁ ପୋତାମାଲ୍ ପାଇଲକି ?

 

ଧୀର— ଇମିତି କେତେ ଟଙ୍କା ଲାଗିବ ଯେ !

 

ହାସିନା— ଏଇ ତିରିଶ ଚାଳିଶ ଭିତରେ ।

 

ଧୀର— ଏଇ ତ ! ବେଶ୍ ମୁଁ ନେଇଆସିବି । ମୁଁ ପରା ଆଜି ମୋର ଜଣେ ବନ୍ଧୁଙ୍କଠୁଁ ପଚାଶ ଟଙ୍କା ଆଣିଚି ।

 

ହାସିନା— ଏମିତି ବନ୍ଧୁ କିଏ ମ ? ତମକୁ ସବୁବେଳେ ଟଙ୍କା ଗଣିଦଉଚି !

 

ଧୀର— ସତେ ମ ଭାଉଜ, ମୋ ପାଖରେ ଟଙ୍କା ଅଛି ।

 

ହାସିନା— ବେଶ୍, ତାହେଲେ ହେଳା ନ କରି ଆଜି ଔଷଧ କିଣିଆଣ । ଡାକ୍ତରାଣୀ କହୁଥିଲେ, ସେ କୁଆଡ଼େ ଦୁର୍ବଳ ।

 

ଧୀର— ହଁ, ହଁ, ଆଜି କିଣିଆଣିବି ।

 

ହାସିନା— ଆଚ୍ଛା, ମୁଁ ଆସୁଚି ତେବେ ।

 

ଧୀର— ସଲାମ୍ ଆଲେକୁମ୍ ।

 

(ହାସିନା ହସିଦେଇ ଚାଲିଗଲେ । କ୍ଷମା ଟିକିଏ ଆଗେଇ ଫେରିଲେ)

 

କ୍ଷମା— ଶୁଣୁଚ ! ସେ ଯୋଉ ଟଙ୍କା ଆଣିଚ, ଆଗ ତୁମେ ସେ ଘରବାଲାକୁ ଦେଇଦେଲ । ବିଚରା ସକାଳେ ଆସି ଭାରି ବ୍ୟସ୍ତ ହେଇଯାଇଚି ।

 

ଧୀର— ଟଙ୍କା ! ଟଙ୍କା କାହିଁ ?

 

କ୍ଷମା— ଆଣିଚ ପରା କହୁଥିଲ ?

 

ଧୀର— ନାଇଁମ, ମିଛକଥା । ଏମିତି ମୋର ଏଠି କିଏ ଅଛି ଯେ, ମାଗିଦେଲେ ଏକାବେଳକେ ପଚାଶ ଟଙ୍କା ଦେଇଦେବ ? ଭାଉଜକୁ ସେମିତି କହିଦେଲି । ତମେ ବୁଝୁନା, ଆରେଷ୍ଟ ହବା ଦିନଠୁଁ, କେସରୁ ଖଲାସ ହବା ପଯ୍ୟନ୍ତ ଆମ ପିଛା ସେ କେତେ ଟଙ୍କା ଖର୍ଚ୍ଚ କଲେଣି ! ଆଉ ତା’ ଉପରେ...

 

କ୍ଷମା— ଭଲ କରିଚ । ସବୁ କଥା ତାଙ୍କ ଉପରେ ପକେଇଦବା ଠିକ୍ ନୁହେଁ । ତେବେ ଏଇନେ କ’ଣ ହବ ଯେ ? ଘରବାଲା ତ ଆସି ପହଞ୍ଚିବ । ସେ କହୁଥିଲା- ଅଫିମ କିଣିବାକୁ ବି ତା’ ପାଖରେ ପଇସା ନାହିଁ ।

 

ଧୀର— ଘରବାଲା ଆସିଥିଲା ?

 

କ୍ଷମା— ହଁ ଆସିଥିଲା । ଏଇନେ ହୁଏତ ଆସି ପହଞ୍ଚିଯାଇପାରେ । ବିଚରା ବୁଢ଼ା ଭାରି ହଇରାଣ ହଉଚି ।

 

(ଏତିକିବେଳେ ମୁଦୁଲିର ପାଟି ଶୁଭିଛି)

 

ମୁଦୁଲି— ବାବୁ, ଅଛ ? ବାବୁ-

 

କ୍ଷମା— ଏଇ ଆସିଗଲା ! (କହି ଚାଲିଗଲା ଭିତରକୁ)

 

ଧୀର— ଆସ ମଉସା, ଭିତରକୁ ଆସ ।

 

ମୁଦୁଲି— (କହି କହି ଆସିଲେ) ବାବୁ, କାହିଁକି ଏ ବୁଢ଼ାଟାକୁ ଏତେଥର ଦଉଡ଼ଉଚ କହିଲ ?

 

ଧୀର— ଆଉ ଦି’ଟା ଦିନ ଅପେକ୍ଷା କର ମଉସା ! ଭାରି ଅସୁବିଧାରେ ଅଛି ।

 

ମୁଦୁଲି— ମୁଁ ବୁଝୁଚି ବାବୁ, ତମର ଅସୁବିଧା ନ ଥିଲେ ଭଡ଼ା କ’ଣ ଏତେଦିନ ବାକି ରଖିଥାନ୍ତ ? ଚାରିମାସ ହେଲା, କେବେ ତ ମାଗି ଆସିନଥିଲି ! ହେଲେ ବାବୁ, ଏ ଭଡ଼ା ଗଣ୍ତାକ ଛଡ଼ା ମୋର ଆଉ କିଛି ରୋଜଗାର ନାହିଁ । ଚଳିବି କେମିତି ?

 

ଧୀର— ଆଚ୍ଛା ମଉସା, ତମେ ବ୍ୟସ୍ତ ହୁଅନାହିଁ । ଆଜି ସନ୍ଧ୍ୟାବେଳକୁ ଆସ । ମୁଁ ତମ ଭଡ଼ା ଟଙ୍କା ଦେଇଦେବି ।

 

ମୁଦୁଲି— ହଉ ବାବୁ, ତମ ଇଚ୍ଛା । ଚାକିରି ଖଣ୍ତକ ଚାଲିଗଲା ବୋଲି ସିନା ତମେ ଇମିତି ହଇରାଣ ହେଇଗଲ । ହଉ, ଭଗବାନ ଅଛନ୍ତି । ପୁଣି କୋଉଠି ଖଞ୍ଜିଦେବେ ଯେ !

 

ଧୀର— ହଉ ମଉସା, ତୁମେ ଯାଅ-

 

ମୁଦୁଲି— (ଯାଉ ଯାଉ) ଯାଉଚି ବାବୁ । ହେଲେ, ସଞ୍ଜବେଳକୁ ଯେମିତି ମତେ ଫେରେଇ ନ ଦିଅ-। ପୂରା ଟଙ୍କା ନହେଲେ ନ ହଉ...କିଛି ହେଲେ ଦବ । ବୁଝୁନୁ ବାପ, ବଦଅଭ୍ୟାସ ପରା ରହିଚି...ନାକରୁ ଆଖିରୁ ପାଣି ବହିପଡ଼ିବ-

 

ଧୀର— ଆଚ୍ଛା, ଆଚ୍ଛା । (ଚାଲିଗଲା ମୁଦୁଲି)

 

କ୍ଷମା— (ପ୍ରବେଶି) ଏତେ ଟଙ୍କା ସନ୍ଦ୍ୟାବେଳକୁ ତମେ କୋଉଠୁ ପାଇବ ?

 

ଧୀର— ଏଁ...ଭାବୁଚି ଗାଁକୁ ଯିବି ।

 

କ୍ଷମା— ଗାଁକୁ ଯିବ ?

 

ଧୀର— ହଁ, ଗାଁରୁ କିଛି ହେଲେ ଯୋଗାଡ଼ କରି ଆଣିବି ।

 

କ୍ଷମା— ନା-ନା, ତୁମେ ସେ ଗାଁ ନାଆଁ ତୁଣ୍ତରେ ଧରନି ।

 

ଧୀର— କାହିଁକି, କ’ଣ ହେଲା ? ଯଦି ଯିବ ମତେ ସାଙ୍ଗରେ ନେଇ ଚାଲ । ମୁଁ ତୁମକୁ ଏକା ଛାଡ଼ିବିନି । ତୁମେ କହୁଥିଲନା, ଗାଁ ଲୋକେ ଆମ ଉପରେ ତାତି କରି ରହିଚନ୍ତି । ସେମାନେ ଆମକୁ ଗାଁ ମାଟି ମାଡ଼ିବାକୁ ଦେବେନି ।

 

ଧୀର— ୟାବୋଲି ମୋ ସମ୍ପତ୍ତିବାଡ଼ି ମୁଁ ସବୁ ଛାଡ଼ିଦେବି ?

 

କ୍ଷମା— ସମ୍ପତ୍ତିବାଡ଼ି କ’ଣ କୁଆଡ଼େ ଚାଲିଯାଉଚି ? ତୁମେ ଅପେକ୍ଷା କର । ଗାଁର ଖବର କ’ଣ ବୁଝି ତା’ପରେ ଯିବ ।

 

ଧୀର— ତେବେ ବର୍ତ୍ତମାନ ଚଳିବା କେମିତି ?

 

କ୍ଷମା— ତମେ କିଛି ଭାବନାହିଁ, ମୁଁ ଟଙ୍କା ଦେବି ।

 

ଧୀର— ତମେ ଟଙ୍କା ଦବ ? ତାହେଲେ ବ୍ୟାଙ୍କର ଏଜେଣ୍ଟ କ’ଣ ସ୍ୱୟଂ କ୍ଷମା ଦେବୀ ? ବେଶ୍, ତାହେଲେ ଚେକ୍‍ଟା ପାଶ୍ ହେଇଯାଉ ମ୍ୟାଡ଼ାମ୍ !

 

କ୍ଷମା— ତୁମେ ଆଗ ମୋ ଦେହଛୁଇଁ ନିୟମ କର, ତାହେଲେ ଯାଇ ଦେବି ।

 

ଧୀର— ମତେ ଅବିଶ୍ୱାସ କରୁଚ ?

 

କ୍ଷମା— ହଁ । ତୁମେ ନିୟମ ନ କଲେ ମୁଁ ଦେବିନି ।

 

ଧୀର— ବେଶ୍, ନିୟମ କଲି । ଦିଅ...... (ଦେହ ଛୁଇଁ ହାତ ବଢ଼ାଇଲା । କ୍ଷମା କାନଫୁଲ ଯୋଡ଼ିଏ ହାତରେ ଦେଲା)

 

କ୍ଷମା— ନିଅ ।

 

ଧୀର— (ଚମକି) କ୍ଷମା !

 

କ୍ଷମା— ମନାକରନା । ଭଗବାନଙ୍କର ଦୟା ଥିଲେ କାନଫୁଲ କ’ଣ ଅଭାବ ରହିବ ? ଏ ଦି’ଟା ବିକି ତମେ ଆଗ ଘରବାଲାକୁ ଟଙ୍କା ଦେଇଦିଅ ।

 

ଧୀର— ୟେ ତୁମେ କ’ଣ କହୁଚ କ୍ଷମା ! ଚାରିମାସ ଭିତରେ ଗୋଟାଏ ପଇସା ତୁମ ହାତକୁ ମୁଁ ଦେଇନି; ଅଥଚ ଆଜି ତୁମ ବାପଘରର କାନଫୁଲ ଦି’ଟା ବିକ୍ରିକରି ଘରଭଡ଼ା ଦେବି !

 

କ୍ଷମା— ଛି, ସେମିତି କୁହ ନାହିଁ । ଏ ଫୁଲ ଦି’ଟା କ’ଣ ତୁମର ନୁହେଁ । ଚାହିଁଲେ ତୁମେ କ’ଣ ଦି’ଟା କାନଫୁଲ ମୋ ପାଇଁ କରିପାରିବ ନାହିଁ ? ଆଜି ସିନା ଆମର ଅଭାବ ପଡ଼ିଚି, କାଲି ଭଗବାନ ଚାହିଁଲେ ତୁମେ ଚାକିରି କରି ଶହ ଶହ ଟଙ୍କା ରୋଜଗାର କରିବ । ଏମିତି କେତେ କାନଫୁଲ ହେଇପାରିବ । ଏଇଥିପାଇଁ ଏତେ ଭାବୁଚ ? ତୁମକୁ ମୋ ରାଣ, ୟାକୁ ନେଇଯା-

 

ଧୀର— ତୁମେ ବଡ଼ ଆଶାବାଦୀ, କ୍ଷମା ! କିନ୍ତୁ କାହିଁକି ? କୋଉ ଆଶାରେ ? ମୁଁ ତ ତୁମକୁ ସୁଖୀ କରିପାରିନି !

 

କ୍ଷମା— ଛି, ସେ କଥା କହି ମତେ ଆଉ ଆଘାତ ଦିଅନା । ତୁମେ ମତେ ସାଙ୍ଗରେ ନ ଆଣିଥିଲେ, ମୋ ଅବସ୍ଥା ଯେ କ’ଣ ହେଇଥାଆନ୍ତା...

 

ଧୀର— ଛାଡ଼ । ସେ ପଛ କଥା ଭାବି ଲାଭ କ’ଣ ? ମୁଁ ତୁମ କଥା ରଖୁଚି । (ଏତିକିବେଳେ ହମିଦ ଡାକିଚି)

 

ହମିଦ— ଧୀର, ଧୀର ! (ବାହାରୁ)

 

କ୍ଷମା— ଏଇ, ତୁମର ବନ୍ଧୁ ଆସିଲେଣି । (ପ୍ରସ୍ଥାନ)

 

ହମିଦ— (ଆସି) କଂଗ୍ରାଚୁଲେସନ my dear ଦୋସ୍ତ-କଂଗ୍ରାଚୁଲେସନ (ହାତ ମିଳାଇ) । ତୋର ଗୋଟାଏ ଶୁଭ ସମ୍ବାଦ ପାଇବା ପରେ ମୁଁ ଆଉ ଗୋଟାଏ ଶୁଭ ସମ୍ବାଦ ଦବାଲାଗି ଆସିଚି-

 

ଧୀର— ଆଉ ଗୋଟାଏ ଶୁଭ ସମ୍ବାଦ !

 

ହମିଦ— ହଁ, ତୋର ଚାକିରି ହେଇଯାଇଚି ମୋଟର ଆସୋସିଏସନରେ ।

 

ଧୀର— ସତେ ?

 

ହମିଦ— ହଁ, starting scale Rs. ୧୫୦ । ସରକାରୀ ଚାକିରି ହୋଇଥିଲେ ତୁ କ’ଣ ୟାଠୁଁ ବେଶି ପାଇଥାନ୍ତୁ ? ସେ ଯାହାହଉ, ତୁ ଆଜି ଜଏନ୍ କରିଯା-

 

ଧୀର— ଆଜି ?

 

ହମିଦ— ହଁ ! ଏଇନେ ତୋ appointment ଲେଟର । (letter ଦେଇ) ଆଚ୍ଛା, ମୁଁ ତାହେଲେ ଆସେ । (ଯାଉଯାଉ)

 

ଧୀର— ଆରେ ବସୁନୁ, ଚା ଖାଇ ଯିବୁ ।

 

ହମିଦ— ଚା’ ଖାଇବାକୁ ବେଳ କାହିଁ ? ପୋଲିସ ଚାକିରି ପରା, ମମିଷ ଏଠି ବ୍ୟସ୍ତ ହୋଇପଡ଼ିଲାଣି ।

 

ଧୀର— କାହିଁକି, କିଛିଦିନ ପାଇଁ ଲମ୍ବା E.L. ନେଇଯାଉନୁ ।

 

ହମିଦ— ହଁ, ତା’ କଲେ ହୁଅନ୍ତା, ହେଲେ ଏ ଥାନାରେ ପାରିହବ ନାହିଁ । ହଉ, ମୁଁ ଆସୁଚି ! ଆଜି ଯେମିତି ତୁ ଜଏନ୍ କରୁ । (ପ୍ରସ୍ଥାନ)

 

ଧୀର— ହଉ, ହଉ, ତୁ ଯା । (ଭିତରୁ କ୍ଷମା ଆସିଛି)

 

କ୍ଷମା— ଏଁ ! ତୁମ ବନ୍ଧୁ ଚାଲିଗଲେ ନା କ’ଣ ?

 

ଧୀର— ହଁ ।

 

କ୍ଷମା— ହଠାତ୍ ଚାଲିଗଲେ କାହିଁକି ? ମୁଁ ପରା ଚା’ପାଣି ବସେଇଚି ।

 

ଧୀର— ବସେଇଚ ? ଭଲ କରିଚ । ଯା- ତିଆରି କରି ନେଇଆସ ପିଇଦେବା ।

 

କ୍ଷମା— ଧେତ୍, ତମେ ତାଙ୍କୁ ଟିକେ ଅଟକାଇଲ ନାହିଁ ! କ’ଣ ଭାବିଥିବେ କହିଲ ?

 

ଧୀର— ଭାବିବ ଆଉ କ’ଣ ?

 

କ୍ଷମା— ଭାବିବେନି ?

 

ଧୀର— ହଁ, ଭାବିଥିବ କ୍ଷମା ନିହାତି ମଫସଲୀଟାଏ, ଭଦ୍ରାମିର ଧାର ଧାରେନା-

 

କ୍ଷମା— ହୁଁ, ଏଇଆ ଭାବିଥିବେନା...

 

ଧୀର— ନହେଲା ନାଇଁ !

 

କ୍ଷମା— ହଉ ହେଲା । କୁହ ଭଲା....କ’ଣ ସବୁ କହୁଥିଲେମ !

 

ଧୀର— କହୁଥିଲା....ତୁମେ କୁଆଡ଼େ ଭାରି ସୁନ୍ଦରୀ, ଆଉ ତୁମ ପୁଅ ବି ତୁମରି ପରି ସୁନ୍ଦର ହେବ-

 

କ୍ଷମା— ହାତ୍ ! (ଚାଲିଯାଉଥିଲା, ଧୀର କାନି ଧରି ଅଟକାଇଦେଲା)

 

ଧୀର— ଶୁଣମ ! ଶୁଣ...

 

କ୍ଷମା— ଛାଡ଼ନା । ତୁମେ ଭାରି ୟେ...

 

ଧୀର— ତାହେଲେ ଶୁଣିବନି ?

 

କ୍ଷମା— ନା-

 

ଧୀର— ବେଶ୍ ଯା-(ଛାଡ଼ିଦେଇ ନିଜେ ଅଭିମାନ କଲେ)

 

କ୍ଷମା— ଆରେ କୁହନା, କ’ଣ ସବୁ କହୁଥିଲେ ?

 

ଧୀର— ନା-

 

କ୍ଷମା— ରାଗିଲ ?

 

ଧୀର— ହୁଁ !

 

କ୍ଷମା— ମୁଁ ତୁମକୁ ଇମିତି କ’ଣ କହିଲି ଯେ, ତୁମେ ମୋ ଉପରେ ରାଗୁଚ ? କାନ୍ଦି ପକାଇଲେ)

 

ଧୀର— ବାସ୍ ! ଏତିକିରେ ଅଭିମାନ ଆରମ୍ଭ ହୋଇଗଲା !

 

କ୍ଷମା— ଆରେ ଛାଡ଼ନା, ମୁଁ ଯାଏଁ ।

 

ଧୀର— ଶୁଣ, ହମିଦ ଏଇଆ କହୁଥିଲା–ସେ ମୋ ପାଇଁ ଗୋଟିଏ ଭଲ ଚାକିରି ଯୋଗାଡ଼ କରିଚି-

 

କ୍ଷମା— ସତ କହୁଚ ? ତାହେଲେ ଆଜି ମୁଁ କଟକ ଚଣ୍ତୀଙ୍କି ଭୋଗ ଦେବି ।

 

ଧୀର— କ’ଣ ହେଲା ? ହମିଦ ଏତେ ପରିଶ୍ରମ କରି ଚାକିରି ଯୋଗାଡ଼ କରିଦେଲା, ଆଉ ତୁମେ କଟକ ଚଣ୍ତୀଙ୍କି ଭୋଗ ଦବ ? ବେଶ୍ ବିଚାର ତ !

 

କ୍ଷମା— ଉଁ, ତୁମେ ସେମିତି କହିବନି । ମୁଁ ଜାଣେ ପରା, ତୁମର ସବୁ କଥାରେ ଅବିଶ୍ୱାସ । (କୃତ୍ରିମ ରାଗ ରାଗି ଭିତରୁକ ଗଲେ)

 

ଧୀର— କ୍ଷମା ! ଆରେ ଶୁଣ । କ୍ଷମା !

 

ଚତୁର୍ଥ ଦୃଶ୍ୟ

 

-ଗ୍ରାମପଥ-

(ଗୀତ ଗାଇ ଗାଇ ଆସିଲେ ମାତା)

 

ଶୁଆ କହେ ଶାରୀ ଲୋ...

ଚକ ବୁଲିଗଲେ ଆଖି ବୁଲେ

ହସ କାନ୍ଦର ହାବୁକା ଖାଇ ଜୀବନ ନଉକା ଚାଲେ ଚାଲେ ।୦।

ହସ ଯେବେ ଆସେ ଫଗୁଣ ସକାଳେ, କୁତୁ କୁତୁ ଉଛୁଳା ଜୁଆରେ,

ଛପି କାନ୍ଦ ଲୁଚକାଳି ଖେଳେ, ଝାଙ୍କି ଝାଙ୍କି ମରମ ଦୁଆରେ;

ଶତରତର ସୁନାଶିରୀ, ଅଦିନ ବଉଦ ଘେରି

ଧାରା ଶିରାବଣ କରେ ।୧।

 

ପଡ଼ିଥିଲେ କଇଁ କଇଁ ଘାଟି, ସୁନା ହୁଏ ମୁଠାତଳେ ମାଟି,

ସୁନାର ମିରିଗ ଝଲସିଯାଏ ଲୋ, ଆଖିରେ କୁହୁକ ଗିରା କାଟି,

ଓ....ଫୁଲ ପାଲଟେ ପଥର, ପଥର ପାଲଟେ ଫୁଲ,

କେ କହିବ କି ହେବ କି ହେଲେ ।୨।

 

(ଗୀତ ଶେଷ ବେଳକୁ ଆସିଚି ଚଇତା)

 

ଚଇତା— ମାତା ମା’ ! ମାତା ମା’ ! (ଗୋଡ଼ତଳେ ପଡ଼ି) ମତେ ଉଦ୍ଧାର କର ।

 

ମାତା ମା’— ଆରେ ଉଠ । କ’ଣ ହେଇଚି ? କଥା କ’ଣ ?

 

ଚଇତା— ମୁଁ ବାବାଜି ହେଇଯିବି ।

 

ମାତା ମା’— ବାବାଜି ହେଇଯିବ ?

 

ଚଇତା— ଆଉ କ’ଣ କରିବି ଯେ ? ଯାହାକୁ ତ ବାହାହବାକୁ ବସିଥିଲି ସେ ତ ଗଲା, ଆଉ ଘରେ ବୋଉ ତ ଖାଇାବାକୁ ନଦେଇ ସବୁବେଳେ ବାଡ଼େଇ ଗୋଡ଼ୋଉଚି । ଆଉ କାହିଁକି ରହିବି ?

 

ମାତା ମା’— ୟା ବୋଲି ବାବାଜି ହେଇ ଭିକ ମାଗିବ ? କାହିଁକି କୋଉଠି ଚାକିରି କରୁନ ?

 

ଚଇତା— ପିଲାଦିନୁ ତ ଯାତ୍ରାଦଳରେ ରହିଲି ଯେ, ଓସ୍ତାତଙ୍କ ଗୋଡ଼ ମୋଡ଼ି ମୋଡ଼ି ଦିନଗଲା । ପାଠ ପଢ଼ିଚି ଯେ ଚାକିରି କରିବି ?

 

ମାତା— ମୁଁ ତ ବାରଦ୍ୱାର ହେଇ ଭିକ ମାଗୁଚି । ତମେ କାହିଁକି ମୋ ସାଙ୍ଗରେ ବୁଲିବ ? ତୁମର ଘର ଅଛି, ବୋଉ ଅଛନ୍ତି...

 

ଚଇତା— ବୋଉ ତ ନୁହେଁ, ସେ ମୋର ଶତ୍ରୁ । ମତେ ତ ଖାଇବାକୁ ନ ଦେଇ ଘରୁ ତଡ଼ୁଚି, ସେ କି ବୋଉ ? ହେଇଟି ମାତା ମା’ ! ତମେ ମତେ ଦି’ଟା ଗୀତ ଶିଖେଇଦିଅ । ମୁଁ ତମରି ସାଙ୍ଗରେ ବୁଲି ଭିକ ମାଗିବି ।

 

ମାତା ମା’— ଆଚ୍ଛା ବେଶ୍, ସନ୍ଧ୍ୟାବେଳକୁ ତୁମେ ମନ୍ଦିରକୁ ଆସ । ସେଇଠି ମୁଁ ତୁମକୁ ଗୀତ ଶିଖେଇଦେବି ।

 

ଚଇତା— ସତ କହୁଚ ?

 

ମାତା ମା’— ହଁ ।

 

ଚଇତା— ହଉ ତେବେ, ତୁମେ ଯା- ମୁଁ ସନ୍ଧ୍ୟାକୁ ଯିବି । (ମାତା ଚାଲିଗଲେ, ଚଇତା ଖୁସି ହୋଇ ଅନୁସରଣ କରୁଥିଲା । ଏତିକିବେଳେ ଅନାଦି ଆସିଛନ୍ତି)

 

ଅନାଦି— ଆବେ ହେ, ସେ ମାତା ପାଖକୁ କାହିଁକି ସନ୍ଧ୍ୟାକୁ ଯିବୁ ? କ’ଣ ବାବାଜି ହେଇଯିବୁ କିରେ ?

 

ଚଇତା— (ରାଗି) ଭାଇନା !

 

ଅନାଦି— ହୁଁ, ତାହେଲେ ସେ ମାତାକୁ ହାତ କରିସାରିଲୁଣି !

 

ଚଇତା— ଭାଇନା, ତୁମେ ସେ ମାତା ନାଆଁରେ ସେମିତି କଥା କହିବ ନାହିଁ । ଦିଅଁ–ଦେବତାଠିଁ ତା’ର ଭାରି ଭକ୍ତି । ସତୀଟି ସେ !

 

ଅନାଦି— ହଁ ବେ, ସତୀ ! ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା । କି ସତୀ ବେ ସିଏ ?

 

ଚଇତା— ହଇହେ, ସତୀକି ତୁମେ ଥଟ୍ଟା କରୁଚ ? ରାବଣ ପରି ହବଟି ?

 

ଅନାଦି— ତୁନି ହୋ ବେ, ମତେ ଆଉ ସେ ପୁରାଣ ଶୁଣାନାଇଁ । ହଇବେ, ତୁ ପରା କାନ୍ତାକୁ ବାହାହବୁ, ଆଉ ବାବାଜି କ’ଣ ହବୁ ?

 

ଚଇତା— ଆଉ କ’ଣ କରିବି ? ତୁମେ ତ ମୋଠୁଁ ଦି’କୋଡ଼ି ଟଙ୍କା ନେଇ କାନ୍ତାର ବାହାଘର ଚଉଧୁରୀ ଘରେ ଠିକ୍ କରିଦେଲ । ବୋଉ ତ ମତେ ଘରେ ପୂରେଇ ଦଉନି । ଆଉ ରହିବି କାହିଁକି-? ମୁଁ ସବୁ ଠିକ୍ କରିସାରିଚି ।

 

ଅନାଦି— ତାହେଲେ ବାବାଜି ହେଇଯିବୁ ?

 

ଚଇତା— ହୁଁ

 

ଅନାଦି— ସେଇଥିପାଇଁ ତୁ ଶିଶୁପାଳ ହେଇ ଫେରିଲୁ ?

 

ଚଇତା— ହେଇଟି ଭାଇନା, ତୁମେ ସେ କ୍ଷମା କଥା ମୋ ଆଗରେ କହିବ ନାହିଁ । ତା’ କଥା ପଡ଼ିଲେ ମୋ ଛାତି ଫାଟିଯାଉଚି ।

 

ଅନାଦି— ଆରେ ସେଇଥିପାଇଁ କହୁଚି, ତାଠୁଁ ବଦଲା ନବାକୁ ହବ । ସେ ତୋ କ୍ଷମାକୁ ନେଇଗଲା, ତୁ ତା’ କାନ୍ତାକୁ ନେଇଯିବୁ ।

 

ଚଇତା— ତୁମେ ତ ମୋ’ଠୁଁ ଟଙ୍କା ଖାଇ ତା’ ବାହାଘର ଚଉଧୁରୀ ଘରେ ଠିକ୍ କରିଦେଲ, ଆଉ ମୁଁ ବଦଲାନେବି କାହାଠୁଁ ?

 

ଅନାଦି— ଆରେ ଓଲୁ, ଚଉଧୁରୀ ଘର ପୁଅ ହେଇ କାନ୍ତାକୁ ତୁ ବାହାହବୁ । ତାଙ୍କ ଘରେ କିଏ ଅଛି, କାନ୍ତାକୁ ବାହାହବ ? ତୋ ବୋଉ ସେ ସବୁ କଥା ଜାଣେ । ତୁ ଯା, ପଚାରି ବୁଝିବୁ ।

 

ଚଇତା— ତୁମେ ସତ କହୁଚ ଭାଇନା, କାନ୍ତାକୁ ମୁଁ ବାହାହେବି ?

 

ଅନାଦି— ହଁ, ତୁ ବାହା ହବୁ । ତୁ ଯା, ବୋଉକୁ କହି ଟଙ୍କା ପନ୍ଦରଟା ମାଗି ଆଣିବୁ । ବାଜାବାଲାଙ୍କୁ ବଇନା ଦିଆଯିବ । ବାହାଘର ଆଉ ଚାରିଟାଦିନ ରହିଲା । ଆଗରୁ ସିନା ଯୋଗାଡ଼ କଲେ ହବ ! ସେତେବେଳକୁ ବାଜାବାଲା ମିଳିବେ କୋଉଠି ?

 

ଚଇତା— ତାହେଲେ ମୁଁ ଆଉ ବାବାଜି ହେବିନି ?

 

ଅନାଦି— ନାଇଁ ମ, ଆଉ କାହିଁକି ବାବାଜି ହବୁ ? ତୋର କ’ଣ ଅଭାବ ଅଛି କହିଲୁ ?

 

ଚଇତା— (ହସି) ହଁ ମ ଭାଇନା, କନିଆଁ ନ ମିଳିବାରୁ ସିନା ବାବାଜି ହବାକୁ ବସିଥିଲି...

 

ଅନାଦି— ହଉ, ତୁ ଗଲୁ ଟଙ୍କା ନେଇଆସିବୁ ।

 

ଚଇତା— ହଁ ଭାଇନା, ତମେ ଏଇଠି ଠିଆହେଇଥା । ମୁଁ ଏଇ ସାଙ୍ଗେସାଙ୍ଗେ ବୋଉଠୁ ମାଗିନେଇ ଆସୁଚି...(ଦଉଡ଼ି ଚାଲିଗଲା)

 

ଅନାଦି— ଓଲୁ, କାନ୍ତାକୁ ବାହାହବ ! ଆବେ, ତୁ ଯଦି କାନ୍ତାକୁ ବାହାହବୁ, ଆଉ ଅନାଦି ଯିବ କୁଆଡ଼େ ? ବାହାଘର ଦିନର ଅପମାନ କ’ଣ ମୁଁ ଏତେ ଚଞ୍ଚଳ ଭୁଲିଗଲିଣି ?

 

(ଏତିକିବେଳେ ବ୍ୟସ୍ତ ହୋଇ ଆସିଲେ ପରଶୁ)

 

ପରଶୁ— ଅନାଦି ! ଅନାଦି ! ମୋ କାନ୍ତା କାହିଁ ?

 

ଅନାଦି— କାନ୍ତା !

 

ପରଶୁ— ହଁ କାନ୍ତା । କାଲି ରାତି ଅଧରୁ କୁଆଡ଼େ ଚାଲିଯାଇଚି ।

 

ଅନାଦି— ତେବେ ଏଇନେ କ’ଣ ହବ ଯେ ? ବାହାଘର ଆଉ ୪ଟା ଦିନ ରହିଲା..ମୁଁ ସେମାନଙ୍କୁ କ’ଣ ଜବାବ ଦେବି ?

 

ପରଶୁ— ତୋରି ସକାଶେ ମୋ ଝିଅଟା କୁଆଡ଼େ ଚାଲିଗଲା । ଆମେ ବାପ ଝିଅ ତ ବେଶ୍ ଖୁସିରେ ଥିଲୁ । ତୁ କାହିଁକି ୟା କଲୁ ?

 

ଅନାଦି— ଆହେ, ମୁଁ କ’ଣ କଲି ? ଯାହା କରିଥିଲି ତୁମରି ଝିଅର ଭଲ ପାଇଁ କରିଥିଲିନା ! ହଉ ହଉ ତୁମେ ଚାଲିବଟି କକେଇ, କିଛି ବ୍ୟସ୍ତ ହବା ଦରକାର ନାହିଁ । ଚାଲ, ଘରକୁ ଚାଲ ।

 

ପରଶୁ— ଘରକୁ ଆଉ କାହିଁକି ଯିବି ? ଗୋଟିଏ ବୋଲି ଝିଅ, ସେ ତ ଗଲା । ଆଉ ମୋର କିଏ ଅଛି ? କାହିଁକି ଯିବି ?

 

ଅନାଦି— ଛି, କକେଇ ! ତୁମେ ମୋଟେ ବ୍ୟସ୍ତ ହୁଅନି ।

 

ପରଶୁ— ବ୍ୟସ୍ତ ହେବିନି ? ଏମିତି ଭଲ କଥା କହି କହି ତୁ ମୋର ସର୍ବନାଶ କଲୁ । ଆଉ କ’ଣ ବାକି ଅଛି ?

 

ଅନାଦି— ହଇହେ, ମତେ କାହିଁକି ଦୋଷ ଦଉଚ ? ଯାହା କରୁଥିଲି ତୁମ ଝିଅର ମଙ୍ଗଳ ପାଇଁ । ଏଥିରେ ତମ ଝିଅ କାହା ସାଙ୍ଗରେ ଗଲା କି ମଲା, ଏଥିପାଇଁ କ’ଣ ମୁଁ ଦାୟୀ ?

 

ପରଶୁ— ଅନାଦି ! ମୁହଁ ସମ୍ଭାଳି କଥା କହ । ମୋ ଝିଅ କାହା ସାଙ୍ଗରେ ଯାଇଚି.... ?

 

ଅନାଦି— କାହା ସାଙ୍ଗରେ ଯାଇନି ତ, ରାତି ଅଧରେ ଯୁବତୀ ଝିଅଟା ଆଉ ଗଲା କୁଆଡ଼େ ?

 

ପରଶୁ— ଅନାଦି ! (ରାଗରେ ବେକ ଚିପିଦବାକୁ ଯାଉଥିଲେ)

 

ଚଇତା— (ପ୍ରବେଶି) କକେଇ–କକେଇ ! ନଈ ପାଣିରେ କାହାର ଗୋଟାଏ ଶବ ଭାସୁଚି । ସମସ୍ତେ କହୁଚନ୍ତି କାନ୍ତାର ଶବ ବୋଲି..ତମେ ଚଞ୍ଚଳ ଆସ କକେଇ !

 

ପରଶୁ— ଏଁ, ଝିଅ ମୋର କ’ଣ ଆତ୍ମହତ୍ୟା କଲା ? କାନ୍ତା-କାନ୍ତା ! ୟେ ତୁ କ’ଣ କଲୁ ମା’ ! (ଦୁହେଁ ପ୍ରସ୍ଥାନ)

 

ଅନାଦି— କ’ଣ ହେଲା, କାନ୍ତା ଆତ୍ମହତ୍ୟା କଲା ? (ପଛେ ପଛେ ଗଲା)

 

ପଞ୍ଚମ ଦୃଶ୍ୟ

 

ହମିଦ୍‍ର ଘର

 

[ସମୟ— ଅର୍ଦ୍ଧରାତ୍ର । ବାହାରେ ଭୀଷଣ ଝଡ଼ତୋଫାନ । ବଡ଼ ବ୍ୟସ୍ତତାରେ ପଦଚାରଣା କରୁଥିଲେ ହମିଦ । ଭିତରୁ ଆସିଲେ ହାସିନା]

 

ହାସିନା— ଧୀର ଫେରିନାହାନ୍ତି ?

 

ହମିଦ— ନା—

 

ହାସିନା— ତେବେ କ’ଣ କରାଯିବ ଯେ ? ଇଞ୍ଜେକ୍ସନ ନହେଲେ ତ ହବ ନାହିଁ ! ବେଳକୁ ବେଳ ଅବସ୍ଥା ଖରାପ ଆଡ଼କୁ ଯାଉଚି ।

 

ହମିଦ— ଖରାପ, ଆଡ଼କୁ ଯାଉଚି ?

 

ହାସିନା— ହଁ । ଦେହରେ ରକ୍ତ ନାହିଁ, ବଡ଼ ଦୁର୍ବଳ ହେଇପଡ଼ିଚି କି ନା ! କ’ଣ ତା’ ଭାଗ୍ୟରେ ଅଛି କେଜାଣି ? ଡାକ୍ତରାଣୀ କହୁଚନ୍ତି, ଆଗରୁ ଔଷଧ ନ ଖାଇବା ଦ୍ୱାରା ଏମିତି ହେଲା ।

 

ହମିଦ— ଔଷଧ କ’ଣ ମୋଟେ ସେ ଖାଇନି ?

 

ହାସିନା— ଖାଇଲା ଆଉ କୁଆଡ଼ୁ ? ମୋଟେ ତ ଔଷଧ କିଣା ହେଇ ଆସିନି ।

 

ହମିଦ— ସେ ଇଡ଼ିଅଟଟା ପରା କୌଣସି କଥାକୁ ଗୁରୁତ୍ୱ ଦିଏ ନାହିଁ ।

 

ହାସିନା— ସେ କ’ଣ କରନ୍ତେ ? ୟେ ତ ମୋଟେ କିଣେଇ ଦେଲା ନାହିଁ । କହିଲା— କିଣିଆଣିଲେ ବି ସେ ମୋଟେ ଖାଇବ ନାହିଁ । ସବୁ କଥାରେ ପରା ତା’ର ସେହି ମରହଟ୍ଟୀ ଢଙ୍ଗ !

 

ରୋଜି— (ଭିତରୁ ଡାକିଲେ) ହାସିନା

 

ସିନା— ଯାଉଚି । (ଭିତରକୁ ଗଲେ)

 

ହମିଦ— ଯା, ଯା— ତେଣେ କ’ଣ ହେଲା ଦେଖ

 

ରାମ ସିଂ— (ପ୍ରବେଶ କରି) ସାର୍ !

 

ହମିଦ— କ’ଣ କହିଦେଇ ଆସିଲ ?

 

ରାମ ସିଂ— ହଁ, ଆଜ୍ଞା ।

 

ହମିଦ— ଥାନାରେ ଆଉ କିଏ ସବୁ ଅଛନ୍ତି ?

 

ରାମ ସିଂ— ସାନବାବୁ ଅଛନ୍ତି, ଆଉ ଦି’ଜଣ କନେଷ୍ଟବଳ ଅଛନ୍ତି ।

 

ହମିଦ— ବାହାର ଲୋକ କେହି ନାହାନ୍ତି ତ ?

 

ରାମ ସିଂ— ନା ।

 

ହମିଦ— ହଉ, ଠିକ୍ ଅଛି । ତମେ ଯାଅ—

 

ରାମ ସିଂ— (ଯାଉ ଯାଉ ଫେରି) ଆଜ୍ଞା, କ’ଣ କିଛି ହେଲାଣି ?

 

ହମିଦ— ନା—

 

ରାମ ସିଂ— ଚାରିଘଣ୍ଟା ହେଲା ଭାରି କଷ୍ଟ ପାଇଲେଣି । କେମିତି ଏ ବିପଦରୁ ଉଦ୍ଧାର ହେବେ କେଜାଣି ? ଭଗବାନ କେବଳ ଭରସା ।

 

ହମିଦ— painଟା ହଠାତ୍ ଆରମ୍ଭ ହେଇଗଲା । ତା’ ସାଙ୍ଗକୁ ଏ ଝଡ଼ବର୍ଷା ଇମିତି ଲାଗିରହିଚି ଯେ, କୌଣସି ଉପାୟରେ ମେଡ଼ିକାଲକୁ ନେଇହେଲାନି । ଯା’ ହଉ ଭାଗ୍ୟକୁ ଲେଡ଼ି ଡକ୍ଟର ଆସି ପହଞ୍ଚିଗଲେ । ତା’ ନହେଲେ ଅବସ୍ଥା ଯେ କ’ଣ ହୁଅନ୍ତା… (ବ୍ୟସ୍ତତାରେ ରୋଜି ଆସିଲେ)

 

ରୋଜି— କ’ଣ ମେଡ଼ିସିନ୍ ଆସିଲାଣି ?

 

ହମିଦ— ନା, ସେ ଫେରିନି ।

 

ରୋଜି— ଫେରିନାହାନ୍ତି ! ଓଃ, ଏଡ଼ିକି ଦାୟିତ୍ୱହୀନ ଲୋକ । ପେସେଣ୍ଟ ଆସି...

 

ହମିଦ— କ’ଣ ହେଇଚି ଆଜ୍ଞା ?

 

ରୋଜି— ଆପଣ ଶୀଘ୍ର ଫୋନ୍ କରି ଆମ୍ୱୁଲାନ୍ସ ମଗାନ୍ତୁ । ହୁଏତ ଅପରେସନ୍ ଦରକାର ହୋଇପାରେ ।

 

ହମିଦା— (ଚମକି) ଅପରେସନ୍ !

 

ରୋଜି— ଆପଣ ଆଉ ଡେରି କରନ୍ତୁ ନାହିଁ, ଶୀଘ୍ର ଯାନ୍ତୁ ।

 

ହମିଦ— ଆଜ୍ଞା... (ଯାଉଥିଲେ)

 

ରାମ ସିଂ— ଆପଣ ଥାଆନ୍ତୁ ଆଜ୍ଞା । ମୁଁ ଯାଉଚି ଫୋନ୍ କରିଦେବି ।

 

ହମିଦ— ଆଚ୍ଛା ଆଚ୍ଛା, ଶୀଘ୍ର ଯାଅ । ଜଲ୍‍ଦି ଗାଡ଼ି ପଠାଇବାକୁ କହିବ ।

 

ରାମ ସିଂ— ଆଜ୍ଞା । (ଚାଲିଗଲା)

 

ହମିଦ— କିଛି ଭୟ ନାହିଁ ତ ଡକ୍ଟର !

 

ରୋଜି— ନା, ତେବେ...

 

ହମିଦ— ତେବେ ଫେର କ’ଣ ଡକ୍ଟର !

 

ରୋଜି— ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ ।

 

ହମିଦ— ହଁ ଡକ୍ଟର, ମତେ ସେଇ ଭରସା ଦିଅନ୍ତୁ । She is his heart of heart । ତା’ ପାଇଁ ଧୀର ଜାତି, ଧର୍ମ, ସମାଜ ସବୁକିଛି ଛାଡ଼ିଚି ।

 

ରୋଜି— ମୁଁ ଜାଣେ । ଭୟର କୌଣସି କାରଣ ନାହିଁ । ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରଥମ ଡେଲିଭରି ବେଳେ ଅନେକଙ୍କର ଅବସ୍ଥା ଇମିତି ହୋଇଥାଏ ।

 

ହସିଦ— ନା ଡକ୍ଟର ! ମୁଁ ସେ ଆଶଙ୍କା କରୁନି । ଖୋଦା କରନ୍ତୁ, ସେ ଦୁର୍ଘଟଣା ଯେମିତି ନ ଘଟେ-। ସତରେ ଡକ୍ଟର, ଜନ୍ମ ମୃତ୍ୟୁ କେଡ଼େ ଯନ୍ତ୍ରଣାଦାୟକ ।

 

ହାସିନା— (ଭିତରୁ ଡାକିଲେ) ରୋଜି ଦେବୀ, ରୋଜି ଦେବୀ ! ଶୀଘ୍ର ଆସନ୍ତୁ । କ୍ଷମା ବେହୋସ୍ ହେଇପଡ଼ିଲା ।

 

ରୋଜି— ବେହୋସ୍ ହେଇପଡ଼ିଲା ! (ରୋଜି ଭିତରକୁ ଗଲେ । ହମିଦ କ’ଣ କରିବ କିଛି ସ୍ଥିର କରିନପାରି ଭିତରେ ଥିବା ନର୍ସକୁ ଡାକିଲେ)

 

ହମିଦ— ସିଷ୍ଟର, ସିଷ୍ଟର.... (ଏତିକିବେଳେ ଧୀର ଆସିଛି)

 

ଧୀର— ହମିଦ !

 

ହମିଦ— (ଫେରିପଡ଼ି) ଔଷଧ ଆଣିଲୁ ?

 

ଧୀର— ପାଇଲି ନାହିଁ ।

 

ହମିଦ— ପାଇଲୁ ନାହିଁ ?

 

ଧୀର— କୌଣସି ଦୋକାନ ଖୋଲା ନ ଥିଲା । ଡାକି ଡାକି ଥକିଲି କେହି ଜବାବ ଦେଲେ ନାହିଁ ।

 

ହମିଦ— ‘ଡେ ଆଣ୍ଡ ନାଇଟ୍ ଡ୍ରଗ୍ ହାଉସ୍’ ବି ଖୋଲାନଥିଲା ?

 

ଧୀର— ସେଠି ସେ ଇଞ୍ଜେକ୍ସନ ନାହିଁ । ଗୋଟିଏ ମାତ୍ର ଫାଇଲ୍ ଥିଲା, ଆଜି ସନ୍ଧ୍ୟାବେଳେ ସେ ବିକ୍ରି ହେଇଯାଇଚି । ବର୍ତ୍ତମାନ କ’ଣ କରାଯିବ ହମିଦ, ଔଷଧ ଆସିବ କୋଉଠୁ ?

 

ହମିଦ— ତୁ ବ୍ୟସ୍ତ ହୋ’ନା, ସବୁ ଠିକ୍ ହେଇଯିବ ।

 

ଧୀର— କ୍ଷମାର ଅବସ୍ଥା କେମିତି ଅଛି ।

 

ହମିଦ— ଅବସ୍ଥା ? ଡାକ୍ତରାଣୀ କହୁଥିଲେ, ଭୟର କୌଣସି କାରଣ ନାହିଁ ।

 

ଧୀର— କେଜାଣି କାହିଁକି ମୋର ଭାରି ଭୟ ହଉଚି, ହମିଦ !

 

ହମିଦ— ତୁ ଟିକିଏ ସ୍ଥିର ହୋଇ ବସ, ଧୀର ।

 

ଧୀର— ବେଳକୁବେଳ ଏ ଝଡ଼ଟା ମେମିତି ବଢ଼ୁଚି, ଜଣାଯାଉଚି ସତେଯେମିତି ୟେ ସାରା ସୃଷ୍ଟିକୁ ଗ୍ରାସଯିବ !

 

ହମିଦ— ଓଃ ଧୀର, please—

 

ଧୀର— ହଁ ହମିଦ, ଇମିତି ଏକ ଝଡ଼ବର୍ଷା ରାତିରେ ପ୍ରକୃତିର ଉପହାସକୁ ଭ୍ରୂକ୍ଷେପ ନ କରି କ୍ଷମାର ହାତ ଧରି ଗାଁରୁ ବାହାରି ଆସିଥିଲି । ସେଦିନ କାହିଁକି ମୋ ଛାତି ଭିତରଟା ତ ଏମିତି ହଉନଥିଲା-? ଆଜି କାହିଁକି ଏମିତି...

 

ହମିଦ— ଓଃ, ତୁ ପାଗଳ ହେଇଯିବୁ ଧୀର ! ତୁ କାହିଁକି ଏମିତି ହଉଚୁ ? ତୁ ଏଠି ଚୁପ୍ ହେଇ ବସ-

 

ରାମ ସିଂ— (ପ୍ରବେଶି) ସାର୍, ସାର୍, କେହି ଶୁଣିଲେ ନାହିଁ । ରିଙ୍ଗ୍ କରି କରି ଥକିଗଲିଣି । କେହି ଜବାବ ଦେଲେ ନାହିଁ ।

 

ହମିଦ— ଜବାବ ଦେଲେ ନାହିଁ ?

 

ରାମ ସିଂ— ନା ବାବୁ, କେହି ଫୋନ୍ ଧଇଲେ ନାହିଁ ।

 

ହମିଦ— ଓ, ଅପଦାର୍ଥ କୋଉଠିକାର ! ତୁମେ ନିଜେ ଯାଇପାରିଲ ନାହିଁ ?

 

ରାମ ସିଂ— କେମିତି ଯା’ନ୍ତି ବାବୁ ! ସହରର ସବୁ ଆଲୁଅ ଲିଭିଯାଇଚି । ଗଛ ପଡ଼ି ରାସ୍ତା ବନ୍ଦ ହେଇଯାଇଚି । ଗାଡ଼ି ଆସିବାର ଉପାୟ ନାହିଁ ।

 

ହମିଦ— ଉପାୟ ନାହିଁ ? ତେବେ କ’ଣ କରାଯିବ ?

 

ଧୀର— କ’ଣ ହେଇଚି ହମିଦ ! ଗାଡ଼ି କ’ଣ ହବ ?

 

ହମିଦ— ନା–ନା, ସେ କିଛି ନୁହେଁ । ତୁ ଚୁପ୍ ହେଇ ବସ ।

 

ଧୀର— (ଜୋରରେ ହଲେଇଦେଇ) ମତେ କହ ହମିଦ ! କ୍ଷମାର କ’ଣ ହେଇଚି ? ଆରେ, ମତେ କାହିଁକି କହୁନୁ ? କହ... (ଏତିକିବେଳେ ସଦ୍ୟଜାତ ଶିଶୁର କୁଆଁ କୁଆଁ କାନ୍ଦ ଶୁଭିଲା)

 

ଧୀର— (ଆନନ୍ଦରେ) ଏଁ !

 

ହମିଦ— (ଆଶ୍ୱସ୍ତ ହୋଇ) ଆଉ ଭୟ ନାହିଁ ଧୀର, କିଛି ଭୟ ନାହିଁ । ତୁ ଆଗ ସମୟ ଟିପି ରଖ–H.୨-୧୫ ।

 

ରାମ ସିଂ— ହଁ ବାବୁ, ସମୟ ଟିପି ରଖନ୍ତୁ । ଜାତକ ହବ ।

 

ଧୀର— (ନିଜ ଘଡ଼ି ଦେଖି) Just ୨-୧୫ । (ହାସିନା ଆସିଛି)

 

ହାସିନା— ଧୀର, ପୁଅ ହେଇଚି ।

 

ଧୀର— ପୁଅ ହେଇଚି ? (ଆଗ୍ରହରେ ଭିତରକୁ ଯାଉଥିଲେ)

 

ହାସିନା— ନା, ନା— ତୁମେ ଭିତରକୁ ଯାଇପାରିବ ନାହିଁ ।

 

ଧୀର— ଭାଉଜ ! please—

 

ହାସିନା— ଦେଖୁଚ, କେତେ ଜଲଦି ଲୋଭ ଆସିଗଲା ! ହଉ,ହଉ, ତୁମେସବୁ ବସ । ଆଉ ଟିକିଏ ପରେ ଦେଖିବାକୁ ଯିବ । (ଯାଉଥିଲେ ଭିତରକୁ)

 

ରାମ ସିଂ— ବାବୁ, ରାତି ପାହୁପାହୁ କଟକଚଣ୍ଡୀଙ୍କୁ ଭଲ କୁକୁଡ଼ା, କଳା ଲୁଗା ଦବ । ମା’ ସାହା ହେଲେ ବୋଲି ସିନା...

 

ଧୀର— ତୁମେସବୁ ଆଚ୍ଛା ଚଣ୍ଡୀଭକ୍ତ ଜୁଟିଚ ?

 

ରାମ ସିଂ— ସେମିତି କହିବେ ନାହିଁ ବାବୁ ।

 

ଧୀର— କ’ଣ ମିଆଁ ସାହେବ ! ତୋ ଆଲ୍ଲା ବି ଘୁସ୍ ନେବେ ?

 

ହମିଦ— ଦେଖ୍ ଧୀର, ଏସବୁ କଥାକୁ ମଣିଷ ଅତି ଆଦିମଯୁଗରୁ ବିଶ୍ୱାସ କରିଆସିଚି । ଆଉ ତତେ ବି ବିଶ୍ୱାସ କରିବାକୁ ହବ ।

 

ଧୀର— ଆଚ୍ଛା ବାବା ହେଲା । ତୋ ଆଲ୍ଲା, ତା’ ଚଣ୍ଡୀ, ଆଉ ମୋ ଈଶ୍ୱର ଏକାଠି ହୋଇ ବିପଦରୁ ଉଦ୍ଧାର କରିଦେଲେ । (ହାସିନା ଆସିଲେ)

 

ହାସିନା— ଧୀର, ପୁଅଟା ଭାରି ସୁନ୍ଦର ହେଇଚି । (ରାମସିଂ ପ୍ରସ୍ଥାନ)

 

ଧୀର— ଏଁ, ସୁନ୍ଦର ହେଇଚି ?

 

ହାସିନା— ହେଲେ, ତୁମ ପରି ହେଇନି ମ ! ଠିକ୍ ତା’ ମା’ର ରୂପ ଆଣିଚି ।

 

ହମିଦ— ୟେ ଯୁଗ ପରା ସେଇଆ, Ladies first ! ବାପର ରୂପ ଆଣନ୍ତା କିମିତି ? (ସମସ୍ତେ ହସିଲେ) ହଁ, ମାର ଅବସ୍ଥା କିମିତି ?

 

ହାସିନା— ଡାକ୍ତରାଣୀ ଦେଖୁଚନ୍ତି । ମୁଁ ପରା ତେଣେ ସିଷ୍ଟର ସାଙ୍ଗରେ ପୁଅକୁ ଗାଧେଇ ଦଉଥିଲି-। ଭାରି ଦୁଷ୍ଟ ଛୁଆ । ଦେଖୁନା— (କାନ୍ଦ ଶୁଭୁଥାଏ) ଉଁ-ଉଁ ହେଇ କିମିତି କାନ୍ଦୁଚି ! ଠିକ୍ ବାପ ପରି ଏକଜିଦିଆ ହବ, କାହାରିକୁ ମାନିବ ନାହିଁ ।

 

ହମିଦ— ଧୀର ପୁଅ ଟି !

 

ହାସିନା— କ’ଣ କହିଲା— ଧୀର ପୁଅ ? ନା, ସେ ମୋ ପୁଅ ।

 

ଧୀର— ହଁ ଭାଉଜ, ସେ ତୁମ ପୁଅ ।

 

ହାସିନା— ବେଶ୍, ତାହେଲେ ଏଇ କଥା ରହିଲା । ଆଜିଠୁଁ ସେ ମୋ ପୁଅ । କ’ଣ କହୁଚ ?

ରୋଜି— (ଭିତରୁ ଡାକିଲେ) ହାସିନା !

ହାସିନା— ଯାଉଚି । (ଭିତରକୁ ଗଲେ)

ଧୀର— ଭଗବାନଙ୍କର ୟେ କିନ୍ତୁ ଭାରି ଅନ୍ୟାୟ ହେଇଚି ।

ହମିଦ— ଅନ୍ୟାୟ !

ଧୀର— ହଁ । ମୋ ଭାଉଜଙ୍କର ଯଦି ଇମିତି ଗୋଟିଏ ପୁଅ ହୁଅନ୍ତା, ଦୁନିଆଁରେ ବୋଧହୁଏ ସବୁଠୁଁ ବେଶି ଖୁସି ହୁଅନ୍ତି ମୁଁ ।

ହମିଦ— କାହିଁକି ? ତୋ ପୁଅ କ’ଣ ମୋର ପୁଅ ନୁହେଁ ?

ଧୀର— ସେ ସବୁ କେବଳ ମନଗଢ଼ା ସାନ୍ତ୍ୱନା, ପଙ୍ଖାର ହାୱା...

ହମିଦ— ଛାଡ଼ ସେ କଥା । କହିବୁଟି ମିଠେଇ କେବେ ଦବୁ ?

ଧୀର— ସେ ସବୁ କାମ ଭାଉଜଙ୍କର । (ରୋଜି ଆସିଲେ)

ହମିଦ— ବର୍ତ୍ତମାନ ଆମେ ଭିତରକୁ ଯାଇପାରୁ, ଆଜ୍ଞା ?

ରୋଜି— ଉଁ…. (କିଛି ଜବାବ ଦେଇପାରିଲେନି ଯେମିତି)

ଧୀର— ଆଜ୍ଞା, ଆମେ ଭିତରକୁ ଯାଇପାରୁ ?

ରୋଜି— ମୁଁ ବଡ଼ ଦୁଃଖିତ, ଧୀର ବାବୁ !

ଧୀର— ଆଜ୍ଞା !

ରୋଜି— କ୍ଷମା...

ଧୀର— କ’ଣ ହେଇଚି ?

ରୋଜି— ସେ...ସେ ଆଉ ନାହାନ୍ତି ।

ଧୀର— Doctor ! (ଚିତ୍କାର କରିଉଠିଲେ)

ହମିଦ— (ଧରିପକାଇ) ଧୀର !

ଧୀର— ନା-ନା— ସେ ମରିପାରେନା ହମିଦ ! ସେ ମରିପାରେନା— ମୁଁ ତାକୁ ମରିବାକୁ ଦେବିନି-। କ୍ଷମା, କ୍ଷମା, କ୍ଷମା.... (ପାଗଳଙ୍କ ପରି ଭିତରକୁ ଦୌଡ଼ିଗଲେ)

Image

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

–କାନ୍ତାର ଶାଶୁଘର–

 

[ପରଦା ଉଠିବା ପରେ ଦେଖାଗଲା— ପର୍ଶୁରାମ ନିଜେ ବସିଚନ୍ତି । କାନ୍ତା ଠିଆହେଇ କହୁଛି]

 

କାନ୍ତା— ତୁମେ ଲୋକଙ୍କ କଥାକୁ ବିଶ୍ୱାସ କର ନାହିଁ, ନନା ! କୁଆଟା ଉଡ଼ିଗଲେ ଛୁଆଟା ଉଡ଼ିଗଲା ବୋଲି ସେମାନେ କହିବେ । ତାଙ୍କ ମୁହଁରେ କ’ଣ ବାଡ଼ବତା ଅଛି ? ହେଲେ ମୋ ଶାଶୁ ମତେ ଝିଅଠୁଁ ବଳି ଅଧିକ ସ୍ନେହ କରନ୍ତି । ମୋ ପାଇଁ ତୁମେ କିଛି ଚିନ୍ତା କର ନାହିଁ ।

 

ପରଶୁ— ଚିନ୍ତା କରିବି ନାହିଁ କିମିତି ମା’ ? ମୁଁ ଯେତେବେଳେ ଶୁଣିଲି— ଦାସୀ-ପୋଇଲୀଙ୍କଠୁଁ ହୀନ ହୋଇ ଏଠି ରହିଚୁ, ମୁଁ ଦଉଡ଼ି ଆସିଲି ତତେ ନେଇଯିବାକୁ ।

 

କାନ୍ତା— ତୁମେ ଭୁଲ୍ ଶୁଣିଚ ନନା ! ଲୋକେ ଆମ ଶାଶୁ ବୋହୂଙ୍କର ସୁଖ ଦେଖିନପାରି ଏତେ ସବୁ କଥା ଲଗେଇ ଜଟେଇ କହୁଚନ୍ତି । ତୁମେ ସେମାନଙ୍କ କଥାକୁ ବିଶ୍ୱାସ କର ନାହିଁ । ମୁଁ ବେଶ୍ ସୁଖରେ ଅଛି ।

 

ପରଶୁ— ହଁ ମା’, କଥାରେ ଅଛି— ମନ ତତ୍ତ୍ୱ କଲେ ଗଡ଼ିଆ ଗଙ୍ଗା । ହେଲେ.....

 

କାନ୍ତା— ତୁମେ ମୋ ଶାଶୁଙ୍କୁ ଜାଣିନା । ସେଦିନ ରାତିରେ ମୁଁ ଯୋଉ ଅବସ୍ଥାରେ ଆସି ଏ ଘରେ ପହଞ୍ଚିଲି, ସେ ଯଦି....

 

ପରଶୁ— ହଁ, ସେଦିନ ରାତିରେ ସେ ଯଦି ଆଶ୍ରୟ ଦେଇନଥାନ୍ତେ, ତୋ ଅବସ୍ଥା ଯେ କ’ଣ ହେଇଥାନ୍ତା.....

 

କାନ୍ତା— ହଁ । ମୋ ପ୍ରତି ଭଗବାନଙ୍କର ଅସୀମ ଦୟା ।

 

ପରଶୁ— ସେହି ଭଗବାନ ହିଁ ତୋର ସାହା । ଭାଗବତରେ ପରା ଅଛି— କରି କରାଉଥାଏ ମୁହିଁ, ମୋ ବିନୁ ଆନ ଗତି ନାହିଁ । ସେଇ କେବଳ ତୋର ମଙ୍ଗଳ କରିବେ, ମା’ ! ତୁ ତାଙ୍କୁ ଇ ଡାକ ।

 

ଧୀର ବୋଉ— (ଭିତରୁ ଆସିଲେ) କ’ଣ ବାପ ଝିଅଙ୍କର ଦୁଃଖ ସୁଖ ଆଉ ସରିବ ନାହିଁ ? ହଇଲୋ ହେ ବୋହୂ, ବାପଟାକୁ କ’ଣ ହଇରାଣ କରିବାକୁ ତୋର ମନ ? ସେ ତ ଏ ଘରେ ରହିବେ ନାହିଁ କି ଖାଇବେ ନାହିଁ । ତେଣେ ଖରା ମାଡ଼ିଆସୁଚି, କାହିଁକି ତୁ ତାଙ୍କୁ ଅଟକାଇ ରଖିଛୁ ? ସେ ଯାଆନ୍ତୁ ।

 

ପରଶୁ— ହଁ ସମୁଦୁଣୀ, ମୁଁ ଯାଉଚି । ଏ ଜୀବନରେ ମୁଁ ଆଉ ତୁମ ଘରେ ମୁହଁ ଅଇଣ୍ଠା କରିପାରିବି ନାହିଁ । ଭାବିଥିଲି ନାତିଟିଏ ହେଇଥାଆନ୍ତା, ମୁଁ ତାକୁ କୋଳରେ ବସାଇ ତୁମ ଘରେ ଖାଇ ବସିଥାଆନ୍ତି । ହେଲେ, ଭଗବାନ ମୋର ସେ ସୁଖ ଦେଖିପାରିଲେ ନାହିଁ ।

 

ଧୀର ବୋଉ— ଥାଉ ସମୁଦି ! ସେ ପଛକଥା ଭାବି ମନକଷ୍ଟ କର ନାହିଁ । ଯାହା ଭାଗ୍ୟରେ ଥିଲା ତା’ ହେଲା, ଯାହା ଭାଗ୍ୟରେ ଥିବ ତ ହବ । ତାକୁ କେହି ଆନ କରିପାରିବେ ନାହିଁ ।

 

ପରଶୁ— ହଁ ସମୁଦୁଣୀ-ବିଧିର ବିଧାନ, କେ କରିବ ଆନ ! କାନ୍ତା ପାଇଁ ମୁଁ କ’ଣ କରିନଥିଲି ? ବି.ଏ. ପାଶ୍ କରା ଜୋଇଁ ବୋଲି ମୋ ଗୋଡ଼ ତଳେ ଲାଗୁନଥିଲା । ହେଲେ...

 

ଧୀର ବୋଉ— ପୁଣି ତୁମେ ସେଇ କଥା କହିଲ ?

 

ପରଶୁ— ନାହିଁ ସମୁଦୁଣୀ, ମୁଁ ଆଉ କିଛି କହୁନି । ଯାଉଚି, ହେଲେ ଝିଅଟା ମୋର ତୁମକୁ ଲାଗିଲା-। ମା’ ଛେଉଣ୍ଡ ପିଲା, ଜନ୍ମରୁ ମା’ ସ୍ନେହ କ’ଣ ସେ ଜାଣିନି । ଭାରି କଷ୍ଟରେ ତାକୁ ମୁଁ ମଣିଷ କରିଚି-। ତା’ କଥା ମନେପଡ଼ିଗଲେ ମୋ ଛାତି ଭିତରଟା ଖାଲି...

 

ଧୀର ବୋଉ— ଆହା-ହା, ଏମିତି ବ୍ୟସ୍ତ କାହିଁକି ହଉଚ ? କାନ୍ତା ମୋର ବୋହୂ ନୁହେଁ, ସେ ମୋର ଝିଅ ।

 

ପରଶୁ— ସେ ଭରସା ମୋର ଅଛି ସମୁଦୁଣୀ ! ତୁମେ ତା’ର ଶାଶୁ ନୁହଁ ତା’ର ମା’ । ମା’ କୋଳରେ ଝିଅକୁ ସମର୍ପି ଦେଇ ଯାଉଚି । ମୋର ଆଉ କେତେଦିନ ? ତୁମେ ତା’ର ସବୁ ।

 

ଧୀର ବୋଉ— ଛି ସମୁଦି, ଏଗୁଡ଼ାକ କ’ଣ କହୁଚ ? ଯିବଟି, ତେଣେ ଖରା ମାଡ଼ି ଆସିଲାଣି । ଡେରି କଲେ ବାଟ ଚାଲିପାରିବ ନାହିଁ ।

 

ପରଶୁ— ହଁ, ମୁଁ ଯାଉଚି । (ଯାଉଥିଲେ)

 

ଧୀର ବୋଉ— ହେଇଟି, ଶୁଣ । ସାବିତ୍ରୀ ଅମାବାସ୍ୟା ଅଳ୍ପଦିନ ରହିଲା । ଝିଅଟା ପ୍ରଥମ କରି ଏଠି ବ୍ରତ ପାଳିବ । ଲୋକେ ତା’ର ଯେମିତି କିଛି ନିନ୍ଦା ନ କରନ୍ତି ।

 

ପରଶୁ— ସେ କଥା ମତେ କହିବାକୁ ପଡ଼ିବନି ସମୁଦୁଣୀ ! ମୋର ଆଉ ଅଛି କିଏ ? ଝିଅ ବିଦାକି ବେଳେ ଯାହାସବୁ ଦବାକୁ ସଂକଳ୍ପ କରିଥିଲେ, ସବୁ ତୁମ ଘରକୁ ପଠାଇଦେବି । ତୁମେ କିଛି ଚିନ୍ତା କରନି । ହେଲେ, କାନ୍ତା ତୁମକୁ ଲାଗିଲା । ହଉ, ମୁଁ ଯାଉଚି ସମୁଦୁଣୀ । ଥା ମା’, ମୁଁ ଯାଉଚି ।

 

କାନ୍ତା— (କୋହରେ) ନନା !

 

ପରଶୁ— ଛି, ମା’ ! ତୁ କାନ୍ଦନା । ତୋ ବୋଉ ପରା ପାଖରେ ଅଛନ୍ତି, ତୋର ଆଉ ଦୁଃଖ କ’ଣ ? ଥା ମା’....

 

(କାନ୍ତା ନମସ୍କାର କଲା । ପରଶୁ ଧୀରେ ଧୀରେ ଚାଲିଗଲେ)

 

ଧୀର ବୋଉ— ଛି, ଏମିତି ପିଲାଙ୍କ ପରି କାନ୍ଦନ୍ତି ! ତୋ ନନା କ’ଣ ଆଉ ଆସିବେ ନାହିଁ ? ହଉ, ଯିବୁଟି ତେଣେ କେତେ କାମ ବାକି ପଡ଼ିଚି । ତୁ ଆଗ ଗଲି, ଫୁଲ ଗଣ୍ଡିଏ ତୋଳିଆଣିବୁ । ମୁଁ ମନ୍ଦିରକୁ ଯିବି ।

 

(କାନ୍ତା ଚାଲିଗଲା ଭିତରକୁ । ଧୀରବୋଉ ପାନ ଭାଙ୍ଗି ବସିଲେ । ରମାବୋଉ ଡାକି ଡାକି ଆସିଲା)

 

ରମାବୋଉ— ମାଉସୀ ! ମାଉସୀ ଅଛ କି ?

 

ଧୀରବୋଉ— କିଏ, ରମାବୋଉ କି ଲୋ ? ଆ, ଆ—

 

ରମାବୋଉ— ତୁମ ସମୁଦି କୁଆଡ଼େ ଆସିଥିଲେ ପରା ! କ’ଣ ଗଲେଣି ?

 

ଧୀରବୋଉ— ହଁ, ଏଇତ ଗଲେ ।

 

ରମାବୋଉ— କ’ଣ ସବୁ ଆଣିଥିଲେ ମ ?

 

ଧୀରବୋଉ— କ’ଣ ଆଉ ଆଣନ୍ତେ ? ଗୋଟିଏ ବୋଲି ଝିଅ, ସବୁ ତା’ରି । ଏଇ ଦବା ନବାଟା କ’ଣ ବେଶି ବଡ଼ କଥା ?

 

ରମାବୋଉ— ହଁ ମ, ତା’ ନୁହେଁ ତ ଆଉ କ’ଣ ? ଦେଲେ ନେଲେ କ’ଣ ଗୁଡ଼ାଏ ବେଶି ହୁଅନ୍ତା ? ଅସଲ ହଉଚି ବୋହୂ । ସେଇଟି ତ ଆମର ଭଲ, ଆଉ ସବୁ କଥାରୁ ଆମକୁ କ’ଣ ମିଳିବ ? ହେଲେ, ଆମର ୟେ ଯୋଉ ଗାଁ ମାଇପେ ନା, ସଜ ଗୋବରରେ ପରା ଅଁ ସେଇ ପକେଇଦେବେ-!

 

ଧୀରବୋଉ— କିଏ କ’ଣ କହୁଥିଲା କି ?

 

ରମାବୋଉ— ଛାଡ଼ ମ ମାଉସୀ ! ସେଥିରୁ ଆମକୁ କ’ଣ ମିଳିବ ?

 

ଧୀରବୋଉ— ମଲା କହୁନୁ, କିଏ କ’ଣ କହୁଥିଲା । ଲୁଚଉଛୁ କାହିଁକି ?

 

ରମାବୋଉ— କିଏ ଆଉ କହିବ ? ଆମ ଗାଁ ମୁଣ୍ଡିଆଳ ସରଦୀ ମା’, ରାଧିବୋଉ । ଦି’ଜଣଯାକ କଥାବାର୍ତ୍ତା ହଉଥିଲେ, ମତେ ଦେଖି ବନ୍ଦ ହେଇଗଲେ । ମୋ କାନରେ ଖାଲି ପଡ଼ିଗଲା...

 

ଧୀରବୋଉ— କ’ଣ ?

 

ରମାବୋଉ— ତୁମ ବୋହୂ କୁଆଡ଼େ ଗୋଟାଏ ବାଉରି ଟୋକା ସାଙ୍ଗରେ ପଳେଇ ଯାଇଥିଲା । ତାକୁ କିଏ ବାଟରୁ ଧରି ଆଣି ତୁମ ଘରେ ଛାଡ଼ିଦେଇ ଯାଇଚି !

 

ଧୀରବୋଉ— ଏ କଥା ରାଧିବୋଉ କହୁଥିଲା ?

 

ରମାବୋଉ— ତୁମେ କ’ଣ ତାକୁ ପଚାରିବ କି ମାଉସୀ ! ସେ ମତେ କଞ୍ଚା ଖାଇଯିବ । ତୁମେ ତା’ କଥା ଜାଣିନା ?

 

ଧୀରବୋଉ— ନାଇଁ, ନାଇଁ-ସେ ମୋ ବୋହୂ ନାଁ’ରେ ଲଗେଇ କହିବାକୁ କିଏ ? ସେ ଦେଖିଥିଲା–ମୋ ବୋହୂ ବାଉରି ଟୋକା ସାଙ୍ଗରେ ଆସିଥିଲା ? ତା’ ଘରର ଗୁମର ଯଦି ଏଇନେ ଫିଟେଇବି ନା...

 

ରମାବୋଉ— ତୁମ ଗୋଡ଼ତଳେ ପଡ଼ୁଚି ମାଉସୀ ! ତୁମେ ଏ କଥା ମୋଟେ ଉଠାଅ ନାହିଁ । ରମା ବାପା ଶୁଣିଲେ ମତେ ମାରି ପକେଇବେ ।

 

ଧୀରବୋଉ— ଆଚ୍ଛା, ଆଜି ମୁଁ କିଛି କହୁନି । ଆଉ କେବେ ଯଦି ଶୁଣେ, ତା’ ସାଙ୍ଗରେ ମୋର କଥାବାର୍ତ୍ତା ।

 

ରମାବୋଉ— ମୁଁ ନିଆଁଲାଗି କ’ଣ ପାଇଁ ଆସିଥିଲି । ମୋ ମୁହଁରେ ନିଆଁ ଲାଗିବାକୁ କାହିଁକି ଏ କଥା କହିଲି କେଜାଣି.....

 

ଧୀରବୋଉ— ମଲା, ତୁ ତ ଯାହା ଶୁଣିଲୁ ତା’ କହିଲୁ । ତୋର କ’ଣ ଅଛି ? ହଁ, କାହିଁକି ଆସିଥିଲୁ କହିଲୁ ?

 

ରମାବୋଉ— ନାଇଁ ମ, ଏ ରମା ବାପା ଖାଇସାରି ବସିଚନ୍ତି । ପାନପତର ଦି’ଟା ପାଇଁ ଆସିଥିଲି....

 

ଧୀରବୋଉ— (ପାନ ଦେଇ) ହଉ ନେ । ପଛରେ ଆସିବୁ କଥାବାର୍ତ୍ତା ହବା । (ରମାବୋଉ ଯାଉ ଯାଉ ଫେରି)

 

ରମାବୋଉ— ଛାଡ଼ ମ ମାଉସୀ ! ସେମାନେ ଶିରୀ ଦେଖିନପାରି ଏମିତି କହୁଛନ୍ତି । ହେଲେ, ତୁମ ବୋହୂ ତ ମାଛି କି ମ କହିବାବାଲୀ ନୁହଁ । ଏତେଦିନ ହେଲା ଆସିଲାଣି...ରମା ବାପା କହୁଥିଲେ–ମୁଁ ଏତେଥର ତାଙ୍କ ଘରକୁ ଯାଇଚି, ତାଙ୍କ ବୋହୂ କାଳୀ କି ଗୋରୀ ମୁଁ ଦେଖିନାହିଁ । ଭାରି ଭଲ ପିଲାଟିଏ । ପର ଝିଅ ନାଁ’ରେ ଏମିତି ଉଡ଼େଇ କହିଲେ ତାଙ୍କର କ’ଣ ମଙ୍ଗଳ ହବ ?

 

ଧୀରବୋଉ— ହଉ, ହଉ, ତୁ ଯା । ମୁଁ ଆଉ ଥରେ କାହା ମୁହଁରୁ ଶୁଣେ..ତା’ ସପ୍ତପୁରୁଷ ଉଝାଳି ନ ଦେଇଚି...ମୋ ନାଁ ନାହିଁ ।

 

ରମାବୋଉ— ମାଉସୀ ! ମୋ ନାଁ କହିବ ନାହିଁ । ତୁମକୁ ମୋ ରାଣ । ମୁଁ ଯାଉଚି । (ପ୍ରସ୍ଥାନ)

 

(ଟିକିଏ ପରେ ଅନାଦିର ପାଟି ଶୁଭିଲା)

 

ଅନାଦି— ମାଉସୀ, ଘରେ ଅଛ ?

 

ଧୀରବୋଉ— କିଏ, ଅନାଦି କିରେ ? ଆରେ ଆ, ଆ—

 

ଅନାଦି— (ଆସି) ନମସ୍କାର ମାଉସୀ !

 

ଧୀରବୋଉ— ବୁଢ଼ାଟିଏ ହେଇଥା ପୁଅ । ଆଜି ଇଆଡ଼େ କେମିତି ମନେପଡ଼ିଗଲା କିରେ ?

 

ଅନାଦି— ନାଇଁ, ଏଇ ମାମୁଁଙ୍କର ଜମିବାଡ଼ି ସବୁ ମାପଚୁପ ହଉଚି ଯେ, ଆସିଚି । ପାଖରେ ନ ରହିଲେ ସେଟଲେମେଣ୍ଟବାଲା ମାପଚୁପରେ ଗୋଳମାଳ କରିଦେଇପାରନ୍ତି ।

 

ଧୀରବୋଉ— ହଁରେ ପୁଅ, ମୁଁ ବି ଖଣ୍ଡିଏ ଲେଖା ପାଇଚି । ପଟ୍ଟା ପାଉତି ନେଇ ହାକିମଙ୍କୁ ଦେଖାକରିବା ପାଇଁ ପିଆଦା କହିଯାଇଚି । ଶୁଣୁଥିଲି, ଖଜଣା ବଢ଼େଇବେ ବୋଲି କୁଆଡ଼େ ଏତେ ସବୁ ମାପଚୁପ ହଉଚି ? କି ନିଆଁ ପାଉଁଶ କାଳ ହେଲା କେଜାଣି, ଏଣିକି ଗାଡ଼ି, ଘରବାଡ଼ି ଉପରେ ବି ଟିକସ ପଡ଼ିଲାଣି !

 

ଅନାଦି— ଏ ସର୍ବଗିଳା ସରକାରକୁ ପରା କିଛି ଅଣ୍ଟିବ ନାହିଁ । ଏମିତିକି ଶେଷରେ ନିଆଁ, ପାଣି, ପବନ ଉପରେ ବି ଟିକସ ଲାଗିଯିବ ।

 

ଧୀରବୋଉ— ଲାଗିବନି ? ଏସବୁ ତୁମରିମାନଙ୍କ ପାଇଁ ହଉଚି ।

 

ଅନାଦି— ଆମମାନଙ୍କ ପାଇଁ ?

 

ଧୀରବୋଉ— ନୁହଁ ? ହଇରେ, ତୁମେସବୁ ସିନା ସେ ବାରିକ ବୁଢ଼ାକୁ ଭୋଟ ଦେଇ ବଡ଼ କରିବାରୁ ଏତେ ସରି ହେଲା ! ତା’ ନହେଲେ କୋଉ କାଳେ ଏ ଟିକସ କଥା ଶୁଣା ଥିଲା ? ଦେଖିବୁ ରହ, ଏଣିକି ମୁହଁ ଖୋଲା କଥାପଦେ କହିବାକୁ ଟିକସ ଲାଗିବ ।

 

ଅନାଦି— ହଉ, ଛାଡ଼ ସେ କଥା । ଆଉ ସବୁ ଭଲ ତ ମାଉସୀ ! କାନ୍ତା କେମିତି ଅଛି ?

 

ଧୀରବୋଉ— ଭାରି ଭଲ ଝିଅଟିଏରେ ବାପ ! ଦଇବ ସିନା ତା’ ସୁଖ ସହିଲା ନାହିଁ !

 

ଅନାଦି— ୟା ଆଉ କହିବାକୁ ଅଛି ? ତା’ ଭଳିଆ ଝିଅଟିଏ ସେ ପାଖ ଅଞ୍ଚଳରେ କେହି ନାହିଁ । ସବୁ ବିଷୟରେ ଭଲ ଯେ, ହେଲେ....

 

ଧୀରବୋଉ— ହେଲେ ଆଉ କ’ଣ ?

 

ଅନାଦି— ନାଇଁ ମ, ଥାଉ । ମୁଁ କାହିଁକି ସେଗୁଡ଼ାକ କହି ତୁମ ମନରେ କଷ୍ଟ ଦେବି ? ତୁମେ ବଳେ ଜାଣିବ ନାହିଁ ଯେ ?

 

ଧୀରବୋଉ— କ’ଣ କହୁନୁ ?

 

ଅନାଦି— କଥା ତ ଆଉ ସବୁଦିନ ପାଇଁ ଲୁଚି ରହିବ ନାହିଁ । …ହେଲେ, ମୁଁ କ’ଣ କହୁଥିଲି କି, ୟେ ବୁଢ଼ୀ କାଳକୁ ତୁମେ କାହିଁକି ଏ ଭୁଲ୍ କରି ବସିଲ ?

 

ଧୀରବୋଉ— ଆରେ, ମୁଁ କ’ଣ ଭୁଲ୍ କଲି ?

 

ଅନାଦି— (ଚାରିଆଡ଼କୁ ଚାହିଁ) କାନ୍ତା କାହିଁ ?

 

ଧୀରବୋଉ— ଯାଇଚି ଫୁଲ ତୋଳିବାକୁ ।

 

ଅନାଦି— ଆଚ୍ଛା, ମାଉସୀ ! ସେଦିନ ରାତିରେ କାନ୍ତା ସାଙ୍ଗରେ ସେ ଯୋଉ ବାଉରି ଟୋକାଟା ଆସିଥିଲା, ସେ ଗଲା କୁଆଡ଼େ ?

 

ଧୀରବୋଉ— ସେ କଥା କହନା ବାପ । ଭାଗ୍ୟ ଭଲ ଥିଲା ବୋଲି ସବୁ ଲୁଚିଗଲା । ତା’ ନହେଲେ...

 

ଅନାଦି— କ’ଣ ତୁମେ କହୁଚ ମାଉସୀ !

 

ଧୀରବୋଉ— ମୁଁ ପରା ସବୁ କଥାକୁ ଚାପି ରଖିଲି । କ’ଣ କରିବି କହିଲୁ ? ଯେତେହେଲେ ମୋ ଘରର ବୋହୂଟା । ତା’ ନିନ୍ଦା କ’ଣ ମୋ ନିନ୍ଦା ନୁହେଁ ? ବୁଦ୍ଧିଆ ପୁଅ ହେଇତ ବାପ ଅଜା ନାଁ ପକେଇଲା । ଆଉ ତା’ ସାଙ୍ଗକୁ ବୋହୂଟା ଯଦି ଇମିତି ହୁଏ, ମୁଁ ଆଉ ମୁହଁ ଦେଖାଇପାରିବି ?

 

ଅନାଦି— ତୁମେ ସିନା ମାଉସୀ, ଆପଣାର ଭାବି ଏତେ ବଡ଼ କଥାଟାକୁ ଲୁଚେଇଦେଲ, ହେଲେ...ଦୁନିଆଁଟା ଏତେ ସହଜ ନୁହେଁ ମାଉସୀ ! ତୁମେ ପ୍ରତି କଥାରେ ସରଳ ହେଲେ ଠକିଯିବ-

 

ଧୀରବୋଉ— କୋଉ କଥା ତୁ କହୁଚୁ ?

 

ଅନାଦି— ତୁମରି ବୋହୂ କଥା । ଆଚ୍ଛା, କହିଲ ମାଉସୀ ! ସେଦିନ ରାତି ଅଧରେ ସେ ବାଉରି ଟୋକାକୁ ଧରି କାହିଁକି ଆସିଲ ? ଆଉ କ’ଣ ଗାଁରେ କେହି ନଥିଲେ ?

 

ଧୀରବୋଉ— ତାକୁ ପରା କୁଆଡ଼େ ଗାଁବାଲା ଜବରଦସ୍ତି ବାହା କରି ଦେବାକୁ ବସିବାରୁ ସେ ପଳେଇ ଆସିଲା !

 

ଅନାଦି— (ହସି) ତେବେ ବାହାଘରକଥା ଏଠି କହିଚି ? ହଉ ହେଲା । ତୁମେ କହିଲ, ବାପ ଝିଅଙ୍କର ମନ ନ ଥିଲେ ଜବରଦସ୍ତି ଗାଁବାଲା ବାହାଘର କରିଦେବେ ? ତାଙ୍କର ଏତେ ସାହସ ହବ-?

 

ଧୀରବୋଉ— ହଁ, ସତ କଥା ତ ! ତେବେ କ’ଣ ହେଲା ?

 

ଅନାଦି— ତା’ ଭିତରେ କଥା ଅଛି ।

 

ଧୀରବୋଉ— କଥା ଅଛି ! କ’ଣ କଥା ଅଛି ?

 

ଅନାଦି— ତୁମେ...କିଛି ଜାଣିନା ?

 

ଧୀରବୋଉ— ନାଇଁରେ ପୁଅ, ମୁଁ ଏତେ ଛନ୍ଦମନ୍ଦରେ ପଶିପାରେ ନାହିଁ ।

 

ଅନାଦି— ସେଇଥିପାଇଁ ମୁଁ କହୁଚି...ତୁମେ ଠକିଯିବ । ଆଗରୁ ହୁସିଆର ନହେଲେ, ୟେ ବୁଢ଼ୀ ଦିନେ ଝୁଲାମୁଣି ଧରି ୟା ଦୁଆର, ତା’ ଦୁଆର ହେଇ ବୁଲୁଥିବ ।

 

ଧୀରବୋଉ— କଥାଟା କ’ଣ...ମତେ କହୁନୁ କାହିଁକି ?

 

ଅନାଦି— କଥା କ’ଣ କି ମାଉସୀ, ଏଠିକି ଆସିବାକୁ ଗାଁବାଲା ଯେତେ ବୁଝେଇ ସୁଝେଇ କହିଲେ ସେ ତ ମଙ୍ଗିଲା ନାହିଁ, କହିଲା— ମୁଁ ବାହାହେବି । ବାହାଘର ପ୍ରସ୍ତାବ ବି ପକ୍କା ହେଇଗଲା । ଏଇ ଗଲା ପୂର୍ଣ୍ଣିମା ଦିନ ତା’ର ବିବାହ ହେଇଥାଆନ୍ତା । ହେଲେ, ବାପ ଝିଅ ଫୁସୁର ଫାସର ହେଇ ମସୁଧା କଲେ କେଜାଣି, ବାହାଘରଟାକୁ ଆଉ ବର୍ଷକ ପାଇଁ ଗଡ଼ାଇଦେଇ ଏଠିକି ଚାଲିଆସିଲା ।

 

ଧୀରବୋଉ— କାହିଁକି ?

 

ଅନାଦି— କାହିଁକି କ’ଣ, ଏ ସମ୍ପତ୍ତି ହାତ କରି ନବ ବୋଲି । ବାହା ହେଇଗଲେ ଏ ସମ୍ପତ୍ତି ତ ଆଉ ସେ ପାଇପାରିବ ନାହିଁ; ତେଣୁ ଆଗରୁ ବାଟ ସଫା କରିନଉଚି ।

 

ଧୀରବୋଉ— ତୁ ସତ କହୁଛୁ ଅନାଦି ?

 

ଅନାଦି— ମୁଁ ପରା ନିଜ କାନରେ ସବୁ କଥା ଶୁଣିଚି ! ପରଶୁ କକେଇ ତେଣେ ଓକିଲ ପରାମର୍ଶ କରି, ଝିଅକୁ ଶିଖେଇବ ବୋଲି ଏଠିକି ଆସିଥିଲା । ମୁଁ ଯେମିତି ଶୁଣିପାରିଲି, ସାଙ୍ଗେ ସାଙ୍ଗେ ଏଠିକି ଚାଲିଆସିଲି । ଦେଖିଲି, ମାଉସୀ ତ ହୁଣ୍ଡୀଟା କିଛି ବୁଝିପାରିବ ନାହିଁ । ଲେଡ଼ି ଗୁଡ଼ ଯଦି କହୁଣୀକୁ ବୋହିଯିବ ନା, ସେତେବେଳେ ହାତ ପାପୁଲିରେ ଲୁହ ପୋଛୁ ପୋଛୁ ଦିନ ସରିବ ନାହିଁ ।

 

ଧୀରବୋଉ— ହଇରେ, ୟା ଭିତରେ ଏତେ କଥା ? ଏ ମଉନ ମୁହୀଁ ପେଟରେ ଏତେ କଥା ? ଆଚ୍ଛା ହଉ, ଆଜି ସେ ଛତରଖାଇକି ତଣ୍ଟିଆ ମାରି ଘରୁ ବାହାର କରିଦେବି । କୋଉ ବାପ ଆସି ତା’ ପିଠିରେ ପଡ଼ିବ ଦେଖିବି ।

 

ଅନାଦି— ଆହା-ହା, ତା’ କରିବ ନାହିଁ ମାଉସୀ ! ସବୁ କଥା ଭଣ୍ଡୁର ହେଇଯିବ । ସେ ତ ଆମ ହାତ ମୁଠାରେ ଅଛି, କ’ଣ ବଳେଇଯିବ ? ତୁମେ ଖାଲି ନଜର ରଖିଥିବ, ସେ ଯେମିତି କୌଣସି କାଗଜରେ ତା’ ନନାକୁ ଦସ୍ତଖତ୍ ନଦିଏ । ଆଉ ମାସେ ଦି’ମାସ ରହିଲେ, ଓଲଟି ଆମେ ତାଠୁଁ କାଗଜପତ୍ର କରେଇନେଇ ସିଧା ବାଟ ଦେଖେଇଦବା ।

 

ଧୀରବୋଉ— ବାପ, ତୁ ଯଦି ଏତିକିବେଳେ ସାହା ନ ହବୁ, ଏ ବୁଢ଼ୀଟା ଭାସିଯିବ ।

 

ଅନାଦି— ତୁମେ କିଛି ଚିନ୍ତା କରନା ମାଉସୀ, ମୁଁ ବଞ୍ଚି ଥାଉଥାଉ ତା’ କଦାପି କରେଇଦେବି ନାହିଁ । ହଁ, ଗୋଟିଏ କଥା, ମୁଁ ଯେତେବେଳେ ଯାହା କହିବି— ତୁମେ କରିବ ।

 

ଧୀରବୋଉ— ମୁଁ ତତେ କଥା ଦଉଚି ପୁଅ, ତୁ ଯାହା କହିବୁ ମୁଁ ତା’ କରିବି ।

 

ଅନାଦି— ଆଉ ଗୋଟିଏ କଥା । କାନ୍ତା ଯେମିତି ଏସବୁ କଥାର ଇସାରା ନ ପାଏ । ସେ ଯଦି ଜାଣିଯିବ ନା, ସବୁ ଭଣ୍ଡୁର ହେଇଯିବ । (ଏତିକିବେଳେ ଭିତରୁ କାନ୍ତା ଡାକିଲା)

 

କାନ୍ତା— ବୋଉ ! ବୋଉ !

 

ଅନାଦି— ମାଉସୀ, ହେଇଟି କାନ୍ତା ଆସିଗଲା । ମୁଁ ଯାଉଚି । (ଯାଉ ଯାଉ) ମୁଁ ଯାହା କହିଚି....(ପ୍ରସ୍ଥାନ)

 

ଧୀରବୋଉ— ହଁ, ତୁ ଯା । ଏ ମଉନମୁହୀଁ ପେଟରେ ଏତେ କଥା ? ହଉ ରହଲୋ ଝିଅ, ତୁ ଡାଳେ ଡାଳେ ଗଲେ ମୁଁ ପତରେ ପତରେ ଯିବି ।

 

କାନ୍ତା— (ଆସି) ବୋଉ, ଔଷଧ ଖାଇବ ଆସ ।

 

ଧୀରବୋଉ— ମୁଁ କିଛି ଖାଇବି ନାହିଁ ।

 

କାନ୍ତା— କାହିଁକି, କ’ଣ ହେଲା ବୋଉ ?

Unknown

 

ଧୀରବୋଉ— ତୋର ଏତେ କଥାରେ କ’ଣ ଅଛି ? ମୁଁ ତ କହିଲ ଖାଇବି ନାହିଁ ।

 

କାନ୍ତା— ବୋଉ ! ତୁମ ଦେହ ପରା ଭଲ ନାହିଁ ?

 

ଧୀରବୋଉ— ସତେ ! ମୋ ଦେହ ପାଇଁ ତୋର ଏତେ ଦରଦ ? ମରିଯାଉଥାଏଁ କି... କ’ଣ ଆଉ କହନ୍ତି ତତେ ! (ଚାଲିଗଲେ)

 

କାନ୍ତା— ବୋଉ ! (ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା)

 

ଦ୍ୱିତୀୟ ଦୃଶ୍ୟ

 

-ହମିଦଙ୍କ ଅଳିନ୍ଦ-

(କଥାବାର୍ତ୍ତା ହୋଇ ଆସିଲେ ମି:ରୋଜି ଓ ହାସିନା ବେଗମ୍)

 

ରୋଜି— ପୁଅର କିଛି ଅସୁବିଧା ହବ ନାହିଁ । ମୁଁ ମଝିରେ ମଝିରେ ଆସି ଦେଖି ଯାଉଥିବି । ମା’ ନ ଥାଇ କ’ଣ ପିଲା ନାହାନ୍ତି ? ମା’ ଥିଲେ ଯେ ପିଲା ବଞ୍ଚିରହିବ, ୟା’ର କିଛି ମାନେ ନାହିଁ । ଜନ୍ମ ମରଣ ହଉଚି ମଣିଷ ଶକ୍ତିର ବାହାରେ ।

 

ହାସିନା— ଠିକ୍ କହିଚନ୍ତି । ସବୁ ଆଲ୍ଲାଙ୍କ ବରାଦ । ଏଡ଼େ ସୁନ୍ଦର ପୁଅକୁ ଛାଡ଼ି କ୍ଷମା ଚାଲିଗଲା । ତାକୁ ତ କେହି ରୋକି ପାରିଲେ ନାହିଁ । ଆଜି ପୁଅର ଏକୋଇଶା । ତା’ ଗୋଡ଼ ତଳେ ଲାଗୁନଥାନ୍ତା । ସେ କହିଥିଲା— ମୋର ପୁଅ ହେଲେ ଏକୋଇଶା ଦିନ ତୁମେ ତାକୁ କୋଳରେ ଧରି ନାଁ ଦବ । ହେଲେ କଥା ରହିଗଲା...ମଣିଷ ନାହିଁ ।

 

ରୋଜି— ଛାଡ଼ନ୍ତୁ, ଗଲା କଥାକୁ ଭାବି ଲାଭ କ’ଣ ? ଯିଏ ଯାଇଚି ସେ ଆଉ ଫେରିବ ନାହିଁ । ଯାହାକୁ ଛାଡ଼ିଯାଇଚ, ସେ କେମିତି ମଣିଷ ହବ ତାର ବ୍ୟବସ୍ଥା କରନ୍ତୁ ।

 

ହାସିନା— ହଁ, ରୋଜି ଦେବୀ ! ସେ ମୋର ଏକ ବିରାଟ କର୍ତ୍ତବ୍ୟ । ମୋର ଯାହା କରିବା କଥା ମୁଁ କରିବି । ତେଣିକି ତା’ ଭାଗ୍ୟରେ ଯାହା ଥିବ । (ହମିଦ ଆସିଛନ୍ତି)

 

ହମିଦ— ହ୍ୟାଲୋ ଡକ୍ଟର ! ଗୁଡ଼ମର୍ଣ୍ଣିଂ ।

 

ରୋଜି— ମର୍ଣ୍ଣିଂ ।

 

ହମିଦ— କ’ଣ ନିମନ୍ତ୍ରଣ ପାଇଚନ୍ତି ତ ?

 

ରୋଜି— ହଁ, ପାଇଚି ।

 

ହମିଦ— ଆପଣ କିନ୍ତୁ ନିଶ୍ଚୟ ଆସିବେ ।

 

ରୋଜି— ଆସିବ ନିଶ୍ଚୟ । ତେବେ ଡାକ୍ତରୀ ବ୍ୟବସାୟ, କେତେବେଳେ ଯଦି ଅର୍ଜେଣ୍ଟ କଲ୍ ଆସି ପହଞ୍ଚିଯାଏ....

 

ହାସିନା— ନା, ନା— ସେ କଥା ଆମେ ଶୁଣିବୁନି । ଯେତେ ରାତି ହଉ, ନିଶ୍ଚୟ ଆସିବେ । ଆମେ ଅପେକ୍ଷା କରିଥିବୁ ।

 

ରୋଜି— ଆଚ୍ଛା, ଆଚ୍ଛା— ନିଶ୍ଚୟ ଆସିବି । (ଚାଲିଗଲେ)

 

ହାସିନା— କ’ଣ ସବୁ ନିମନ୍ତ୍ରଣପତ୍ର ଦିଆ ସରିଲା ?

 

ହମିଦ— ହଁ । ଆମ Staff ଛଡ଼ା ବାହାରର ଚାରି ଛ’ଜଣଙ୍କୁ ଦେଇଚି ।

 

ହାସିନା— ତୁମେ ପରା ଶହେ ନା ଦେଢ଼ଶ ଲୋକଙ୍କୁ ନିମନ୍ତ୍ରଣ କରିବ ବୋଲି ତାଲିକା କରିଥିଲ ?

 

ହମିଦ— ହଁ । ସମସ୍ତେ କିନ୍ତୁ ମନାକଲେ । ମା’ ଛେଉଣ୍ଡ ପିଲା, ଏତେ ଆଡ଼ମ୍ୱର କରିବା ଠିକ୍ ନୁହେଁ । ବିଧି ଅନୁସାରେ ଯାହା କିଛି କରିବା କଥା, ଭାବିଚି ଆର ବର୍ଷର ଏ ଦିନକୁ ଏହି ଅବସ୍ଥା ଥିଲେ ଭଲ ଆକାରରେ କିଛି କରିବା ।

 

ହସିନା— ହଉ, ତୁମ ଇଚ୍ଛା, ଯାହା କରୁଚ କର । (ଯାଉଥିଲା)

 

ହମିଦ— ଏମିତି ମୁହଁ ଶୁଖେଇ ଚାଲିଯାଉଚ ଯେ ?

 

ହାସିନା— ନା...ତୁମେ ଟିକେ ଯିବଟି ପୁରୋହିତଙ୍କୁ ଡାକିଦବ ।

 

ହମିଦ— ପୁରୋହିତ ଆଉ କ’ଣ କରିବେ ? ମୁଁ ମନ୍ଦିରକୁ ଟଙ୍କା ପଠେଇ ଦେଇଚି । ବିଧି ଅନୁସାରେ ଯାହାସବୁ କରିବା କଥା, ସେମାନେ କରିବେ । ଏଇଠି କେବଳ ପ୍ରୀତିଭୋଜନଟା ହବ ।

 

ହାସିନା— ଓ, ମୋର ଭୁଲ୍ ହେଇଚି । ଆମେ ମୁସଲମାନ, ସେ ହିନ୍ଦୁ ।

 

ହମିଦ— ଧୀରର କିନ୍ତୁ ସେ ଭେଦ ବିଚାର ନାହିଁ । ତେବେ...

 

ହାସିନା— ବୁଝିଚି, ଏହି ଧର୍ମ କେବଳ ମୋ ଚଲାବାଟରେ ପ୍ରତିବନ୍ଧକ ହୋଇ ଠିଆ ହେବ । ତଥାପି ମୁଁ ମଣିଷ । ମଣିଷଛୁଆକୁ ମୁଁ ପାଳୁଚି । ଏଥିରେ କାହାରି କିଛି କହିବାର ନାହିଁ ।

 

ହମିଦ— ଓଃ, କିଏ ତୁମକୁ କହିବାକୁ ଯାଉଚି ? ତୁମ କାମ ତୁମେ କର । କହିଲାବାଲା ଅନେକ, କଲାବାଲା କେହି ନାହିଁ । ଛାଡ଼, ହଁ ଶୁଣିଚ, ଚାଚା ଚିଠି ଦେଇଚନ୍ତି, ସେ ଆସିପାରିବେ ନାହିଁ ।

 

ହାସିନା— କାହିଁକି ?

 

ହମିଦ— ତାଙ୍କ ଦେହ ଭଲ ନାହିଁ । ସେ ପରେ ଆସିବେ । (ରାମ ସିଂ ଆସିଛି)

 

ରାମ ସିଂ— ସାର୍, ହରିବାବୁ ଚିଠି ଦେଇଚନ୍ତି । (ଚିଠି ଦେଇ)

 

ହାସିନା— ରାମ ସିଂ ! ତୁମେ ଯିବଟି, ଭିତରେ ଚୌକି ସବୁ ସଜାସଜି କରିଦେବ ।

 

ରାମ ସିଂ— ଆଜ୍ଞା ! (ଭିତରକୁ ଗଲା)

 

ହାସିନା— (ଚିଠି ପଢ଼ୁଥିବା ହମିଦ ପ୍ରତି) କ’ଣ ସେ ?

 

ହାମିଦ— ଧୀରର ଚାକିରି ଯାଇଚି ।

 

ହାସିନା— ଚାକିରି ଯାଇଚି ?

 

ହମିଦ— ଆଉ କ’ଣ ଯା’ନ୍ତା ନାହିଁ ? ଅଫିସ ତ ଆଟେଣ୍ଡ୍ କରିବ ନାହିଁ, ଚାକିରି ରହିବ କେମିତି ? ପ୍ରାଇଭେଟ୍ କମ୍ପାନୀ ବୋଲି କ’ଣ ଇଚ୍ଛା ଅନୁସାରେ କାମ କରିବ ?

 

ହାସିନା— ହଁ, ଚାକିରି ଯାଇଚି ଭଲ ହେଇଚି । ଏଣିକି ସେ ଗାଁକୁ ଯା’ନ୍ତୁ ।

 

ହମିଦ— ଗାଁ’କୁ ?

 

ହାସିନା— ହଁ, ଗାଁରେ ତାଙ୍କର କିଛି ଅଭାବ ନାହିଁ । ଏଣିକି ନିଜର ସମ୍ପତ୍ତିବାଡ଼ି ଦେଖାଶୁଣା କରନ୍ତୁ-। ତୁମେ ପରା କହୁଥିଲ, କାନ୍ତା କୁଆଡ଼େ ଆସି ତାଙ୍କ ଘରେ ଅଛି ? (ଭିତରୁ ରାମ ସିଂ ଆସି)

 

ରାମ ସିଂ— ମା’ ! ପୁଅ ଉଠିଲାଣି, ଯା’ନ୍ତୁ ।

 

ହାସିନା— ଉଠିଲାଣି ? ଆଚ୍ଛା, ଆଚ୍ଛା, ମୁଁ ଯାଉଚି । (ପ୍ରସ୍ଥାନ)

 

ହମିଦ— ଆଜିର ଡାକ ଆସିଗଲାଣି ?

 

ରାମ ସିଂ— ହଁ ସାର୍ ! ଆପଣଙ୍କ ଟେବୁଲ ଉପରେ ରଖିଦେଇ ଆସିଚି ।

 

ହମିଦ— ଆଚ୍ଛା, ମୁଁ ଡାକ ଦେଖି ଆସୁଚି । ତୁମେ ଏଠି ଥାଅ-କେହି ଯଦି ଆସେ, ଅପେକ୍ଷା କରିବାକୁ କହିବ (ଚାଲିଗଲେ)

 

ହାସିନା— (ପ୍ରବେଶି) ରାମ ସିଂ ! ବାବୁ କୁଆଡ଼େ ଗଲେ ?

 

ରାମ ସିଂ— ଥାନାକୁ ।

 

ହାସିନା— ଥାନାକୁ ? କାହିଁକି ?

 

ରାମ ସିଂ— ଡାକ ଦେଖିବାକୁ ।

 

ହାସିନା— ହଉ ତୁମେ ଯିବଟି, ସେ ପରିଆ ମା’କୁ ଡାକିଦବ । ପୁଅକୁ ଝାଡ଼ିଦବ । ଦୁଷ୍ଟିଆ ହେଇଚି ନା କ’ଣ, ଜମା ଖାଉନି ।

 

ରାମ ସିଂ— ହଉ ମା’, ମୁଁ ଡାକିଦଉଚି । (ଯିବାକୁ ବାହାରିଲା)

 

ହାସିନା— ହଁ, ଶୁଣ । ଧୀରବାବୁଙ୍କ ବସାଆଡ଼େ ଯିବ, ସେ ଯଦି ଆସିଥାନ୍ତି । ସାଙ୍ଗରେ ନେଇଆସିବ ।

 

ରାମ ସିଂ— ହଉ ମା’ । ଏଇ ତ ଧୀରବାବୁ ଆସୁଚନ୍ତି । (ପ୍ରସ୍ଥାନ) (ଧୀର ଆସୁଥିଲେ)

 

ହାସିନା— କି ହୋ ଧୀର, ଆଜି ପରା ପୁଅର ଏକୋଇଶା ! କେତେ ଲୋକ ଆସିବେ; ଅଥଚ ତୁମର ଦେଖା ନାହିଁ ! ତୁମେ ବାପ ଟି ?

 

ଧୀର— ଏକୋଇଶା ! ଏକୋଇଶା ହୁଏ ହିନ୍ଦୁ ଛୁଆର । କିନ୍ତୁ....

 

ହାସିନା— ଧୀର !

 

ଧୀର— ମୁଁ ସତ କହୁଚି ଭାଉଜ, ସେ ପୁଅ ହିନ୍ଦୁ ନୁହେଁ । ହିନ୍ଦୁ ସମାଜ ତାକୁ ଗ୍ରହଣ କରିବ ନାହିଁ । କାରଣ ଆମ ସମାଜ ଆଖିରେ ମୁଁ ଭ୍ରଷ୍ଟ, ପତିତ.....

 

ହାସିନା— ଓଃ, ବନ୍ଦକର ଧୀର ! ଦେଖୁଚି, ତୁମେ ପାଗଳ ହେଇଯିବ ।

 

ଧୀର— ହଁ ଭାଉଜ, ମୁଁ ପାଗଳ ହେଇଯିବି । ଏଇ ହିନ୍ଦୁସମାଜ ମତେ ପାଗଳ କରିଦେବ । ମୋର ଅପରାଧ, ମୁଁ ଯାହାକୁ ଭଲପାଇଚି ତାକୁ ବିବାହ କରିଚି, ମୁସଲମାନ ଘରେ ଖାଇଚି ।

 

ହାସିନା— ମଣିଷ, ମଣିଷ ଘରେ ଖାଇଲେ କ’ଣ ଜାତି ଚାଲିଯାଏ ?

 

ଧୀର— ମଣିଷ ! କିଏ ମଣିଷ ? କାହାକୁ ତୁମେ ମଣିଷ ବୋଲି କହୁଚ ? ଦୁନିଆରେ ମଣିଷର ଯଦି ଟିକିଏ ଅସ୍ତିତ୍ୱ ଥାନ୍ତା, ତାହେଲେ ମଣିଷର ସମାଧି ପରି ଏ ଜାତି, ଧର୍ମ, ସମାଜର ସୃଷ୍ଟି ହୁଅନ୍ତା ନାହିଁ ।

 

ହାସିନା— ଦିନେ ସେ ସୃଷ୍ଟିର ବିନାଶ ହବ ଧୀର ! ସେ ବିଶ୍ୱାସ ମୋର ଅଛି ।

 

ଧୀର— ବଡ଼ ଆଶାବାଦୀ ତୁମେ ଭାଉଜ !

 

ହାସିନା— କାରଣ ମୁଁ ମଣିଷ । (ହମିଦ୍ ଆସିଚନ୍ତି)

 

ହମିଦ— କିହୋ ଧୀରବାବୁ, କ’ଣ ଗସ୍ତରୁ ଫେରିଲ ? ହଉ, ନିଅ ତୁମ ପ୍ରଶଂସାପତ୍ର । (ଅର୍ଡ଼ର ଦେଲେ)

ଧୀର— (ଦେଖି) ମୁଁ ଜାଣିଚି ।

ହମିଦ— ଭଲ କରିଚ, ଖୁବ୍ ଖୁସିକା ବାତ୍ । ଇଡ଼ିଅଟ୍ କୋଉଠିକାର ! ଆଜିକାଲି ଯୁଗରେ ଚାକିରି ପାଇବା କାଠିକର ପାଠ । ଅଥଚ...

ଧୀର— ମୁଁ ଆଉ ଚାକିରି କରିବି ନାହିଁ ।

ହମିଦ— ତାହେଲେ ଗାଁକୁ ଫେରିଯା—

ଧୀର— ଗାଁକୁ ? କିଏ ଅଛି ବୋଲି ଗାଁକୁ ଯିବି ?

ହମିଦ— କାହିଁକି ? ତୋର ଘରଦ୍ୱାରା, ମା’, ସ୍ତ୍ରୀ ସବୁ ଅଛନ୍ତି ।

ହାସିନା— ହଁ ଧୀର, ତୁମେ ଗାଁକୁ ଫେରିଯା । ଦି’ମାସ ହେଲା କାନ୍ତା ଆସି ତୁମ ଘରେ ରହିଚି ।

ଧୀର— ଆମ ଘରେ ଅଛି ?

ହମିଦ— ହଁ । ମୁଁ ତୁମ ଗାଁରୁ ଖବର ନେଇ ବୁଝିଚି, ସେ ତା’ ଶାଶୁ ପାଖରେ ରହିଚି ।

ଧୀର— କିନ୍ତୁ କୋଉ ମୁହଁ ନେଇ ମୁଁ ଗାଁକୁ ଯିବି ?

ହାସିନା— କାହିଁକି, ଯୋଉ ମୁହଁ ନେଇ ତୁମେ ବାହା ହେଇଥିଲ ?

ଧୀର— ନା ଭାଉଜ, ସେ ସାହସ ମୋର ନାହିଁ । ଯାହାର ଜୀବନକୁ ମାଟି ପଥରଠୁଁ ହୀନ କରି ମୁଁ ଗୋଡ଼ରେ ଠେଲିଦେଇଚି, ତାକୁ ଏ ମୁହଁ ଦେଖାଇବି କେମିତି ?

ହମିଦ— ସେ ଯାହାହଉ, ତତେ ଅଲବତ୍ ଯିବାକୁ ହବ ।

ଧୀର— ନା ହମିଦ, ତୁ ମତେ ବାଧ୍ୟ କରନା । ଦୁନିଆଁର ସମସ୍ତ ବନ୍ଧନରୁ ମତେ ମୁକ୍ତ ହେଇ ରହିବାକୁ ଦେ—

ହମିଦ— ଧୀର !

ଧୀର— ହଁ ହମିଦ, ମୁଁ ମୁକ୍ତ ହେଇ ରହିବାକୁ ଚାହେଁ । ତୁ ଆଉ ମତେ ବାଧ୍ୟ କରନା । (ପ୍ରସ୍ଥାନ)

ହମିଦ— ଧୀର ! ଆରେ ଶୁଣିଯା—

ହାସିନା— ସେ କ’ଣ ମାନିବା ଲୋକ.....

ହମିଦ— ତାକୁ ନିଶ୍ଚୟ ମାନିବାକୁ ହବ । ତା’ ନହେଲେ ଆଜି ମୁଁ ଟେଲିଗ୍ରାମ୍ କରି କାନ୍ତାକୁ ଡକାଇ ଆଣିବି ।

ହାସିନା— ଯାହା କରିବା କଥା ପରେ କରିବ, ଆଗ ତୁମେ ତାଙ୍କୁ ଡାକ । ସେ ଚାଲିଗଲେ....

ହମିଦ— ଧୀର ! ଧୀର ! (ପଛେ ପଛେ ଗଲେ)

 

ତୃତୀୟ ଦୃଶ୍ୟ

 

-କାନ୍ତାର ଶାଶୁଘର-

 

(ସାବିତ୍ରୀ ଅମାବାସ୍ୟା ପୂଜା ସାରି କାନ୍ତା ଫେରିଚି । ଘର କାନ୍ଥରେ ଟଙ୍ଗା ହୋଇଥିବା ଧୀରର ଫଟୋ ସାମନାରେ ଠିଆହୋଇ ଅଶ୍ରୁର ନୈବେଦ୍ୟରେ ମନର ବେଦନା ବ୍ୟକ୍ତ କରୁଥିଲେ-।)

କାନ୍ତା— ମୁଁ ଯେ ଆଉ ସହିପାରୁନି । ତୁମେ କ’ଣ ଆଉ ଫେରିବ ନାହିଁ ? କେତେଦିନ ଆଉ ତୁମ ଫେରିବା ବାଟକୁ ଚାହିଁ ରହିବି ? କୁହ, ମୁଁ କ’ଣ ଆଉ ତୁମ ଚରଣ ସେବାର ସୌଭାଗ୍ୟ ଏ ଜନ୍ମରେ ପାଇବି ନାହିଁ ?

(ଏତିକିବେଳେ ଧୀରବୋଉ ଆସିଲେ)

ଧୀରବୋଉ— ଆହା-ହା ଲୋ ମୋ ସତି ! ଏଇନେ ତ ସାବିତ୍ରୀଙ୍କ ଡାକ ଶୁଣି ସତ୍ୟବାନ ଧାଇଁଆସିବେ ? ହାତ୍ ତୋ ମୁହଁ ପୋଡ଼ୁ....

କାନ୍ତା— ବୋଉ !

ଧୀରବୋଉ— ଏତେ ଆଉ ଦେଖେଇହୋନା ମ ! ସେ ତ ଯାଇ ତେଣେ ପଠାଣ ଘରେ ରହିଲା, ଆଉ ତୁ ଭକତି ଦେଖେଇହଉଚୁ କାହାକୁ ? ଏତେ ଯଦି ମନ ଉଚ୍ଛନ୍ନ ହଉଚି, ଯାଉନୁ ସେ ରକ୍ଷିତାର ଦାସୀ ହେଇ ତା’ ଗୋଡ଼ ଘଷିବୁ !

କାନ୍ତା— ବୋଉ, ସବୁବେଳେ ମତେ ଏମିତି କୁହନି ।

ଧୀରବୋଉ— କ’ଣ ବାଧିଯାଉଚି ? ଆହା-ହା, ତୁଚ୍ଛାକୁ ଏତେ ନା ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ? ଗେରସ୍ତ ଯେବେ ଗୁଣର ହେଇଥାଅନ୍ତା ନା, ତୁ ତ ଇନ୍ଦ୍ର-ଚନ୍ଦ୍ର ମାନନ୍ତୁ ନାହିଁ ଲୋ !

କାନ୍ତା— ବୋଉ, ସେ ପରା ତୁମ ପୁଅ !

ଧୀରବୋଉ— ପୁଅ ! କି ପୁଅମ ସେ ? ସେ ପଠାଣଟା ମୋ ପୁଅ କାହିଁକି ହବ ? ଥୁ-ଥୁ-ଥୁ, ତା’ ମୁହଁ ଚାହିଁଲେ ପାପ । (ଫଟକୁ ଓଲଟାଇ) ଏ ଘରେ ତା’ ଛାଇ ପଡ଼ିଲେ ସାତପୁରୁଷ ପାଣି ପାଇବେ ନାହିଁ । ମୁଁ ଫେର ତା’ର ମା’ ହେବି ?

କାନ୍ତା— ତୁମେ ଜନ୍ମ କରିଥିଲେ ଏ କଥା କହିପାରନ୍ତ ?

ଧୀରବୋଉ— କି ଲୋ, ତୁ ତ ଭାରି ବଢ଼ି ବଢ଼ି କଥା କହୁଚୁ ? କୋଉ ଘଇତାର ବହପ ପାଇଚୁ କି-? ମତେ ଚିହ୍ନିଚୁ ଟି ? ଏକା ଗୋଇଠାରେ ମୁହଁ ବଙ୍କା କରିଦେବି । ମତେ କ’ଣ ବୋଲି ପାଇଚୁ କି-?

କାନ୍ତା— ମୁଁ କଣ ତୁମକୁ କହିଲି ଯେ, ମୋ ଉପରେ ଏମିତି ହଉଚ !

ଧୀରବୋଉ— ଆଉ କ’ଣ କହିଥାନ୍ତୁ ? ଆଉ କ’ଣ ହାତ ଉଠେଇ ମାରିଥିଲେ ତୋ ମନ ଶାନ୍ତି ହୁଅନ୍ତା ? ସେଦିନ ସେ ବାଉରି ଟୋକାଟା ସାଙ୍ଗରେ ଚାଲିଯାଇଥିଲେ କଳଙ୍କ ଯାଇଥାନ୍ତା ।

କାନ୍ତା— ବୋଉ !

ଧୀରବୋଉ— ବୋଉ, କିଏଲୋ ତୋ ବୋଉ ? ଛତରଖାଇ ବାଉରାଣୀ, ଛି ତୋ ଜନମ । ତତେ ଟିକିଏ ବିଷ ମିଳିଲା ନାହିଁ ? କୂଅ କି ପୋଖରୀ ପାଇଲୁ ନାହିଁ ଡେଇଁ ପଡ଼ିବାକୁ । ମୁହଁ ହଲେଇ ଫେର କହୁଚି କ’ଣ ନା ବୋଉ !

କାନ୍ତା— ହଁ ବୋଉ, ସେତକ କରିପାରିଲେ ଆଉ କାହାର କିଛି କହିବାକୁ ନଥିବ । ସମସ୍ତେ ସୁଖୀ ହେବ ।

ଧୀରବୋଉ— ମଲା ମୋର ଧମକ ! ତୁ ମରିଗଲେ ଆଉ ସମସ୍ତେ ତୋ ସାଙ୍ଗରେ ଗୋଡ଼େଇ ଯିବେ ପରା ! ତୁ ଯଦି ମରିବୁ, ବାରଦ୍ୱାର ହବ କିଏ ?

କାନ୍ତା— ହଁ ବୋଉ, ଭଗବାନ ମୋ କପାଳରେ ସେଇଆ ଲେଖିଚନ୍ତି । ତା’ ନହେଲେ...

ଧୀରବୋଉ— ଚୁପ୍ । ପାଟି କରନା— ପାଟି କରନା କହୁଚି । ମୁହଁକୁ ମୁହଁ ଯୋଡ଼ି କଥା ନ କହିଲେ ଲୋକ ଜାଣିବେ କେମିତି ? ଯା— ଯା କହୁଚି ।

(ଜୋରରେ ଠେଲିଦେଲେ । ଅନାଦି ଆସିଛି)

ଅନାଦି— ହାଁ— ହଁ— ହାଁ, ୟେ କ’ଣ, ୟେ କ’ଣ ? ହଇହେ ମାଉସୀ, ବୋହୂଟାକୁ ଏମିତି ମାରୁଚ କାହିଁକି ? ଛି, ଛି, ଏଗୁଡ଼ାକ ଲୋକେ ଶୁଣିଲେ କ’ଣ କହିବେ ? (କାନ୍ତାକୁ) ତୁ ଯିବୁଟି କାନ୍ତା ! ଯା, ଭିତରକୁ ଯା— ତୋ ଭାଗ୍ୟରେ ତ ଏଇଆ ଅଛି, ତୁ ଆଉ କ’ଣ କରିବୁ ?

କାନ୍ତା— ଭାଇନା ! (କାନ୍ଦି)

ଅନାଦି— ଓଃ, ତୁ ଆଉ କାନ୍ଦନା । ଯା, ଭିତରକୁ ଯା—

(କାନ୍ତା ଭିତରକୁ ଗଲା)

ଅନାଦି— ମାଉସୀ ! ତୁମକୁ ପରା ସେଦିନ ଏତେ ବୁଝେଇ ଗଲି, ତୁମେ ଶେଷକୁ ଏଇଆ କଲ ? ତା’ ବାପକୁ ଚିହ୍ନିଚଟି ? ସାଙ୍ଗେ ସାଙ୍ଗେ ପୁଲିସ କେଶ୍ କରିଦବ ।

ଧୀରବୋଉ— ମୁଁ ଆଉ କ’ଣ କରିବି ? ଦାଣ୍ଡରେ ବାର ଲୋକଙ୍କ କଥା ଶୁଣି ଶୁଣି ଏ କାନ ଦି’ଟା ପଥର ହେଇଗଲାଣି । କେତେ ସହିବି ?

ଅନାଦି— ତୁମେ ଆଉ ବ୍ୟସ୍ତ ହୁଅନା । ମୁଁ ଆଜି ସବୁ ଠିକ୍‍ଠାକ୍ କରିଦେବି । ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ! ଶୁଣ ମାଉସୀ, ଆଜି ରାତିରେ ପୁରୀ ଯିବାର ବ୍ୟବସ୍ଥା କର । ସେଇଠି ସବୁ କାମ ତୁଟେଇଦବା ।

ଧୀରବୋଉ— ପୁରୀ ! ପୁରୀ କାହିଁକି ଯିବା ?

ଅନାଦି— ସେଇଠି ତାକୁ ଛାଡ଼ିଦେଇ ରାତି ଅଧରେ ଫେରିଆସିବା । ଦିଅଁ ଦର୍ଶନ ହବ, ଏ ପାପଗ୍ରହଟା ବି ଯିବ । ତା’ ନହେଲେ ସେ ଜାଲିଆଣୀ ଟୋକୀକୁ ମୋଟେ ପାରିହବନି । ଓଲଟି ଆମକୁ ପାଠ ପଢ଼େଇଦବ । ୟା ଭିତରେ କ’ଣ ହେଇଚି ଜାଣି ?

ଧୀରବୋଉ— ମୁଁ କେମିତି ଜାଣିବିରେ ପୁଅ !

 

ଅନାଦି— ଶୁଣ, ପରଶୁ କକେଇ ଦି’ଥର କଟକ ଯାଇ ଫେରିଲାଣି । ଧୀରକୁ ଫୁସୁଲାଫୁସୁଲି କଲାଣି । କ୍ଷମା ତ ମରିଗଲା ।

 

ଧୀରବୋଉ— ମରିଗଲା ! କେବେ ?

 

ଅନାଦି— ମଲା, ତୁମେ ଶୁଣିନା ? ପୁଅ ଜନମ କରି ତାର ମରିବାର ମାସେ ହେଇଗଲାଣି । ହେଲେ କଂସ ମାମୁଁର କୃଷ୍ଣ ଭଣଜା ପରି ସେ ପୁଅ ନନ୍ଦଘରେ ବଢ଼ୁଚି । ତାକୁ କୁଆଡ଼େ ତୁମ ଯଶୋଦା ବୋହୂ ପୁଅ କରି ପାଳିବେ ।

 

ଧୀରବୋଉ— ପୁଅ କରି ପାଳିବେ, ସେ ବେଧଛୁଆକୁ ?

 

ଅନାଦି— ତା’ ନହେଲେ ଏ ସମ୍ପତ୍ତି ପାଇବ କେମିତି ? ଦେଖିବ ରୁହ ମାଉସୀ, ତେଲି ତେଲ ଏକା ହେଇଯିବେ, ତୁମେ ପିଡ଼ିଆ ବାଦ୍ ପଡ଼ିଯିବ । ସେଇଥିପାଇଁ ମୁଁ କହୁଚି, ଆଜି ପୁରୀ ଯାଇ ସେ କଳଙ୍କକୁ ଦୂର କରିଦେଇ ଫେରିଆସିବା ।

 

ଧୀରବୋଉ— ସେ କ’ଣ ଯିବ ? ସେ ପରା କହୁଚି— ଏଇଠି ମାଡ଼ ଖାଇ ମରିବ ପଛେ, ହେଲେ ଏ ଘରୁ ଗୋଡ଼ କାଢ଼ିବ ନାହିଁ ।

 

ଅନାଦି— ଆଃ, ତୁମେ ବ୍ୟସ୍ତହୁଅନା । ତାକୁ ଡାକ, ମୁଁ ତାକୁ ସବୁକଥା ବୁଝେଇଦେବି । ଯିବ ନାଇଁ....

 

ଧୀରବୋଉ— ହଉ, ବୁଝା...(ଡାକିଲେ) କାନ୍ତା......କାନ୍ତା...

 

(ବାହାରୁ ଡାକବାଲା ଡାକିଲା— ମାଉସୀ, ମାଉସୀ)

 

ଧୀରବୋଉ— କିଏ ?

 

ଡାକବାଲା— ତାର ଆସିଚି ।

 

ଧୀରବୋଉ— ତାର କୋଉଠୁ ଆସିଲା କିରେ ପୁଅ ! (ବାହାରକୁ) ଗଲେ, ଅନାଦି ପଛେପଛେ ଗଲା । ଭିତରୁ ଆସିଚି କାନ୍ତା)

 

ଅନାଦି— କ’ଣ ଲେଖାହେଇଚି, ବୁଝେଇଦିଅ ।

 

ଡାକବାଲା— ଲେଖାହେଇଚି— ଧୀରବାବୁଙ୍କ ଦେହ ଭୀଷଣ ଖରାପ । କାନ୍ତାକୁ ସାଙ୍ଗରେ ନେଇ ଶୀଘ୍ର କଟକ ଆସ...ହମିଦ୍ ।

 

କାନ୍ତା— (ଚମକି) ଏଁ !

 

ଧୀରବୋଉ— (କହି କହି ଆସିଲେ) ହମିଦ କିଏକିରେ ?

 

ଅନାଦି— ପଠାଣ ହେଇଥିବ । ନାଁ’ରୁ ବୁଝିପାରୁନ ?

 

କାନ୍ତା— ମୁଁ କଟକ ଯିବି, ବୋଉ !

 

ଧୀରବୋଉ— କାହିଁକି ?

 

କାନ୍ତା— ତୁମ ପୁଅ ପରା ଯିବାକୁ ଲେଖିଚନ୍ତି ! ତୁମେ ଯିବନି ?

 

ଧୀରବୋଉ— ମଲା, ମୋର ଆଉ ତ କିଛି କାମ ନାହିଁ, ଏଇନେ କଟକ ଧାଇଁଯିବି ? ଯୋଉ ଗୁଣବନ୍ତ ପୁଅନା... ସେ ମଲେ ଭଲ ।

 

କାନ୍ତା— ବୋଉ ! ଆଜିପରା ଦିନରେ ତୁମେ ସେମିତି କୁହ ନାଇ । ମୁଁ ଯିବି । କେହି ନ ଗଲେ ବି ମୁଁ ଏକା ଯିବି ।

 

ଧୀରବୋଉ— କ’ଣ କହିଲୁ ? ତୁ ଯିବୁ ? ଲାଜ ମାଡ଼ୁନି ତତେ ! ବାହାରିଛୁ ପଠାଣ ଘରକୁ ଯିବାକୁ-?

 

କାନ୍ତା— ସେ ପଠାଣ ହୁଅନ୍ତୁ କି ଯାହା ମୁଁ ଯିବି । ତୁମେ ମତେ ବାଧା ଦିଅନା, ତୁମ ଗୋଡ଼ ଧରୁଚି....

 

ଧୀରବୋଉ— (ରାଗରେ) କାନ୍ତା !

 

ଅନାଦି— ଆଃ, ମାଉସୀ ! ତୁମେ କାହିଁକି ବାଧା ଦଉଚ କହିଲ ? ସେ ଯାଉ । ତୁ ଯା କାନ୍ତା, ତୋ ସ୍ୱାମୀ ବେମାର ପଡ଼ିଚି, ବଞ୍ଚିବ କି ମରିବ ଠିକ୍ ନାହିଁ....

କାନ୍ତା— ନା, ନା— ତୁମେ ସେ ପାପ କଥା ମୁହଁରେ ଧରନା ଭାଇନା ! ଭଗବାନ କରନ୍ତୁ ତାଙ୍କର ଯେମିତି କିଛି ନ ହଉ ।

ଧୀରବୋଉ— ବେଶ୍, ଯିବୁ ଯେବେ ଯା । ହେଲେ, ଆଉ ଏ ଘର ଦୁଆରମୁହଁ ମାଡ଼ିବୁ ନାଇଁ । ସବୁଦିନ ପାଇଁ ସିଆଡ଼େ ରହିବୁ ।

କାନ୍ତା— ବୋଉ ! ତୁମେ ଏଡ଼େ ନିଷ୍ଠୁର ?

ଅନାଦି— ତୁମେ ଭାରି ଅଡ଼ୁଆ ଲୋକ ମାଉସୀ ! ତୁ ଯିବୁଟି କାନ୍ତା, ତାଙ୍କ କଥାରୁ କ’ଣ ପାଇବୁ ? ଯା, ତୋ ଲୁଗାପଟା ଦି’ଖଣ୍ଡ ସଜାଡ଼ିନେ । ଗାଡ଼ି ସମୟ ବି ହେଇଗଲାଣି ।

କାନ୍ତା— ନା, ମୁଁ ଇମିତି ଯିବି । । ମୋ ପାଇଁ ଖଣ୍ଡେ ଟିକଟ କାଟି ମତେ ଗାଡ଼ିରେ ବସେଇଦିଅ । ତୁମର ଧର୍ମ ହବ ।

ଅନାଦି— କିଲୋ, ତୋ ମୁଣ୍ଡ ଖରାପ ହେଇଚି ନା କ’ଣ ? ଇମିତି କାହିଁକି ହଉଚୁ ? ଯା, ଦି’ଖଣ୍ଡ ଲୁଗା ନେଇଆ । ମୁଁ ତତେ କଟକରେ ଛାଡ଼ିଦେବି । ଯା— (କାନ୍ତା ଭିତରକୁ ଗଲା)

ଅନାଦି— ବୁଝିଲ ମାଉସୀ, ବାଟ ଖୋଲିଗଲା । ଏଣିକି ତୁମର ଆଉ ବ୍ୟସ୍ତ ହବା ଦରକାର ନାହିଁ । ମୁଁ ତାକୁ ବାଟରେ ଠିକ୍ କରିଦେବି ।

ଧୀରବୋଉ— ତୁ ତେବେ ତାକୁ...

ଅନାଦି— ଆଃ, ତୁମେ କାହିଁକି ଇମିତି ହଉଚ ? ଯାହା କରିବା କଥା, ମୁଁ କରିବି ନାଇଁ ?

ଧୀରବୋଉ— ହଉ, ତୋ ଇଚ୍ଛା । ଯାହା କରୁଚୁ କର, ହେଲେ ପଛରେ ଯେମିତି ମୋ ଉପରେ ବିପଦ ନ ପଡ଼େ ।

ଅନାଦି— ତୁମେ ନିଶ୍ଚିନ୍ତ ରୁହ ମାଉସୀ, ମୁଁ ସବୁ ଠିକ୍ କରିଦେବି ।

(କାନ୍ତା ଲୁଗାପୁଡ଼ା ଧରି ଆସିଲା, ପ୍ରଣାମ କଲା)

କାନ୍ତା— ଯାଉଚି, ବୋଉ—

ଅନାଦି— ଆଶୀର୍ବାଦ କର ମାଉସୀ, ଆମର ଯେମିତି କିଛି ଅମଙ୍ଗଳ ନ ହୁଏ–

ଅନାଦି— ଆ, ଆ, ଆଉ ଡେରିକରନା । ତେଣେ ଗାଡ଼ି ଛାଡ଼ିଦେବ । (ଉଭୟଙ୍କର ପ୍ରସ୍ଥାନ)

ଧୀରବୋଉ— ହେ ମା’ ମଙ୍ଗଳା ! ତୁ ଏକା ମୋର ସାହା । ମୁଁ ତ କାହାର ଅନିଷ୍ଟ ପାଞ୍ଚିନି । ହେଲେ ମୋର ଯିଏ ଅନିଷ୍ଟ ପାଞ୍ଚୁଚି, ତା’ ନାଁ ବୁଡ଼ିଯାଉ, ତାକୁ ବଡ଼ରୋଗ ହଉ, ସାପ ମାରୁ...(ଯାଉଥିଲେ, ରମାବୋଉ ଆସିଚି)

ରମାବୋଉ— ମାଉସୀ ! ତୁମ ବୋହୂ କୁଆଡ଼େ ଯାଉଚି ?

ଧୀରବୋଉ— ଗାତକୁ…

 

ରମାବୋଉ— ଏଁ, କ’ଣ ହେଲାକି ମାଉସୀ ?

 

ଧୀରବୋଉ— ହବ ଆଉ କ’ଣ ? ସେ ଯାଇଚି ଭଲ ହେଇଚି । କାହିଁକି ଏଠି ରହିବ ଯେ ? ତା’ର କିଏ ଅଛି ବୋଲି ରହିବ ?

 

ରମାବୋଉ— କ’ଣ କଜିଆ କରି ଚାଲିଯାଉଚି ? ମାଛିକି ମ’ କହୁନଥିଲା, ସେ ପୁଣି ଏମିତି ହେଲା-?

 

ଧୀରବୋଉ— ତୁ ଜାଣିନୁ, ସେ ମଉନମୁହିଁ ଭାରି ଜଣେ ତାକୁ ତୁ ଏତେ ସହଜ ଭାବନା । ଅଲକ୍ଷଣୀ ଦିନ କେଇଟା ରହିଲା କି ନାହିଁ, ମତେ ହଟହଟା କରି ମାରିଦେଲା । ଯା ହଉ, ସେ ଯାଇନାହିଁ ଯେ ଏ ଘରୁ କଳଙ୍କ ଯାଇଚି ।

 

ରମାବୋଉ— ତେବେ ସେ କ’ଣ ଆଉ ଆସିବ ନାହିଁ ?

 

ଧୀରବୋଉ— ଆଉ ଆସିବ ? ମୁଁ ସେ ବାଉରାଣୀକି ଆଉ ଘରେ ପୂରେଇବି ? ରାଧିବୋଉ ଯାହା କହୁଥିଲା, ସବୁ ସତ ।

 

ରମାବୋଉ— ଏଁ, ତାହେଲେ ସବୁ ସତ !

 

ଧୀରବୋଉ— ହଁ ଲୋ, ନିଆଁ ନ ଥାଇ ଧୂଆଁ ବାହାରିବା କୋଉଠି ଦେଖିଛୁ ?

 

ରମାବୋଉ— ୟେ କଅଁଳ କହି ରାଧାର ଏତେ ଗୁଣ ?

 

ଧୀରବୋଉ— ଆଉ ତା’ ନାଁ ଧରନା । ତା’ ନାଁ ଧରିଲେ ପାପ । ମୁଁ ସିନା ଘର ନିଆଁ ବୋଲି ଅଣ୍ଟିରେ ପୂରେଇଲି...

 

ରମାବୋଉ— ଯାହା ହଉ, ଠାକୁରେ ଯାହା କରନ୍ତି ମଙ୍ଗଳ ପାଇଁ । ତୁମେ ଆଉ ତା’ କଥା ଭାବ ନାହିଁ । ହେଲେ ମାଉସୀ, ତୁମେ ଯେମିତିକା ଲୋକନା, ଟିକିଏ ସକ ସକ ହେଇ କାନ୍ଦି ପକେଇଲେ ଫେର ଯୋଉ କଥାକୁ ସେଇ କଥା ।

 

ଧୀରବୋଉ— ହଁ ଲୋ ଝିଅ, ସେଇଥିପାଇଁ ତ ମୋର ଏ ଦଶା । ହଉ, ଏଣିକି ମୁଁ ଆଉ ରହିବି ଯେ, ଏତେ କଥା ହବ ?

 

ରମାବୋଉ— କୁଆଡ଼େ ଯିବକି ମାଉସୀ ?

 

ଧୀରବୋଉ— ଭାବିଚି, ଜମିବାଡ଼ି ବିକିଦେଇ କାଶୀ କି ବୃନ୍ଦାବନ ଚାଲିଯିବି । ମୋର ଆଉ ଏଠି କିଏ ଅଛି ଯେ । ଆଉ କାହା ପାଇଁ ରହିବି ?

 

ରମାବୋଉ— ହଁ ମ ମାଉସୀ ! ଧୀର ଯେ ଦିନେ ଏମିତି ହେବେ, ସେ କଥା କେହି ଭାବିନଥିଲେ । ହେଲେ...

 

ଧୀରବୋଉ— ଛାଡ଼ ସେ କଥା । ତୁ ଯିବୁଟି, ଅନ୍ଧାର ହେଇଗଲାଣି, ସେ ଘରେ ଆଲୁଅଟା ଅଛି, ଜାଳିଦବୁ । ଏଣିକି ମୁଁ ଟିକିଏ ଶାନ୍ତିରେ ବସି ଭାଗବତ ପଢ଼େ । ଧର୍ମକର୍ମରେ ମନ ଦିଏଁ ।

 

ରମାବୋଉ— ହଁ ମାଉସୀ, ତୁମେ ସେଇଆ କର । ଏତେ ଜଞ୍ଜାଳରୁ ଆମକୁ କ’ଣ ମିଳିବ ? (ଭିତରକୁ ଗଲା ଲଣ୍ଠନ ଜାଳିବାକୁ, ଧୀରବୋଉ ଭାଗବତ ବହି ବାହାର କଲେ । ରମାବୋଉ ଆଲୁଅ ଆଣି ଆସିଲେ) ଭାଗବତ ପଢ଼ୁଥା, ମୁଁ ଯାଉଚି । ଆଉ ଯେବେ କିଛି ଦରକାର ପଡ଼ିବ, ମତେ ଡାକିବ ।

 

ଧୀରବୋଉ— ହଉ, ତୁ ଯା । (ରମାବୋଉ ଚାଲିଗଲା । ଧୀରବୋଉ ପଢ଼ିବାକୁ ଆରମ୍ଭ କଲେ) “ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବଂ ନରୋତ୍ତମଂ, ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟ ମୁଦିରୟେତ୍...” (ବାହାରୁ ଆସିଛନ୍ତି ଧୀର, ଡାକିଡାକି)

 

ଧୀର— ବୋଉ ! ବୋଉ ।

 

ଧୀରବୋଉ— କିଏ ? (ଧୀର ପ୍ରମାଣ କରିବାକୁ ଯାଉଥିଲେ) ହାଁ— ହାଁ ।-ମତେ ଛୁଉଁନା, ମତେ ଛୁଉଁନା, ମୁଁ ପରା ଭାଗବତ ଧରିଚି । (କାନ୍ଦିବାର ଛଳନା କରି) ଧୀର, ଏତେଦିନେ ଏ ବୁଢ଼ୀ କଥା ତୋର ମନେପଡ଼ିଲା ? ତତେ ମୁଁ ଜନ୍ମ ଦେଇଥିଲେ କ’ଣ ତୁ ୟା କରିଥାଆନ୍ତୁ ?

 

ଧୀର— ଛାଡ଼ ବୋଉ, ଯାହା ହବାର କଥା, ସେ ହେଇଯାଇଚି । ପଛ କଥା ଭାବି କିଛି ଲାଭ ନାହିଁ-। (ପୁଣି ଥରେ ପ୍ରମାଣ କରିବାକୁ ଯାଉଥିଲାବେଳେ ଧୀରବୋଉ ବାଧା ଦେଲେ)

 

ଧୀରବୋଉ— ହଁ, ହଁ, ସେଇଠି ।

 

ଧୀର— ବୋଉ !

 

ଧୀରବୋଉ— ହଁ, ତତେ କେହି ଦେଖିନାହାନ୍ତି ତ ?

 

ଧୀର— ମାନେ ?

 

ଧୀରବୋଉ— ଏ ଗାଁ ଲୋକେ ପରା ଉପରେ ତାତି ରହିଚନ୍ତି, ଜାଣିଲେ ସେମାନେ ଆମକୁ ଜୀବନରେ ମାରିଦେବେ ।

 

ଧୀର— ମାରିଦେବେ ! କାହିଁକି ?

 

ଧୀରବୋଉ— କାହିଁକି ? ପାଠୁଆ ପୁଅ ହେଇ ତୁ ଏ କଥା ମତେ ପଚାରୁଛୁ ? ତୁ ପରା ପଠାଣ ହେଇଚୁ । ତୋର ଜାତି, ଧର୍ମ ସବୁକିଛି ନଷ୍ଟ ହେଇଚି । ସେମାନେ ସବୁ କହୁଚନ୍ତି— ତୋ ଛାଇ ପଡ଼ିଲେ ସାତପୁରୁଷ ନର୍କରେ ପଡ଼ିବେ ।

 

ଧୀର— ବୋଉ ! ତୁ ନିଜେ ଏ କଥା କହିପାରୁଚୁ ?

 

ଧୀରବୋଉ— ଘରର ଗୋଟିଏ ବୋଲି ପୁଅ ତୁ । ତୋ ହାତରୁ ପିଣ୍ଡ ପାଣି ପାଇବି ବୋଲି ମୋର କେତେ ଆଶା ଭରସା ଥିଲା । ଶେଷରେ ତୁ ତୋ କାୟାଟାକୁ ନଷ୍ଟ କରିଦେଲୁ ? ବାପ ଅଜା ଚଉଦ ପୁରୁଷଙ୍କ ନାଁ ତଳେ ପକେଇଲୁ ?

 

ଧୀର— ଓଃ, ତୁ ବନ୍ଦକର ବୋଉ, ବନ୍ଦକର । ସେ ସବୁ କଥା କହି ମତେ ଆଉ ବିବ୍ରତ କରିଦେନା । ମତେ ଟିକିଏ ଶାନ୍ତିରେ ରହିବାକୁ ଦେ ।

 

ଧୀରବୋଉ— ଶାନ୍ତି ! ଆଉ କୋଉ ଶାନ୍ତି ରଖିଚୁ ବୋଲି ତୁ ଏ କଥା କହୁଚୁ ? ମୋ କଥାମାନ ଧୀର, ତୁ ପୁରୀ ଯା । ମୁକ୍ତିମଣ୍ଡପରେ ପ୍ରାୟଶ୍ଚିତ୍ତ ହେଇ ଘରକୁ ଆ । ତା’ ନହେଲେ ତୁ ଏ ଘରର ଦୁଆରମୁହଁ ମାଡ଼ିପାରିବୁନି ।

 

ଧୀର— ତୁ ୟେ କ’ଣ କହୁଚୁ ବୋଉ ! ମୁଁ ପୁରୀ ଯାଇ ପ୍ରାୟଶ୍ଚିତ୍ତ ହେବି ? ତା’ ନହେଲେ ଏ ଘରର ପୁଅ ହେଇପାରିବି ନାହିଁ ? ଏ କଥା ତୁ ମତେ କହିପାରୁଚୁ ?

 

ଧୀରବୋଉ— ମୁଁ କାହିଁକି କହିବି ? ଏ ଗାଁର ମୁରବୀମାନେ କହୁଚନ୍ତି ।

 

ଧୀର— ମୁଁ ସେ ସବୁ କିଛି ଜାଣେନା । ମୁଁ ଆସିଚି ମୋ ଘରକୁ ମୋ ବୋଉ କୋଳକୁ । ମତେ କିଏ ତଡ଼ିଦବ ମୁଁ ଦେଖିବି ।

 

ଧୀରବୋଉ— ବେଶ୍, ତାହେଲେ ତୁ ଏ ଘରେ ରହ, ମୁଁ ଯାଉଚି । (ଯାଉଥିଲେ)

 

ଧୀର— ବୋଉ !

 

ଧୀରବୋଉ— ନା, ନା, ତୁ ରହ, ତୋର ଏ ଘର । ମୁଁ କାହିଁକି ତତେ ବାଧାଦେବି ? ମୋ ବାଟ ମୁଁ ଖୁବ୍ ସହଜରେ ବାଛିନେବି । ହେଲେ, ମୁଁ ଜୀଇଁ ଥାଉଁ ଥାଉଁ ଏତେବଡ଼ ଅନ୍ୟାୟ ଦେଖି ସହିପାରିବି ନାହିଁ ।

 

ଧୀର— ଶୁଣ ବୋଉ !

 

ଧୀରବୋଉ— କ’ଣ ଶୁଣେଇବୁ ? କ’ଣ ଆଉ ବାକି ରଖିଚୁ ?

 

ଧୀର— ମନଗଢ଼ା ଧର୍ମ ନାଁ’ରେ ମଣିଷତ୍ୱକୁ ବଳିଦେନା ବୋଉ ! ତୁ ବୁଝିବାକୁ ଚେଷ୍ଟା କର । ମତେ ମଣିଷ ପରି ବଞ୍ଚିବାକୁ ଦେ ।

 

ଧୀରବୋଉ— ମୁଁ ଏତେ କଥା ଜାଣିନି । ଗାଁ ଲୋକଙ୍କ କଥା ନ ମାନି ତୁ ଯେବେ ଏଠି ରହୁ, ମୁଁ ରାସ୍ତା କଡ଼ରେ ପଡ଼ି ମରିବି ପଛେ, ଏ ଘରେ ମୋଟେ ରହିବି ନାହିଁ ।

 

ଧୀର— ବୋଉ ! ....ନାଇଁ ବୋଉ, ତୁ କାହିଁକି ଘର ଛାଡ଼ି ରାସ୍ତା କଡ଼କୁ ଯିବୁ ? ତୁ ଏଇଠି ରହ, ମୁଁ ଯାଉଚି । ମୋର କିଛି ଦରକାର ନାହିଁ । ହେଲେ, କାନ୍ତାକୁ ମୋ ସାଙ୍ଗରେ ପଠାଇଦେ ।

 

ଧୀରବୋଉ— (କାନ୍ଦି କାନ୍ଦି) ତା’ ନାଁ ଧରନାରେ ଧୀର ! ତା’ ନାଁ ଧରନା । ତା’ ନାଁ ଧରିଲେ ପାପ-

 

ଧୀର— ପାପ ? କ’ଣ ତୁ କହୁଚୁ ବୋଉ ! କ’ଣ ହେଇଚି ?

 

ଧୀରବୋଉ— ହବ ଆଉ କ’ଣ ? “ଯାହାର ଯେମନ୍ତ ସ୍ୱଭାବ, ଗୁରୁ କହିଲେ କିସ ହେବ ।” ଯେତେ ବୁଝେଇଲି–ସେ ଚାଉରି ଟୋକାକୁ ମନା କର, ସେ ମୋ ଘରକୁ ଆସିବ ନାହିଁ । ସେ କ’ଣ ମୋ କଥା ଶୁଣିଲା ?

 

ଧୀର— ବାଉରି ଟୋକା !

 

ଧୀରବୋଉ— ହଁ, ସେ ବାଉରି ଟୋକା ସାଙ୍ଗରେ ପରା ରାତି ଅଧରେ ଏଠିକି ଆସିଲା !

 

ଧୀର— ବାଉରି ଟୋକା ସାଙ୍ଗରେ କାନ୍ତା ପଳେଇ ଆସିଲା ?

 

ଧୀରବୋଉ— ହଁ, ତା’ ସାଙ୍ଗରେ ଯୋଉ ହେଁ— ହେଁ, ଯୋଉ ଫେଁ— ଫେଁ ! ଛି— ଛି— ଛି, କହନା, କହନା ସେଗୁଡ଼ା । ମୁଁ କହିଲେ ତ ମତେ ବାରକଥା କହିଲା । ମୋ କଥା ମାନିଲା ନାହିଁ । ଶେଷରେ କାଲି ରାତି ଅଧରେ ଦି’ଜଣଯାକ ଉଠି ଚାଲି ଯାଉଥିଲେ; ମୁଁ ଉଠିପଡ଼ି କାନ୍ତାକୁ ଯେମିତି ଧରି ପକେଇଚି, ସେ ବାଉରି ଟୋକାଟା ମତେ ଧକ୍କାଏ ମାଇଲା ଯେ, ମୁଁ ମୁହଁ ମାଡ଼ିହେଇ ପଡ଼ିଗଲି-

 

ଧୀର— ଓଃ, ବନ୍ଦକର, ତୁ ବନ୍ଦକର ବୋଉ ! ମୁଁ ଆଉ ସେ ସବୁ ଶୁଣିପାରିବି ନାହିଁ । ମୋର ହେଇ ଏ ଦୁନିଆରେ ଆଉ କେହି ରହିଲେ ନାହିଁ । ବାପା ଗଲେ, ବୋଉ ଗଲା, କ୍ଷମା ଗଲା, ଶେଷରେ କାନ୍ତା…ନା, ନା, ଠିକ୍ ଅଛି । ମୋର ଆଉ କିଛି ଦରକାର ନାହିଁ । (ଚାଲିଗଲେ)

 

ଧୀରବୋଉ— (ଆଶ୍ୱସ୍ତିରେ) ଓହୋ, ଗୋଟିଏ ଗୋଟିଏ ହେଇ ସବୁ ଗଲେ । (ଭିତରକୁ ଗଲେ)

 

ଚତୁର୍ଥ ଦୃଶ୍ୟ

 

-ଗ୍ରାମ ପଥ-

(ମାତା ଗୀତ ଗାଇ ଗାଇ ଚାଲିଗଲେ)

-ଗୀତ-

 

ବନ୍ଧୁ ରେ...

ବନ୍ଧୁ ରେ ଖାଲି ବନ୍ଧନର ଏ ଧରମଶାଳା

ଖୁସି ଯିବାର ତୋ ନସିବରେ ନାହିଁ ରେ...

ଗଣ୍ଠିକେ ଗଣ୍ଠି, ଗଣ୍ଠିକେ ଗଣ୍ଠି ପଡ଼ିଛି ତାଲା ।o।

ଜଣକ ମୁଠାରୁ ଗଲେ ଫିଟି,

ଆଉ ଜଣେ ଛକିଛି ଝିଙ୍କିବ ଚୁଟି,

ଝିଙ୍କା ଝିଙ୍କି ଟଣା ଟଣି ଖଟଣୀରେ

କାହିଁ ତୋ ବହପ ପଘା ଛିଡ଼ା ।୧।

 

ମୋର ମୋର ନାଗପାଶ ହଳାହଳେ

ଘାରିବାକୁ ବିହି ଗାରିଛି କପାଳେ

ପାରିବା ପଣରେ କେତେ ଆଣ୍ଟ କରୁ ଦି’ଦିନ କୁଣିଆ

ବାଟଭୁଲା ।୨।

 

ଯେତେ ଯାହା ଖଟା ମିଠା ସୁଆଦ ତୋ ଜୀବନର

ସବୁ ନିପଟ ମିଛରେ ଭେଳିକି ସେ ପାଣିଗାର,

ପଠାଇଦେଲା ଯେ ପଟିମାରି ତତେ

ତା’ର ନାଆଁକୁ କରିଥା ଜପାମାଳା ।୩।

 

ପଞ୍ଚମ ଦୃଶ୍ୟ

 

-ରାଜପଥ-

 

[ସହରର ଏକ ନିର୍ଜନ ଗଳି । ସମୟ— ଅର୍ଦ୍ଧରାତ୍ର । ଆସିଲେ ଅନାଦି ଓ କାନ୍ତା]

 

କାନ୍ତା— ଆଉ କେତେ ବାଟ ଅଛି ?

 

ଅନାଦି— ଏଁ, ହଁ, ଅନେକ ବାଟ । ଗାଡ଼ି ତ ଏଇନେ ପହଞ୍ଚିଲା, ଏତେ ରାତିରେ ତା’ ବସାଘର ପାଇବା ସହଜ ନୁହେଁ । ତେଣୁ ମୁଁ କ’ଣ କହୁଥିଲିକି...

 

କାନ୍ତା— ତୁମେ ପରା ତାଙ୍କ ବସା ଦେଖିଚ ?

 

ଅନାଦି— ଆଲୋ, ୟେ ପରା କଟକ ସହର ! ବାଆନ ବଜାର ତେପନ ଗଳି । ଏ ଗଳିରୁ ସେ ଗଳି, ସେ ଗଳିରୁ ଏ ଗଳି ହେଇ ହଜାରଟା ଗଳି ପାର ହେଇ ଯିବାକୁ ହବ ।

 

କାନ୍ତା— ମୁଁ ତ କହୁଚି ତୁମେ ଗୋଟିଏ ରିକ୍ସା କର, ଆମକୁ ନେଇ ଚଞ୍ଚଳ ପହଞ୍ଚେଇ ଦବ ।

 

ଅନାଦି— ଆଲୋ ହୁଣ୍ଡୀ, ବଜାର ନାଁ ନ କହିଲେ ସେ କ’ଣ ରିକ୍ସା ନେଇ ଯିବ ? ୟେ ଯୋଉ ଦକ୍ଷିଣୀ ରିକ୍ସାବାଲା, କୁଆଡ଼େ ନାଇଁ କୁଆଡ଼େ ଭର୍ତ୍ତି କରିଦେବେ ପରା ! ଏ ଗୋଳରୁ ସେ ଗୋଳ ବଳିପଡ଼ିବ ।

 

କାନ୍ତା— ତେବେ କ’ଣ କରିବା ?

 

ଅନାଦି— ମୁଁ କ’ଣ କହୁଥିଲିକି, ଏଇ ପାଖରେ ମୋର ଜଣେ ବନ୍ଧୁ ଅଛି । ରାତିଟା ସେଇଠି ରହିଯିବା । ସକାଳୁ ଉଠି, ଗାଧୁଆ ପାଧୁଆ ସାରି ଖଣ୍ଡେ ରିକ୍ସା ଧରିବା ଯେ, ଆଉ କିଛି ଅସୁବିଧା ହବନାଇଁ ।

 

କାନ୍ତା— ନାଇଁ ଭାଇନା, ସେ କଥା ତୁମେ କୁହନା । ମୁଁ କୋଉଠି ରହିପାରିବି ନାହିଁ । ମତେ ତାଙ୍କ ପାଖକୁ ନେଇଚାଲ ।

 

ଅନାଦି— ଆଃ, ତୁ ଏମିତି ଅମାନିଆ କାହିଁକି ହଉଛୁ କହିଲୁ ?

 

କାନ୍ତା— ମୋ ଦୁଃଖ ତୁମେ ବୁଝିବ ନାହିଁ ଭାଇନା ! ତାଙ୍କୁ ନ ଦେଖିବା ଯାଏ ମୁଁ ସ୍ଥିର ହେଇ ରହିପାରିବିନି ।

 

ଅନାଦି— ତୁ ଏମିତି ବ୍ୟସ୍ତ ହେଇପଡ଼ୁଚୁ କାହିଁକି କହିଲୁ ? କ’ଣ ଟିକିଏ ଜର କି ସର୍ଦ୍ଦି ହେଇଥିବ, ସେ କ’ଣ ଭଲ ହେଇଯିବ ନାଇଁ ? ଚାଲ, ଚାଲ, ଏତେ ରାତିରେ ରାସ୍ତା ଉପରେ ଠିଆ ହବାଟା ଉଚିତ ନୁହେଁ । ପୁଲିସ ଧରିବ ।

 

କାନ୍ତା— ନା— ମୁଁ ତୁମ ବନ୍ଧୁଘରକୁ ଯିବିନି ।

 

ଅନାଦି— ଆଉ କ’ଣ ରାସ୍ତା ଉପରେ ଠିଆହେଇ ଏମିତି ହଉଥିବୁ ?

 

କାନ୍ତା— ମୁଁ ତୁମକୁ ନେହୁରା ହଉଚି ଭାଇନା ! ଯେମିତି ହଉ, ମତେ ନେଇ ତାଙ୍କ ପାଖରେ ପହଞ୍ଚେଇଦିଅ ।

 

ଅନାଦି— ତୁନି ହୋ ! ଏତେ ଆଉ ସ୍ୱାମୀ ସୁଆଗ ଦେଖେଇହୋନା । ଚାଲ ମୋ ସାଙ୍ଗରେ । ଆଜି ରାତିକ ସେଠି ରହିବା । ରାତି ପାହିଲେ ଯୋଉ କଥା । (ହାତ ଧରିପକେଇ ଟାଣିଲା)

 

କାନ୍ତା— ଭାଇନା ! ମତେ ଛାଡ଼ିଦିଅ କହୁଚି ।

 

ଅନାଦି— ଛାଡ଼ିଦେବି ? ତତେ ଛାଡ଼ିଦବା ଲାଗି କ’ଣ ଗାଁରୁ ସାଙ୍ଗରେ ଆଣିଚି ?

 

କାନ୍ତା— ଭାଇନା !

 

ଅନାଦି— ଆଲୋ, କି ଭାଇନା ? ତୋ ସାଙ୍ଗରେ ପରା ମୋର ବାହାଘର ହବାର ସବୁ ଠିକ୍ ହେଇଥିଲା ? ସେଦିନର ଅପମାନ କ’ଣ ମୁଁ ଏତେ ଚଞ୍ଚଳ ଭୁଲିଗଲିଣି ?

 

କାନ୍ତା— ଏଁ, ତୁମେ ତାହେଲେ ସେଦିନର ପ୍ରତିଶୋଧ ନବା ପାଇଁ ମତେ ସାଙ୍ଗରେ ଆଣିଚ ?

 

ଅନାଦି— ନା, ଠିକ୍ ପ୍ରତିଶୋଧ ନୁହେଁ । ତେବେ...

 

କାନ୍ତା— ତେବେ ଆଉ କ’ଣ ?

 

ଅନାଦି— (ହସି) ତୁ କ’ଣ ବୁଝିପାରୁନଥିବୁ ଯେ, ମୁଁ ଆଉ ଅଧିକା ବୁଝେଇବି ? ମୋ କଥାମାନ । ମୁଁ ଯାହା କହୁଚି ତୁ ସେଇଆ କର । ଆଜି ରାତିଟା କେବଳ ତାଙ୍କ ଘରେ ରହିଯିବା । ସକାଳୁ ଉଠି ତୁ ସ୍ୱାମୀ ପାଖକୁ ଯିବୁ, ମୁଁ ମୋ ଗାଁକୁ ଫେରିଯିବି । ଏଥିରେ କାହାର କିଛି କହିବାରନଥିବ ।

କାନ୍ତା— ତୁମେ ଏତେ ନୀଚ ବୋଲି ମୁଁ ଜାଣିନଥିଲି ।

ଅନାଦି— ସେ ଉଚ୍ଚନୀଚ ବିଚାର କରିବୁ ପରେ । ମନେରଖ, ୟେ କଟକ ସହର । ଅନ୍ଧାର ରାତି । ମୁଁ ଚାହିଁଲେ ତୋ ଜୀବନଟାକୁ ଛାରଖାର କରିଦେଇପାରିବି । ଜାଣିଶୁଣି ତୁ ତୋ ନିଜ ଜୀବନକୁ ନଷ୍ଟ କରିଦେନା । ମୋ କଥା ରଖ, ତୁ ସୁଖୀ ହବୁ । ତୋ ସ୍ୱାମୀଙ୍କୁ ଫେରିପାଇବୁ । ତା’ ନହେଲେ...

କାନ୍ତା— ଚୁପ୍‍କର ! ପାପୀ, ତୋର କ’ଣ ମା’-ଭଉଣୀ ନାହାନ୍ତି ?

ଅନାଦି— ଆଃ, ପାଟିଟା କାହିଁକି କରୁଚୁ ? (ଯାଉଥିଲା କାନ୍ତା ଆଡ଼କୁ)

କାନ୍ତା— ଆଗକୁ ଆସ ନାହିଁ, ଆଗକୁ ଆସ ନାହିଁ ମୁଁ କହୁଚି, ନହେଲେ ପାଟିକରି ଡାକିବି ।

ଅନାଦି— ତାହେଲେ ତୁ ଧୀର ପାଖକୁ ଯିବୁନି ?

କାନ୍ତା— ନା— ମୋର କେହି ଦରକାର ନାହିଁ । ତୁମେ ଚାଲିଯା ଏଠୁ ।

ଅନାଦି— କିନ୍ତୁ ତୁ ଯେ ମୋର ଦରକାର ! ତତେ ଛାଡ଼ି ମୁଁ ଯିବି କୁଆଡ଼େ ?

କାନ୍ତା— ଅନାଦି !

ଅନାଦି— ପାଟିକରି ଲୋକଙ୍କୁ ଜଣଉଚୁ ? ବେଶ୍, ଆସନ୍ତୁ ସବୁ । ମୁଁ କହିଚି— ତୁ ମୋର ସ୍ତ୍ରୀ ।

କାନ୍ତା— ଓଃ, ବନ୍ଦକର ତୁମେ, ବନ୍ଦକର । ସେ ପାପ କଥା ଆଉ ମୁହଁରେ ଧରନା ।

ଅନାଦି— ପାପ କଥା ? କି ଲୋ, ବାଉରି ଟୋକାଟା ସାଙ୍ଗରେ ଯେତେବେଳେ ଘର ଛାଡ଼ି ଆସିଥିଲୁ, ସେତେବେଳେ ତ ପାପ ପୁଣ୍ୟର ବିଚାର କରିନଥିଲୁ ? ଏଇନେ କାହିଁକି ? ମୋ କଥାମାନି ଚାଲିଆ....

କାନ୍ତା— ବାଉରି ହେଲେ ବି ସେ ମଣିଷ, ତୁମ ପରି ପଶୁ ନୁହେଁ । (ଯାଉଥିଲା)

ଅନାଦି— (ଧରିପକେଇ) କାନ୍ତା !

କାନ୍ତା— ମତେ ଛାଡ଼, ମତେ ଛାଡ଼ କହୁଚି । ନହେଲେ...

ଅନାଦି— ଛାଡ଼ିଦେବି ? ବର୍ଷ ବର୍ଷ ଧରି ଯୋଉ ସୁଯୋଗକୁ ଅପେକ୍ଷା କରିଥିଲି, ଆଜି ତାକୁ ହାତ ମୁଠାରେ ପାଇଚି । ଏତେ ସହଜରେ ଛାଡ଼ିଦେବି ?

କାନ୍ତା— କିଏ କୋଉଠି ଅଛ, ଦୌଡ଼ିଆସ । ମତେ ବଞ୍ଚାଅ । (ଅନାଦିକୁ ଠେଲିଦେଇ ଚାଲିଗଲା)

ଅନାଦି— (ଉଠୁଉଠୁ) ଆଚ୍ଛା, ମତେ ଫାଙ୍କିଦେଇ ତୁ ଚାଲିଯିବୁ ? (ଯିବାକୁ ଉଦ୍ୟତ ହେଲାବେଳେ ରାମ ସିଂ ଆସିଚି)

 

ରାମ ସିଂ— କୌନ୍ ହୈ ? ଏଇ...

 

ଅନାଦି— ଏଁ !

 

ରାମ ସିଂ— କିଏ ତୁ ? ଏଠି କ’ଣ କରୁଥିଲୁ ?

 

ଅନାଦି— ନାଇଁ ଆଜ୍ଞା, ଏଇ ଗାଡ଼ିରେ ଆସିଲି । କଚେରୀରେ କାମ ଅଛି । ଓକିଲଙ୍କ ବସାକୁ ଯାଇଥିଲି ଯେ, ବାଟ ଚିହ୍ନିପାରୁ ନାହିଁ ।

 

ରାମ ସିଂ— ସତ କହୁଚୁ ? ତୋ ନାଁ କ’ଣ ?

 

ଅନାଦି— ମୋ ନାଁ...ମୋ ନାଁ...ରଘୁ ଦାସ ।

 

ରାମ ସିଂ— ହଉ ଯା— (ବିପରୀତ ଦିଗ ଦେଖାଇ) ସେ ଧର୍ମଶାଳା ପିଣ୍ଡାରେ ରାତିଟା ରହିଯା । ସକାଳୁ ଉଠି ଯୁଆଡ଼େ ଯିବୁ । ଆଉ ଯେବେ କୁଆଡ଼େ ଯାଉ, ସିଧା ନେଇ ହାଜତରେ ଠୁଙ୍କିଦେବି ।

 

ଅନାଦି— ନାଇଁ ଆଜ୍ଞା, ମୁଁ...

 

ରାମ ସିଂ— ଚୁପ୍, ଯା କହୁଚି—

 

(କାନ୍ତାର ବିପରୀତ ଦିଗରେ ଅନାଦିର ପ୍ରସ୍ଥାନ)

 

ଷଷ୍ଠ ଦୃଶ୍ୟ

 

-ହମିଦଙ୍କ ଘର-

 

[ସମୟ –ଅର୍ଦ୍ଧରାତ୍ର । ଝଡ଼ ବେଗରେ କାନ୍ତା ଘର ଭିତରକୁ ପଶିଆଶି ଚୌକି ଦେହରେ ଝୁଣ୍ଟିହେଇ ପଡ଼ିଚି । ହଠାତ୍ ଘର ଭିତରକୁ ଟଚ୍ଚ ଜାଳି ପ୍ରବେଶ କରିଚି ହାସିନା ।]

 

ହାସିନା— କିଏ ତୁ ?

 

କାନ୍ତା— ନାଇଁ ମା’ ! ମୁଁ ଭାରି ବିପଦରେ ପଡ଼ି ପ୍ରାଣ ବିକଳରେ ଏଠିକି ଧାଇଁ ଆସିଚି । ତୁମ ଗୋଡ଼ ଧରୁଚି ମା’, ମତେ ତଡ଼ି ଦିଅ ନାହିଁ । ତୁମର ଧର୍ମ ହବ ।

 

ହାସିନା— କ’ଣ ହେଇଚି ?

 

କାନ୍ତା— ସେ ଗୁଣ୍ଡାଟା ମତେ... (କିଛି ନ କହି ନିର୍ଦ୍ଦେଶ କଲା)

 

ହାସିନା— ଗୁଣ୍ଡା ! (ଚାରିଆଡ଼କୁ ଟର୍ଚ୍ଚ ପକେଇ) କାହିଁ ? କେହି ତ ନାହିଁ !

 

କାନ୍ତା— ନାହିଁ ? ତାହେଲେ ଚାଲିଗଲା । ଭଗବାନ !

 

ହାସିନା— ତୁମ ଘର କୋଉଠି ?

 

କାନ୍ତା— ମଫସଲରେ ।

 

ହାସିନା— ମଫସଲରେ ? ତେବେ ଏତେ ରାତିରେ ଏଠିକି ଆସିଲ କେମିତି ?

 

କାନ୍ତା— ଆମ ଗାଁର ଜଣେ ଲୋକ ମୋ ସ୍ୱାମୀଙ୍କ ପାଖରେ ଛାଡ଼ିଦବ ବୋଲି କହି, ମୋତେ.....

 

ହାସିନା— ଓ, ସେ ଗୁଣ୍ଡାଟା ତାହେଲେ ତୁମ ଗାଁର ?

 

କାନ୍ତା— ହଁ, ମା’ !

 

ହାସିନା— ଏଠି ତୁମ ସ୍ୱାମୀ କ’ଣ କରନ୍ତି ? କୋଉଠି ରହନ୍ତି ?

 

କାନ୍ତା— ଜାଣେନା—

 

ହାସିନା— ବଡ଼ ଆଶ୍ଚର୍ଯ୍ୟ ! ତୁମ ସ୍ୱାମୀ କ’ଣ କରନ୍ତି, କୋଉଠି ରହନ୍ତି, କିଛି ନ ଜାଣି ତା’ ସାଙ୍ଗରେ ଆସୁଥିଲ କାହିଁକି ?

 

କାନ୍ତା— ବିଶ୍ୱାସରେ ବିଷ ଦେଇଚି ମା’ ! ମୁଁ ବଡ଼ ହତଭାଗୀ—

 

ହାସିନା— ତୁମ ସ୍ୱାମୀଙ୍କ ନାଁ କ’ଣ ?

 

କାନ୍ତା— ନାଁ କେମିତି ଧରିବି, ମା’ !

 

ହାସିନା— ଓ, ଆଚ୍ଛା, ତୁମ ନାଁ କ’ଣ ? (ଧୀର ଆସିଚି)

 

ଧୀର— ଭାଉଜ ! ଭାଉଜ !

 

ହାସିନା— କିଏ, ଧୀର ! କାନ୍ତା ଆସିଚି ?

 

(କାନ୍ତା ଚମକିପଡ଼ି ଚାହିଁଲା)

 

ଧୀର— ନା—

 

ହାସିନା— କ’ଣ ହେଲା ? ଆସିଲ ନାହିଁ କାହିଁକି ?

 

ଧୀର— ସେ ନାହିଁ ।

 

ହାସିନା— ଗଲା କୁଆଡ଼େ ? ସେ ପରା ତୁମ ଘରେ ଥିଲା ?

 

ଧୀର— ଥିଲା, ବର୍ତ୍ତମାନ ଆଉ ନାହିଁ ।

 

ହାସିନା— ତେବେ କ’ଣ ତା’ ବାପଘରକୁ ଯାଇଚି ?

 

ଧୀର— ତା’ ନାଁ ତୁମେ ଧରନା ଭାଉଜ ! ସେଇଟା ଗୋଟାଏ ବ୍ୟଭିଚାରିଣୀ ।

 

ହାସିନା— ଧୀର !

 

ଧୀର— ହଁ ଭାଉଜ ! କାଲି ରାତିରେ ଗୋଟାଏ ବାଉରୀ ଟୋକା ସାଙ୍ଗରେ ଘର ଛାଡ଼ି ଚାଲିଯାଇଚି-

 

କାନ୍ତା— (ଏସବୁ ଶୁଣି ଧୌର୍ଯ୍ୟ ଧରିପାରିଲାନି) ମା’—

 

ହାସିନା— କ’ଣ ହେଲା ?

 

କାନ୍ତା— ଏଁ, ମୋ ମୁଣ୍ଡଟା କ’ଣ ହେଇଯାଉଚି ।

 

ହାସିନା— କ’ଣ ହଉଚି ?

 

ଧୀର— ସେ କିଏ ଭାଉଜ ?

 

ହାସିନୀ— ମୁଁ ଜାଣେନା । ବିପଦରେ ପଡ଼ି ବିଚାରୀ ଭିତରକୁ ପଶି ଆସିଚି ।

 

ଧୀର— ବିପଦ ! ତା’ର ଫେର କି ବିପଦ ? ତୁମେ ୟାକୁ ବିଶ୍ୱାସ କରନାହିଁ ଭାଉଜ ! ତାକୁ ତଡ଼ିଦିଅ । ଦୁନିଆରେ କାହାରିକୁ ବିଶ୍ୱାସ କରନା । ସମସ୍ତେ ଅବିଶ୍ୱାସୀ । ତୁମେ ପରା ସେଦିନ କାନ୍ତା କଥା କହୁଥିଲ ! ଆଜି ଶୁଣିଲ ତ ସେ କ’ଣ କଲା?

 

ହାସିନା— (କାନ୍ତା ପ୍ରତି) ତୁମେ ଭିତରକୁ ଚାଲ । (କାନ୍ତାକୁ ଭିତରକୁ ନେଇଥିଲେ)

 

ଧୀର— ଏଇ ଶୁଣ, ତୋ ନାଁ କ’ଣ ?

 

କାନ୍ତା— ମୋ ନା...ମୋ ନାଁ ସର ।

 

ଧୀର— ଘର ?

 

କାନ୍ତା— ଏଇଠି ।

 

ଧୀର— ମାନେ ?

 

କାନ୍ତା— କଟକରେ ।

 

ହାସିନା— କଟକରେ ! ଏଇନେ ପରା ମଫସଲ ବୋଲି କହୁଥିଲ ?

 

ଧୀର— ଶୁଣିଲ, ଶୁଣିଲ ତ ଭାଉଜ ? ମୁଁ କ’ଣ କହୁଥିଲି, ଏମାନେ ସବୁ ଠକ । ଏମାନଙ୍କୁ ମୋଟେ ବିଶ୍ୱାସ କର ନାହିଁ ।

 

କାନ୍ତା— ହଁ ମା’, ବାପଘର ମଫସଲରେ । ହେଲେ, ସ୍ୱାମୀ ଯୋଉଠି ମୋର ଘର ସେଇଠି ।

 

ଧୀର— ତୁମର ସ୍ୱାମୀ ଅଛନ୍ତି; ଅଥଚ ତୁମେ ରାତି ଅଧରେ ଏଠି ? ସୁନ୍ଦର !

 

କାନ୍ତା— ସେ ଭଗବାନଙ୍କ ବରାଦ ।

 

ଧୀର— Oh ! You shut up ! ଭଗବାନ— ଭଗବାନ ! କାହିଁ ସେ ତୁମର ଭଗବାନ ? ଭଗବାନ ବୋଲି ଯଦି କୌଣସି ଜୀବ ଏ ଦୁନିଆରେ ଥାଆନ୍ତ, ତାହେଲେ ଏତେ ସବୁ ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲନ୍ତା ନାହିଁ । ସବୁ ମିଛ, ସବୁ ମାୟା....ସମସ୍ତେ ପ୍ରତାରକ, ଭଣ୍ଡ ।

 

କାନ୍ତା— ନା, ନା— ଆପଣ ସେମିତି କଥା କୁହନ୍ତୁ ନାହିଁ ।

 

ଧୀର— ଚୁପ୍ ! ମୁଁ ଜାଣେ ଦୁନିଆରେ ଭଗବାନ ବୋଲି କେହି ନାହିଁ କି କିଛି ନାହିଁ । କାହାର କେହି ନାହାନ୍ତି । ସମସ୍ତେ ଏକା । ତୁ ଏକା, ମୁଁ ଏକା, ଭାଉଜ ଏକା...ହମିଦ ଏକା । ତା’ ନହେଲେ କ୍ଷମା କ’ଣ ମତେ ଛାଡ଼ିଦେଇ ଚାଲିଯାଇଥାଆନ୍ତା ? ଆଉ କାନ୍ତା...

 

ହାସିନା— ଧୀର ! ତୁମେ ସେମିତି କାହିଁକି ହଉଚ ? ଯିବଟି ଭିତରକୁ । ଆସ ସର । (ଯିବାକୁ ଉଦ୍ୟମ)

 

ହମିଦ— (ପ୍ରବେଶ କରି) କିଏ, ଧୀର ! କେତେବେଳେ ଆସିଲୁ ? ଆରେ, ଏଇତ କାନ୍ତା...

 

ଧୀର— ସେ କାନ୍ତା ନୁହେଁ । (ହାସିନା ଓ କାନ୍ତା ଚାଲିଗଲେ)

 

ହକିମ— ଆଉ ?

 

ଧୀର— ସର !

 

ହମିଦ— ସର ! ସର ଫେର କିଏ ?

 

ଧୀର— ଜଣେ ନାରୀ ! ବିଶ୍ୱମୋହିନୀ ରୂପ ଦେଖାଇ ବିପଦ ଦେବ । ଯାହାର ନୀତି । ସେ ଜାତିକୁ ତୋ ବନ୍ଧୁକରେ ଗୁଳି କରି ମାରି ଦେଇ ପାରିବୁ ହମିଦ୍ ? ଏ ପୃଥିବୀରୁ ନାରୀଜାତିକୁ ଲୋପ କରିଦେଇପାରିବୁ ?

 

ହମିଦ— ହଠାତ୍ ନାରୀ ଜାତି ପ୍ରତି ଏତେ ବିତୃଷ୍ଣା କାହିଁକି ? କ’ଣ ହେଇଚି ? କାନ୍ତା କାହିଁ ?

 

ଧୀର— କାନ୍ତା ଆଉ ସେ ଘରର ବୋହୂ ହେଇ ନାହିଁ, ହମିଦ ! ସେ ଚାଲିଯାଇଚି ଗୋଟାଏ ବାଉରୀ ଟୋକା ସାଙ୍ଗରେ ।

 

ହମିଦ— ଧୀର ! (କାନ୍ତା ଝରକା ଫାଙ୍କରେ ଶୁଣୁଥିଲା)

 

ଧୀର— ହଁ ହମିଦ ! ଆଘାତ ଦେଇଥିଲି ବୋଲି ଆଜି ମୁଁ ଆଘାତ ଫେରିପାଇଚି ।

 

ହମିଦ— ନା, ମିଛ । ଯେ ସବୁ କେତେ ହେଇପାରେନା । ମୁଁ ମୋଟେ ବିଶ୍ୱାସ କରିପାରୁ ନାହିଁ ।

 

ଧୀର— ବେଶ୍, ତାହେଲେ ସେ ତୋ ଆଖିରେ ମହିୟସୀ ମହିଳା ହେଇ ରହୁ । ମୁଁ କିନ୍ତୁ କାହାରିକୁ ବିଶ୍ୱାସ କରିବି ନାହିଁ ଏମିତିକି ଭାଉଜଙ୍କୁ ମଧ୍ୟ ।

 

ହମିଦ— ଓଃ, ତୁ ତୁନି ହୋ ଧୀର !

 

ଧୀର— ମୁଁ ମୁସଲମାନ ହେଇଯିବି ହମିଦ !

 

ହମିଦ— ଧୀର !

 

ଧୀର— ହଁ, ହମିଦ ! ମୁଁ ମୁସଲମାନ କିମ୍ୱା ଖ୍ରୀଷ୍ଟିୟାନ ହେଇଯିବି । ମୁଁ ଆଉ ଏ ହିନ୍ଦୁସମାଜ ଭିତରେ ମଣିଷ ହେଇ ରହିପାରିବି ନାହିଁ । ସମାଜପତିଙ୍କ ବିଷଦୃଷ୍ଟିରେ ସାରା ବାୟୁମଣ୍ଡଳ ବିଷାକ୍ତ ହେଇପଡ଼ିଚି । ସେ ବିଷାକ୍ତ ବାୟୁ ମତେ ଶ୍ୱାସରୁଦ୍ଧ କରି ନ ମାରି ଛାଡ଼ିବ ନାହିଁ ।

 

ହମିଦ— ୟେ ତୁ କ’ଣ କହୁଛୁ ଧୀର ! ଦୁନିଆରେ ଏମିତି କୌଣସି ସମାଜ ନାହିଁ, ଯାହାର କି ସମାଜପତି ନାହାନ୍ତି । ସମାଜପତିଙ୍କ ଆଦେଶକୁ ପ୍ରତ୍ୟେକ ମଣିଷ ମାନିବାକୁ ବାଧ୍ୟ ।

 

ଧୀର— ତୁ କ’ଣ କହିବାକୁ ଚାହୁଁ— ମୁଁ ସମାଜପତିଙ୍କ ଅନ୍ୟାୟ, ଅତ୍ୟାଚାର ନିକଟରେ ଆତ୍ମସମର୍ପଣ କରିବି ? No. never । ଯୋଉ ସମାଜ ମଣିଷକୁ ମଣିଷର ସମ୍ମାନ ଦେଇ ଶିଖିନି, ସେ ସମାଜ ମୁଁ ଚାହେନା । ତୋ ଘରେ ରହି ଖାଇଲି ବୋଲି ମୁଁ ଧର୍ମଛଡ଼ା, ଅମଣିଷ । ମୋ ଛାଇ ପଡ଼ିଲେ ସପ୍ତ ପୁରୁଷ ପାଣି ପାଇବେ ନାହିଁ ବୋଲି ମୋ ଜାତି-ଭାଇଙ୍କର ଅଭିଯୋଗ । ଏମିତି କି ଶେଷରେ ମୋ ବୋଉ ମଧ୍ୟ ମତେ ଛୁଇଁବାକୁ ଘୃଣାବୋଧ କରି ଦୂରକୁ ଘୁଞ୍ଚିଗଲା ?

 

(ହାସିନା ଆସିଛନ୍ତି)

 

ହାସିନା— ମଣିଷର ସେହି ଆଦିମ ବିଶ୍ୱାସକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

 

ଧୀର— କାହିଁକି ? ମୋର ଅପରାଧ କ’ଣ ?

 

ହାସିନା— ସେ ବିଚାରର କ୍ଷମତା ଆମର ନାହିଁ ।

 

ଧୀର— ତେବେ ସେ ବିଚାର କରିବ କିଏ ?

 

ହମିଦ— Non…କେହି ନାହିଁ ।

 

ଧୀର— ତା’ ବୋଲି ଭିନ୍ନ ଭିନ୍ନ ଯୁଗରେ ମହାପୁରୁଷମାନେ ଯୋଉ ସବୁ ଅମରବାଣୀ ପ୍ରଚାର କରି ଯାଇଥିଲେ, ସେ ସବୁ ମିଛ ? ଆମର ପରିଚୟ ତାହେଲେ ଭାରତୀୟ ନୁହେଁ ? ଆଦିମଯୁଗର ଅନ୍ଧବିଶ୍ୱାସରେ ମଣିଷ ନିଜର ସମସ୍ତ ଜ୍ଞାନ, ବୁଦ୍ଧି, ବିବେକକୁ ହତ୍ୟା କରି ସମାଜର ଦାସତ୍ୱ ସ୍ୱୀକାର କରିବ ? ନା, ତା’ କେବେ ହୋଇପାରେନା । ମଣିଷଗଢ଼ା ସମାଜକୁ ମୁଁ ଭାଙ୍ଗି ଚୁରମାର କରିଦେବି ।

 

ହାସିନା— ମଣିଷ ଭାଙ୍ଗିଯିବ, ହେଲେ ସମାଜ ଭାଙ୍ଗିବ ନାହିଁ । ତୁମେ ତୁମ ଭୁଲର ପ୍ରାୟଶ୍ଚିତ୍ତ କର-। ପୁରୀ ଯାଇ ଜାତି ହୁଅ ।

 

ଧୀର— ଓଃ, ବନ୍ଦକର ଭାଉଜ ! ଜାତି ? କି ଜାତି ? ମୁଁ ସେସବୁ ଜାତି ନୀତି କିଛି ମାନେନା । ମୁଁ ମଣିଷ, ମଣିଷ ମୋର ଜାତି । ସେବା ମୋର ଧର୍ମ ।

 

ହମିଦ— ତଥାପି ତତେ ଯିବାକୁ ହବ । You must. ତୋର ଏଇ ଆଦର୍ଶର ମୂଲ୍ୟ ତତେ କେହି ଦେଇପାରିବେ ନାହିଁ ଧୀର ! ମୋ କଥା ମାନ୍, ତୁ ଯା—

 

ଧୀର— ନା— ମୁଁ ଯାଇପାରିବି ନାହିଁ । ମତେ ତୁ କ୍ଷମାକର । ହୁଏତ ମୁଁ ପୋଷା କୁକୁର ପରି ସମାଜପତିଙ୍କ ଆଦେଶ ଗ୍ରହଣ କରିପାରେ । ହେଲେ, ପୁଅ ? ସେ ଏକ ଜାରଜ ସନ୍ତାନ । କାରଣ ତା’ର ମା’ କୌଣସି ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରର କନ୍ୟା ନୁହେଁ । ସେ ଅଗ୍ନିକୁ ସାକ୍ଷୀରଖି ବିବାହ କରିନି । ତା’ ବାହା ବେଦୀରେ ଶଙ୍ଖ— ମହୁରି ବାଜିନି, ବ୍ରାହ୍ମଣ ବେଦମନ୍ତ୍ର ପାଠ କରିନି । ତାକୁ ଏ ହିନ୍ଦୁସମାଜ ଗ୍ରହଣ କରିପାରିବ ? ଜବାବ ଦେ—

 

ହମିଦ— (ନୀରବ)

 

ଧୀର— ମୁଁ ଜାଣେ, ତୋ ପାଖରେ ୟା’ର କିଛି ଜବାବ ନାହିଁ । ତାହେଲେ କ’ଣ ଦରକାର ଅଛି ଏ ସମାଜରେ ? କଳା ପାହାଡ଼ର ପ୍ରତିଜ୍ଞା ନେଇ ଭାଙ୍ଗି ଚୁରମାର କରିଦିଅ । ତା’ ଜାଗାରେ ଗଢ଼ିଉଠୁ ମଣିଷବାଦର ସମାଜ— ଯୋଉଠି ମଣିଷର ପରିଚୟ ହବ ମଣିଷ— ଜାନୁଆର ନୁହେଁ ।

 

(ହସିଉଠିଲେ ଖୁବ୍ ଜୋରରେ)

 

ହମିଦ— ଧୀର !

 

-ଡ୍ରପ୍-

☆☆☆

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

ହମିଦଙ୍କ ଘର

 

[ଧୀର ପୁଅ ବାବୁଲାର ଜନ୍ମଦିନ ଉପଲକ୍ଷେ ବହୁ ନିମନ୍ତ୍ରିତ ଭଦ୍ରବ୍ୟକ୍ତିଙ୍କ ସମାବେଶରେ ନୃତ୍ୟ ଓ ଗୀତର ଆୟୋଜନ ହେଇଚି ।]

 

ଫୁଲରୁ କଅଁଳ ପ୍ରୀତି ଫୁଟିଲେ ମହକେ

ରୂପ ରୋସନୀରେ ଚନ୍ଦ୍ରଉଦିଆ ଝଲକେ

ପ୍ରୀତି ରଚିପାରେ ପଦ୍ମ ମେରୁର ଚିବୁକେ

ଲାବଣ୍ୟ ଲହରୀ ଲୋଟେ ମରୁର ବୁକେ

ମମତାର ମଧୁଗାର ଗୋପନେ ଗାରେ କୁହୁକେ

ଜୂଆରେ ତା’ର ଲୁହାର ମରମ ସାରା ଚାଉଁକେ

ଆଖି କଥା ବୁଝେ ଆଖି ନାହିଁ ବୋଲି ଖ୍ୟାତି

ପ୍ରୀତି ନ ମାନେ ଦୁନିଆର ନୀତି । ୧ ।

 

କଣ୍ଟାରେ ଆକଟେ ଫୁଲ ମାୟାରେ ଓଟାରେ

ଲୋଟାଏ ଲମ୍ପଟ ଧୃତି ରୂପର କୁଠାରେ;

ମମତା ନୁହେଁ ସେ ମାନ ମହତ ଲୁଟାରେ

ଲୁହା ମରମ ନ ତାତେ ପୀରତି କୁଟାରେ

ନୀତି ବିନା ପ୍ରୀତି ଅତି ପରମାଦ ପ୍ରୀତି । ୨ ।

 

ପ୍ରୀତି ମହିମାରେ ସାରା ସୃଷ୍ଟି ବଡ଼ପଣ

ରୀତି ନୀତି ଯେତେ କହ ପ୍ରୀତିର କାରଣ

ପ୍ରୀତି ଚହଲେ କଳଙ୍କ ଧରେ ଭଗାରୀହସା କରେ

ନୀତିର ନିରେ ମଜ୍ଜାଇ ଦେଲେ ପ୍ରୀତି ମହିମା ଝରେ

ପ୍ରୀତି ତୁଳିଦଣ୍ଡେ ତୋଳିପାରେ ସାରା କ୍ଷିତି

ପରଖି ଆପଣା କରେ ପ୍ରୀତି ଅନୁଭୂତି । ୩ ।

 

(ନୃତ୍ୟ ପରେ ରାମ ସିଂ ଆସିଲେ)

 

ରାମ ସିଂ— ଆପଣମାନେ ଭିତରକୁ ଆସନ୍ତୁ । (ସସସ୍ତେ ଚାଲିଗଲେ)

 

ଦ୍ୱିତୀୟ ଦୃଶ୍ୟ

 

-ହମିଦଙ୍କ ଘର-

 

[ହମିଦର ଚାଚା ରହିମ୍ ବିବ୍ରତ ହୋଇ ପଦଚାରଣ କରୁଥିଲେ । ଭିତରୁ ହାସିନା ଆସିଲେ ।]

 

ହାସିନା— ଚାଚା, ଆପଣ ଖାଇବେ ନାହିଁ ?

 

ରହିମ୍— ନା, ମୁଁ ଖାଇବି ନାହିଁ ।

 

ହାସିନା— କାହିଁକି ଖାଇବେ ନାହିଁ ?

 

ରହିମ୍— ଓଃ, ତୁ ମତେ ବିରକ୍ତ କରନା, ଏଠୁ ଯା—

 

ହାସିନା— ଅନ୍ତତଃ ଅଇଣ୍ଠା ହେଇ ଉଠିଯିବେ ଆସନ୍ତୁ । ଏତେ ବଡ଼ ଶୁଭଦିନଟାରେ ଆପଣ ନ ଖାଇଲେ ସମସ୍ତଙ୍କ ମନରେ କଷ୍ଟ ହବ ।

 

ରହିମ୍— ଶୁଭଦିନ ! କାହାର ଶୁଭଦିନ ? ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଚି ହାସିନା, ଗୋଟାଏ ହିନ୍ଦୁ ଛୁଆର ଜନ୍ମଦିନ ପାଇଁ ତୁମ ଘରେ ଏତେସବୁ ଆନନ୍ଦ ଉତ୍ସବ କାହିଁକି ? ସେ ତୁମର କିଏ ?

 

ହାସିନା— ଆପଣ ସେମିତି କହନ୍ତୁ ନାହିଁ ଚାଚା ! ଧୀର ତାଙ୍କର ବାଲ୍ୟବନ୍ଧୁ । ବନ୍ଧୁ ହିସାବରେ ଆମର କର୍ତ୍ତବ୍ୟ କେବଳ ଆମେ ପାଳନ କରୁଛୁ ।

 

ରହିମ୍— କର୍ତ୍ତବ୍ୟ ? କର୍ତ୍ତବ୍ୟର ଗୋଟାଏ ସୀମା ଅଛି ହାସିନା ! ସୀମା ଲଙ୍ଘନ କଲେ ବିଶୃଙ୍ଖଳା ସୃଷ୍ଟି ହୁଏ । ମୁଁ ପଚାରୁଚି, ସେ ଛୁଆ ପାଇଁ ଏତେ ପଇସା ବରବାଦ୍ କରାଯାଇଚି କାହିଁକି ? ତୁମ ସ୍ୱାମୀ— ସ୍ତ୍ରୀଙ୍କ ଭିତରେ କାହିଁକି ଏତେସବୁ ବିଭ୍ରାଟ ସୃଷ୍ଟି ହଉଚି ?

 

ହାସିନା— ବିଭ୍ରାଟ !

 

ରହିମ୍— ନୁହେଁ ? କାଲି ସେମିତି ସେ ଛୁଆଟା ପାଇଁ କ’ଣ ଗୋଟାଏ ଔଷଧ ଆଣିବାକୁ ହମିଦ ଭୁଲି ଯାଇଥିଲା ବୋଲି ତୁ ତାକୁ ଯାହା ନାଇଁ ତା’ କହିଗଲୁ । ଅଭିମାନ କରି କାନ୍ଦି ବସିଲୁ । ଏସବୁ ଅଶାନ୍ତ ସୃଷ୍ଟି ହଉଚି କାହିଁକି ? (ଝରକା ଆରପଟେ କାନ୍ତା ସବୁ ଶୁଣୁଥିଲା)

 

ହାସିନା— ଏ ତ ମାମୁଲି କଥା ଚାଚା ! ୟାକୁ ଆପଣ କହନ୍ତି ଅଶାନ୍ତି ? ଆପଣଙ୍କ ଆଶୀର୍ବାଦରୁ ଆମେ ବେଶ୍ ସୁଖରେ ଅଛୁ । ଆମ ପ୍ରତି ଆଲ୍ଲାଙ୍କର ଅସୀମ ଦୟା । ଆମ ପରିବାର ଭିତରେ କୌଣସି ପ୍ରକାର ଅଶାନ୍ତି ନାହିଁ ।

 

ରହିମ୍— ହଁ, ନଥିଲା; କିନ୍ତୁ ଏଇ ଛୁଆ ପାଇଁ ଆଉ ସେ ହିନ୍ଦୁ ଚାକରାଣୀ ପାଇଁ ସବୁକିଛି ସୃଷ୍ଟି ହଉଚି । ସେ ତ ଏ ଘରେ ଖାଇବ ନାହିଁ କି ଅଇଣ୍ଠା ବାସନ ଛୁଇଁବ ନାହିଁ ! ତାକୁ ତୁମେ ରଖିଚ କାହିଁକି ? ଯେତେହେଲେ ସେ ଯୁବତୀ ଝିଅ । କେତେବେଳେ କୋଉ କଥା । ସେ ଦିଗକୁ ତୋର ନଜର ଅଛି ?

 

ହାସିନା— ସେ ଭାରି ଭଲ ଝିଅଟିଏ ଚାଚା ! ତା’ ପ୍ରତି ଆପଣ ଅଯଥା ସନ୍ଦେହ କରନ୍ତୁ ନାହିଁ ।

 

ରହିମ୍— ହଁ, ଭାରି ଭଲ ! ସେଇଥିପାଇଁ ଏ ବୟସରେ ଆସି ଏଠି ରହିଚି । ତୁ ନିଜେ ପରା କହୁଥିଲୁ— ତା’ର ସ୍ୱାମୀ ଅଛନ୍ତି ? ତେବେ ସେ ଏଠି ରହିଚି କାହିଁକି ?

 

ହାସିନା— ସେ ଅନେକ କଥା । ବିଚାରୀ ବିପଦରେ ପଡ଼ି ଆମର ଆଶ୍ରୟ ଚାହିଁଥିଲା, ମୁଁ ତାକୁ ଆଶ୍ରୟ ଦେଇଚି ।

 

ରହିମ୍— ହଁ, ନ ଦବୁ କାହିଁକି ? ନବାବ ଘର କି ନା !

 

ହମିଦ— (ପ୍ରବେଶ) ଚାଚା ଖାଇଲେଣି, ହାସିନା ?

 

ହାସିନା— ନା—

 

ହମିଦ— ଆପଣ ଖାଇନାହାନ୍ତି ?

 

ରହିମ— ନା । ହମିଦ, ଏଇଆ ଦେଖିବାକୁ ମତେ ଚିଠି ଲେଖି ଡକେଇ ଆଣିଥିଲୁ ?

 

ହମିଦ— କ’ଣ ହେଇଚି, ଚାଚା ?

 

ରହିମ— ମୁଁ ପଚାରୁଚି— ଏ ଉତ୍ସବ ଆଜି କାହିଁକି ?

 

ହମିଦ— ସେ ମୋ ବନ୍ଧୁର ପୁଅ । ଜନ୍ମରୁ ମା’ ଛେଉଣ୍ଡ । ମୁଁ ତାକୁ କଥା ଦେଇଥିଲି, ପୁଅଟିର ସମସ୍ତ ଦାୟିତ୍ୱ ହାସିନା ଗ୍ରହଣ କରିବ । ତା’ ଛଡ଼ା ତା’ ନିଜର ହେଇ ତ ଆଉ କେହି ନାହିଁ । ମାତୃସ୍ନେହ ନ ପାଇଲେ ସେ ଛୁଆଟି ବଞ୍ଚିବ କିମିତି ?

 

ହାସିନା— ହଁ ଚାଚା, ମୁଁ ତାକୁ ପୁଅକରି ପାଳିବି ।

 

ରହିମ— କ’ଣ କହିଲୁ ? ଗୋଟାଏ କାଫେର୍ ଛୁଆକୁ ତୁ ପୁଅକରି ପାଳିବୁ ? ସେ ଖାଁ ବଂଶର ଉତ୍ତରାଧିକାରୀ ହବ ? ନା, ତା’ କେବେ ହେଇପାରେନା । ଅନ୍ତତଃ ମୁଁ ବଞ୍ଚିଥାଉଁ ଥାଉଁ ଏ ବଂଶର ଆଭିଜାତ୍ୟକୁ ନଷ୍ଟ କରିଦେଇପାରିବି ନାହିଁ ।

 

ହାସିନା— ଚାଚା !

 

ହମିଦ— ଚାଚା !

 

ରହିମ— ତୁମର ଯଦି ପୋଷ୍ୟପୁତ୍ର ଗ୍ରହଣ କରିବା କଥା, ଆମ ବଂଶରେ କ’ଣ ପିଲା ନାହାନ୍ତି ? ଏ ଦେଶରୁ ମୁସଲମାନ ସଂପ୍ରଦାୟ କ’ଣ ଲୋପ ପାଇଯାଇଚି ? ତା’ ଛଡ଼ା ମୁଁ ପଚାରୁଚି, ତୁମର ଏ ବୟସରେ ପୋଷ୍ୟପୁତ୍ର ଗ୍ରହଣ କରିବା କ’ଣ ଦରକାର ? ତୁମର ଦୀର୍ଘ ଭବିଷ୍ୟତ ରହିଚି । ଆଲ୍ଲା ଚାହିଁଲେ କାଲି ସକାଳେ ତୁମର ପୁଅଝିଅ ହେବେ । ୟା’ ପାଇଁ ଏତେ ବ୍ୟସ୍ତ କାହିଁକି ? ତୁ ମୋ କଥା ମାନ ହମିଦ, ଗୋଟାଏ ହିନ୍ଦୁ ଛୁଆକୁ ପୋଷ୍ୟପୁତ୍ର ଗ୍ରହଣ କଲେ ଆମ ବଂଶର ଅମର୍ଯ୍ୟାଦା ହବ ।

 

ହାସିନା— ଅମର୍ଯ୍ୟାଦା ? ମଣିଷ ମଣିଷ ଛୁଆକୁ ପାଳିଲେ ବଂଶର ଅମର୍ଯ୍ୟାଦା ହବ ? ଏଇ କ’ଣ ଆମର ଧର୍ମ ?

 

ରହିମ— (ରାଗରେ) ହାସିନା, ତୁ ବଡ଼ ଉଦ୍ଧତ ହେଇପଡ଼ିଛୁ ।

 

ହାସିନା— ମତେ କ୍ଷମା କରିବେ ଚାଚା, ମୁଁ ଆପଣଙ୍କ କଥା ରଖିପାରିବି ନାହିଁ ।

 

ହମିଦ— ଆପଣ ଆଉ ବାଧା ଦିଅନ୍ତୁ ନାହିଁ, ଚାଚା !

 

ରହିମ— ଓଃ, ତୁମେ ତେବେ ମୋ କଥା ରଖିବ ନାହିଁ ? ବେଶ୍, ଯଦି ସେ ଏ ଘରେ ରହିବ, ତେବେ ମୁସଲମାନ ଧର୍ମ ଅନୁଯାୟୀ ସେ ଛୁଆକୁ ଖତନା କରାଯଉ ।

 

ହମିଦ— ୟା କିମିତି ହବ ?

 

ରହିମ— ମାନେ ? ତୁ କ’ଣ କହିବାକୁ ଚାହୁଁ, ମୁସଲମାନ ଧର୍ମକୁ ଉପେକ୍ଷା କରି ତାକୁ ତ ପୁଅକରି ପାଳିବୁ ? ନା, ତା’ କଦାପି ହେଇପାରେନା । ମୁସଲମାନ ଧର୍ମର ନୀତି ତତେ ଅଲବତ୍ ମାନିବାକୁ ହବ । ତା’ ନହେଲେ ସେ ଏ ଘରର ପୁଅ ହେଇ ରହିପାରିବ ନାହିଁ ।

 

ହମିଦ— ମତେ କ୍ଷମା କରିବେ ଚାଚା ! ଆଜି ମୁଁ ବାଧ୍ୟହେଇ ଆପଣଙ୍କର ଅବାଧ୍ୟ ହଉଚି । ଧୀର ମୋର ବନ୍ଧୁ । ବନ୍ଧୁତ୍ୱର ସୁଯୋଗ ନେଇ ମୁଁ ତା’ର ଧର୍ମକୁ ନଷ୍ଟ କରିଦେଇ ପାରିବି ନାହିଁ ।

 

ରହିମ— ତା’ ବୋଲି ତୁ ତୋ ଧର୍ମକୁ ନଷ୍ଟ କରିଦବୁ ? ଖାଁ ବଂଶର ମାନ— ମହତ୍ତ୍ୱକୁ ତଳେ ପକେଇ ବନ୍ଧୁତ୍ୱର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବୁ ? ଏଇ ତୋର ଶିକ୍ଷା, ଏଇ ତୋର ସଭ୍ୟତା ?

 

ହମିଦ— ଧର୍ମ ନାଁ’ରେ ମଣିଷ ଜାତିକୁ ଘୃଣା କରିବା କ’ଣ ଆମର ସଭ୍ୟତା ?

 

ରହିମ୍— ଖାମୋସ୍ ! ପାଠଶାଠ ପଢ଼ାଇ ତତେ ମୁଁ ବଡ଼ କରିଚି କି ନା, ମୋର ଅବାଧ୍ୟ ନ ହେଲେ ତୋର ମର୍ଯ୍ୟାଦା ବଢ଼ିବ କିମିତି ? ପିଲାଟି ଦିନରୁ କୋଳେଇ କାଖେଇ ମଣିଷ କରିଥିଲି କ’ଣ ଏଇଥିପାଇଁ ? ଏଇ କଥା ଶୁଣିବାକୁ ?

 

ହମିଦ— ଆପଣ ମୋ କଥା ବୁଝିବାକୁ ଚେଷ୍ଟା କରନ୍ତୁ ।

 

ରହିମ— ମତେ ଆଉ ବିଶେଷ କିଛି ବୁଝାଇବା ଦରକାର ନାହିଁ । ମୁଁ ସବୁ ବୁଝିପାରିଚି । ମୋର କେବଳ ଗୋଟାଏ କଥା, ସେମାନେ ଯଦି ଏ ଘରେ ରହନ୍ତି, ତାହେଲେ ମୁଁ କାଲି ସକାଳେ ଚାଲିଯବି । ଏତେ ବଡ଼ ଅନ୍ୟାୟ ବରଦାସ୍ତ କରିପାରିବି ନାହିଁ ।

 

ହମିଦ— ଚାଚା !

 

ରହିମ— ହଁ, ଏଇ ମୋର ଶେଷ କଥା । ସେ ଛୁଆ ଆଉ ଚାକରାଣୀ ଏ ଘରୁ ନ ଯିବା ଯାଏ ମୁଁ ତୋ ଘରେ ପାଣି ଛୁଇଁବି ନାଇଁ । (ପ୍ରସ୍ଥାନ)

 

ହମିଦ— ଚାଚା, ଚାଚା— ମୋ କଥା ଶୁଣନ୍ତୁ । ଚାଚା...... (ପଛେ ପଛେ ଗଲେ)

 

କାନ୍ତା— (ପ୍ରବେଶି) ମା’

 

ହାସିନା— ଏଁ, କ’ଣ ?

 

କାନ୍ତା— ମୁଁ ଆଜି ଏ ଘରୁ ଚାଲିଯିବି ମା’ !

 

ହାସିନା— ଚାଲିଯିବୁ ?

 

କାନ୍ତା— ହଁ, ମା’ ! ମୋ ପାଇଁ କାହିଁକି ଏ ଘରେ ଅଶାନ୍ତି ସୃଷ୍ଟି ହବ ? ମୁଁ କାହିଁକି ସୁଖୀ ପରିବାରର ଗଳଗ୍ରହ ହେଇ ରହିବି ? ବିପଦରେ ପଡ଼ି ଗୋଟାଏ ରାତି ପାଇଁ ଆଶ୍ରୟ ଚାହିଁଥିଲି— ଆଶ୍ରୟ ପାଇଚି । ମୋ ମହତ ରହିଚି । ଏଣିକି ମୁଁ ମୋ ବାଟରେ ଚାଲିଯିବି ।

 

ହାସିନା— କିନ୍ତୁ ତୁ ଯିବୁ କୁଆଡ଼େ ?

 

କାନ୍ତା— ଏତେ ବଡ଼ ଦୁନିଆଁ ଭିତରେ ମୋ ପାଇଁ ଜାଗାର ଅଭାବ ରହିବ ମା’ ? କିଛି ନ ହେଲେ ନଈ ପୋଖରୀ ତ ପାଇବି !

 

ହାସିନା— ସର ! ନା-ନା, ତୁ ଏ ଘରୁ ଯାଇପାରିବୁ ନାହିଁ । ତତେ ମୁଁ ଯିବାକୁ ଦେବିନି । ତୁ ଏଇଠି ରହିବୁ ।

 

କାନ୍ତା— ମତେ ଆଉ ମନା କରନା, ମା’ ! ମୋ ପରି ଗୋଟାଏ ଅଲକ୍ଷଣୀକୁ ଆଶ୍ରୟ ଦେଇ ଏ ଘରର ସୁଖ ଶାନ୍ତି ନଷ୍ଟ କରିଦେବ କାହିଁକି ? ନାଇଁ ମା’, ମୁଁ ଚାଲିଯିବ ।

 

ହାସିନା— ତତେ ଯେତେବେଳେ ଆଶ୍ରୟ ଦେଇଚି, ଏମିତି ଅନାଥା ଅବସ୍ଥାରେ ଛାଡ଼ିଦେବି କେମିତି ? ତୁ ସ୍ତ୍ରୀ, ଯୁବତୀ । ଦୁନିଆଁ କଥା କ’ଣ ତତେ ଅଛପା ଅଛି ?

 

କାନ୍ତା— ମୁଁ ସବୁ ଜାଣୁଚି ମା’, ସବୁ ବୁଝୁଚି । ହେଲେ, ଯିଏ ମତେ ଅସମୟରେ ଆଶ୍ରୟ ଦେଇଚି, ଯାହାର ଦାନା ଖାଇ ବଞ୍ଚିଚି, ତାଙ୍କର ଅମଙ୍ଗଳ କରିବି କିମିତି ?

 

ହାସିନା— ସେ ଯାହା ହଉ ପଛେ, ତତେ ମୁଁ ଯିବାକୁ ଦେବିନି ସର ! ତୁ ଏଇଠି ରହିବୁ ।

 

କାନ୍ତା— ମା-!

 

ହାସିନା— ହଁ, ହଁ, ତତେ ଏଇଠି ରିହିବାକୁ ହବ । (ପ୍ରସ୍ଥାନ)

 

କାନ୍ତା— ମା’...ମା’..! ସତରେ ତୁମେ କ’ଣ ? ମୁଁ ତ କିଛି ଜାଣିପାରୁନି ! ଏ ଦୁନିଆରେ ଏମିତି ମଣିଷ ଫେର ଅଛନ୍ତି ? ହେଲେ, ମୁଁ ତୁମର କିଏ ? ମୁଁ ହିନ୍ଦୁ, ତମେ ମୁସଲମାନ । ମୋ ପ୍ରତି ତୁମର ଏତେ ଦୟା କାହିଁକି ?

 

(ଏତିକିବେଳେ ଧୀର ଆସିଚନ୍ତି)

 

ଧୀର— ଭାଉଜ, ଭାଉଜ !....କିଏ ସର ! ଭାଉଜ କାହାନ୍ତି ?

 

କାନ୍ତା— ଭିତରେ । (ଧୀର ଭିତରକୁ ଯାଉଥିଲେ) ବାବୁ !

 

ଧୀର— (ଫେରିପଡ଼ି) ଉଁ, କ’ଣ ?

 

କାନ୍ତା— ମୁଁ କ’ଣ କହୁଥିଲି କି ବାବୁ...

 

ଧୀର— କ’ଣ କହ ।

 

କାନ୍ତା— ସେ ଚାଚାବାବୁ ଭାରି ରାଗୁଥିଲେ । କହିଲେ— ସେ ଏ ଘରେ ପାଣି ଛୁଇଁବେ ନାଇଁ

 

ଧୀର— କାହିଁକି, କ’ଣ ହେଲା ?

 

କାନ୍ତା— ପୁଅକୁ ମୁସଲମାନ ନ କରିବା ଯାଏ ସେ ଏ ଘରେ ଖାଇବେ ନାହିଁ ବୋଲି କହିଲେ ।

 

ଧୀର— ପୁଅକୁ ମୁସଲମାନ କରିଦେବ ?

 

କାନ୍ତା— ହଁ ବାବୁ । ସେ ଯେମିତି ଏକଜିଦିଆ ଲୋକ ନା, କାହାରି କଥା ଶୁଣିବେ ନାହିଁ । ଆପଣ ପୁଅକୁ ଏଠୁ ନେଇଯାନ୍ତୁ ।

 

ଧୀର— ନେଇଯିବି ! କାହିଁକି ନେଇଯିବି ? କୁଆଡ଼େ ନେଇଯିବି ? ଦୁନିଆରେ ତା’ର କିଏ ଅଛି ବୋଲି ନେଇଯିବି ?

 

କାନ୍ତା— ତାହେଲେ କ’ଣ ମୁସଲମାନ କରିଦେବେ ? (ହସିଲା)

 

ଧୀର— ସେ ମୁସଲମାନ ହଉକି ଖ୍ରୀଷ୍ଟୟାନ ହଉ, ଏ ଦୁନିଆରେ ସେ ମଣିଷ ହେଇ ବଞ୍ଚିରହୁ, ଏତିକି ମୋର ଇଚ୍ଛା ।

 

କାନ୍ତା— ଆପଣ ଏତେ ବଡ଼ ଅଧର୍ମ କରନ୍ତୁ ନାହିଁ ବାବୁ ! ମୋ ଛୋଟ କଥା ମାନନ୍ତୁ, ପୁଅକୁ ଫେରାଇନିଅନ୍ତୁ । ମୁଁ ତାକୁ ପାଳିବି ।

 

ଧୀର— ତୁ ପାଳିବୁ ? (ହସି) ତୋ ନିଜ ପାଇଁ କୌଣସି ସଂସ୍ଥା ନାହିଁ; ଅଥଚ ମୋ ପୁଅକୁ ତୁ ପାଳିବୁ ?

 

କାନ୍ତା— ମୋର କିଛି ନ ଥାଉ, ଆପଣ ତ ଅଛନ୍ତି ! ଆପଣ ତା’ର ବାପ । ଆପଣ ଥାଉଁ ଥାଉଁ ମୋର ଆଉ ଦରକାର କ’ଣ ? ମୁଁ କେବଳ ମା’ର ସ୍ନେହ ଦେଇ ପୁଅର ସେବା କରିବି ।

 

ଧୀର— ଚୁପକର ! ତୁ ଏତେ ନୀଚ ବୋଲି ମୋର ଧାରଣା ନଥିଲା ।

 

କାନ୍ତା— ବାବୁ !

 

ଧୀର— ଚାଲିଯା ଏଠୁ, ଯା କହୁଚି ! ତତେ ଆଶ୍ରୟ ଦେଇ ଭାଉଜ ବଡ଼ ଭୁଲ୍ କରିଚନ୍ତି । ତୋ ପରି ହୀନ ମନୋବୃତ୍ତିର ଲୋକଙ୍କୁ ଗୁଳିକରି ମାରିଦେବା ଉଚିତ ।

 

କାନ୍ତା— ବାବୁ !

 

ଧୀର— Shut up ! (ହମିଦ ଆସିଚନ୍ତି)

 

ହମିଦ— କିରେ କ’ଣ ହେଇଚି ? ତା’ ଉପରେ ଏମିତି କାହିଁକି ବିରକ୍ତ ହଉଚୁ ?

 

ଧୀର— ୟାକୁ ତୁ ବାହାର କରିଦେ ହମିଦ ! ୟାର ଉଦ୍ଦେଶ୍ୟ ମୋଟେ ଭଲ ନୁହେଁ ।

 

ଧୀର— ହଉ, ହଉ, ସେ ଚାଲିଯିବ । ତୁ ଚାଲିବୁଟି ଭିତରକୁ ।

 

ଧୀର— ଆଗ ମୋ କଥାର ଜବାବ ଦେ, ହମିଦ୍ !

 

ହମିଦ— କ’ଣ ?

 

ଧୀର— ଚାଚା କ’ଣ କହୁଥିଲେ ?

 

ହମିଦ— ଚାଚା ? ଏଁ, ହଁ— ତୋର ବାହାଘର ପ୍ରସ୍ତାବ ପକ୍କା ହେଇଯାଇଚି । ଯେତେଶୀଘ୍ର ତୋର ବାହାଘର ହେଇଯାଉ ମଙ୍ଗଳ ।

 

ଧୀର— ହଁ ଶୁଣିଚି । ହେଲେ ମୁଁ ପଚାରୁଚି—ତୋ ଘରେ ଏତେ ସବୁ ବିଭ୍ରାଟ ସୃଷ୍ଟି ହଉଚି କାହିଁକି-?

 

ହମିଦ— ବିଭ୍ରାଟ ! କି ବିଭ୍ରାଟ ?

 

ଧୀର— ମୁଁ ସବୁ କଥା ଶୁଣିସାରିଚି ହମିଦ ! ମତେ ଆଉ ଫାଙ୍କିବାକୁ ଚେଷ୍ଟା କରନା । ତୁ ଚାଚାଙ୍କ କଥା ରଖ ।

 

ହମିଦ— ଧୀର !

 

ଧୀର— ହଁ, ତୁ ତାକୁ ମୁସଲମାନ କରିଦେ...

 

ହମିଦ— ନା, ତା’ ହେଇପାରିବ ନାହିଁ । ତୁ ତୋ ପୁଅକୁ ଫେରାଇନେ ।

 

ଧୀର— ହମିଦ !

 

ହମିଦ— ହଁ ଧୀର, ତୁ ତୋ ପୁଅକୁ ନେଇଯା—

 

ଧୀର— ଭାଉଜଙ୍କର କ’ଣ ଏଇ ଇଚ୍ଛା ?

 

ହମିଦ— ତା’ ଇଚ୍ଛା ସାଙ୍ଗରେ ତୋର ସମ୍ପର୍କ କ’ଣ ? ମୁଁ କହୁଚି ତୁ ତାକୁ ଏଠୁ ନେଇଯା । ବୋହୂ ଆସିଗଲା ପରେ ପୁଅର କୌଣସି ଅସୁବିଧା ହବ ନାହିଁ ଧୀର । ତୁ ମୋ କଥା ମାନ ।

 

ଧୀର— ସେ ପୁଅ ମୋର ନୁହେଁ ହମିଦ ! ସେ ଭାଉଜଙ୍କର ପୁଅ । ତା’ର ଭବିଷ୍ୟତ ଚିନ୍ତା ଭାଉଜ କରିବେ ।

 

ହମିଦ— ତୁ ଆଉ ଅବାଧ୍ୟ ହୋ’ନା ଧୀର ! ମୁଁ ଯାହା କହୁଚି, ତା’ କର ।

 

ଧୀର— ତୁ ମତେ କ୍ଷମାକର ହମିଦ ! ମା’ କୋଳରୁ ମୁଁ ପୁଅକୁ ଛଡ଼େଇପାରିବି ନାହିଁ । ମାତୃଗୌରବକୁ ମୁଁ ଅବମାନନା କରିପାରିବି ନାହିଁ । ସେ ମୁସଲମାନ ହୁଅନ୍ତୁ କି ଯାହା ହୁଅନ୍ତୁ, ଭାଉଜ ବାବୁଲାର ମା’ । ହଁ, ହଁ, ସେ ବାବୁଲାର ମା’, ସେ ତା’ର ସବୁ । ମୁଁ ତା’ର କେହି ନୁହେଁ । ନା, ନା ମୁଁ ତା’ର କେହି ନୁହେଁ । (କହି କହି ଚାଲିଗଲେ)

 

ହମିଦ— ଧୀର,ଧୀର— ଶୁଣ, ଶୁଣିଯା କହୁଚି ।

 

ରହିମ— (ପ୍ରବେଶ କରି) ଶୁଣ ହମିଦ ! ସେ ଯାହା କହୁଚି, ଠିକ୍ କହିଚି । ତୋର ସେଥିରେ ଆପତ୍ତି କରିବାର କ’ଣ ଅଛି ? ତୁ କାହିଁକି ବାଧା ଦଉଚୁ ?

 

ହମିଦ— ମୁଁ ମୋର ବିବେକକୁ ବଳି ଦେଇପାରିବ ନାହିଁ, ଚାଚା ! ବାବୁଲା କେବେ ମୁସଲମାନ ହେଇପାରେ ନା । (ପ୍ରସ୍ଥାନ)

 

ରହିମ— ହିମଦ ! ଆଚ୍ଛା...

 

ତୃତୀୟ ଦୃଶ୍ୟ

 

-ସହରର ରାସ୍ତା-

 

[କଟକ ସହରର ଗୋଟିଏ ରାସ୍ତା । ଆଗେ ଆଗେ ଧୀର, ପଛେ ପଛେ ଅନାଦି କଥାବାର୍ତ୍ତା ହୋଇ ଆସିଲେ]

 

ଧୀର— ଓଃ, ତୁମେ କାହିଁକି ମୋ ପଛରେ ଲାଗିଚ କହିଲ ? ମୋର ସେ ଘର ସାଙ୍ଗରେ କ’ଣ ସମ୍ପର୍କ ଅଛି ?

 

ଅନାଦି— କ’ଣ କହିଲୁ ? ତୋର ସମ୍ପର୍କ ନାହିଁ ? ତୁ ପରା ଏତେ ପାଠ ପଢ଼ିଚୁ ! ତୋର ଏଇ ବୁଦ୍ଧି-? ତୁ ସେ ଘରର ଗୋଟିଏ ବୋଲି ପୁଅ, ଏ କଥାକୁ କ’ଣ କେହି ଅସ୍ୱୀକାର କରିବ ?

 

ଧୀର— ନ କରିବେ କାହିଁକି ? ମୁଁ ଯେ ମୁସଲମାନ ।

 

ଅନାଦି— ଓହୋ, କ’ଣ ଗୁଡ଼ାଏ ଏମିତି କହୁଚୁ ?

 

ଧୀର— ତା’ ନହେଲେ ସେଦିନ ରାତିରେ ବୋଉ ମତେ ଫେରାଇ ଦେଇଥାନ୍ତା ? କେତେ ଆଶା ନେଇ ମୁଁ ତା’ କୋଳକୁ ଫେରି ଯାଇଥିଲି । ହେଲେ, ସେ ମତେ ତା’ ପାଦ ଛୁଇଁବାକୁ ଦେଲାନି ।

 

ଅନାଦି— ହାଁ, ସେଇ କଥା ମୁଁ କହୁଚି । ସେଦିନ ରାତିରେ ତୁ ସେ ଘରକୁ ଯାଇଥିଲୁ ବୋଲି ବୋଉକୁ ତୋର ବାସନ୍ଦ କରିଛନ୍ତି ।

 

ଧୀର— ବାସନ୍ଦ କରିଚନ୍ତି, କାହିଁକି ? ସେ କ’ଣ ଅପରାଧ କଲା ?

 

ଅନାଦି— ସେ ସିନା ଅପରାଧ କରିନି, ତୁ ପରା ପଠାଣ ହେଇଚୁ ? ସେ ଘର ଦୁଆରମୁହଁ ତୁ ମାଡ଼ିଲୁ ବୋଲି, ଘରର ମାଟି, ପଥର ପର୍ଯ୍ୟନ୍ତ ସବୁ କୁଆଡ଼େ ମାରା ହେଇଯାଇଚି । ତା’ପରେ ତୁ ଯୋଉ “ମଣିଷ” କାଗଜଟା ବାହାର କରୁନୁ, ସେ ଗୋଟାକ ପରା ସମସ୍ତଙ୍କର ଚକ୍ଷୁଃଶୂଳ ହେଇଚି ! ତୁ ସେଥିରେ କୁଆଡ଼େ ଧର୍ମକୁ ନିନ୍ଦା କରି ଲେଖିଚୁ ବୋଲି ତୋ ନାଁ’ରେ କେଶ୍ କରିବାକୁ ବସିଚନ୍ତି !

 

ଧୀର— କେଶ୍ କରିବେ ? ମୋ ନାଁ’ରେ କେଶ୍ କରିବେ ? ବେଶ୍ କରନ୍ତୁ । କୋର୍ଟରେ ମୁଁ ତା’ର ଜବାବ ଦେବି । ମୁଁ ଜାଣେ ମୋର ଯୁକ୍ତି କ’ଣ ? କୋର୍ଟ ତ ଆଉ ଗାଁ ଚଉପାଢ଼ୀ ହେଇନି ଯେ, ମଣିଷକୁ ମାଟି-ଗୋଡ଼ିଠୁଁ ହୀନ କରି ଦେଖିବେ ? ସେଠି ନ୍ୟାୟ-ଅନ୍ୟାୟର ବିଚାର ହୁଏ ।

 

ଅନାଦି— ସେ ନ୍ୟାୟ-ଅନ୍ୟାୟର ବିଚାର କିଏ କରୁଚି ହେ ? ସମସ୍ତେ ତ ନିଜ ନିଜ ସ୍ୱାର୍ଥକୁ ଦେଖିଲେ ! ଚାରିଜଣ ଚଉପାଢ଼ୀ ଉପରେ ବସି ଯାହା କହିବେ, ତାହା ହିଁ ହେଲା ବେଦର ଗାର । ସ୍ୱୟଂ ବ୍ରହ୍ମା ଆସିଲେ ବି ତାକୁ ଓଲଟପାଲଟ କରିପାରିବେ ନାହିଁ । ଏଇ ହେଲା ଆମ ଗାଁର ନୀତି । ରାଜାର ହୁକୁମ ହାର ମାନିବ ପଛେ, ହେଲେ ଏ ବ୍ରାହ୍ମଣ ପଞ୍ଛାଙ୍କ କଥା ତଳେ ପଡ଼ିବ ନାହିଁ । ସେମାନେ ପରା ହେଲେ ଦୁର୍ବାସାର ବଂଶ !

 

ଧୀର— ସେ ବଂଶକୁ ମୁଁ ଧ୍ୱଂସ କରିବି । ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ କେଶ୍ କରିବି । ଦେଖିବି, ସେମାନେ ମୋର କ’ଣ କରିବେ ?

 

ଅନାଦି— କ’ଣ ହେଲା, ତୁ କେଶ୍ କରିବୁ ? ହଇରେ, ଏ ବୁଢ଼ୀ ଦିନେ ବୋଉଟାକୁ କାଠଗଡ଼ା ଭିତରେ ଭର୍ତ୍ତି କରିବୁ ? ତୋ ନିଜ ମା’ ହେଇଥିଲେ ତୁ ଏ କଥା କରନ୍ତୁ ?

 

ଧୀର— ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଚି ଭାଇନା, ଏତେ ବଡ଼ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବିପ୍ଳବ ସୃଷ୍ଟି କରି, ମଣିଷର ହକ୍ ଦାବି ହାସଲ କରିବାକୁ ତୁମେସବୁ ଏତେ ଦୁର୍ବଳ କାହିଁକି ? କାହିଁକି ଆଫ୍ରିକାର ନିଗ୍ରୋଙ୍କ ପରି ସ୍ୱାର୍ଥାନ୍ଧ ଗୋଷ୍ଠୀର ଚାବୁକ ଖାଇ ପଡ଼ିରହିଚ ? ୟାର ମାନେ କ’ଣ ?

 

ଅନାଦି— ତୁ ସିନା ପଠାଣ ହେଇଚୁ ବୋଲି ଏ କଥା କହିପାରୁଚୁ, ଗାଁରେ ଥିଲେ ଏ କଥା କ’ଣ କହିପାରନ୍ତୁ ? ଛାଡ଼ ସେ କଥା । ବର୍ତ୍ତମାନ ମୁଁ କ’ଣ କରିବି ଆଗ କହ । ତୋ ବୋଉ ଯୋଉ ଦୁଃଖରେ ଅଛିନା, ଦେଖିଲେ ଶତ୍ରୁର ଛାତି ଫାଟିଯିବ । ରାସ୍ତା ଘାଟ, ନିଆଁ, ପାଣି, ଦିଅଁ-ଦେବତା ସବୁକିଛି ମନା । ଓହୋ, କ’ଣ ନଥିଲା ସେ ଘରେ ! ତୋ ନନା ଥିଲାବେଳେ ଗର୍ଭିଣୀ ଗାଈ ବାଟ ଛାଡ଼ି ଦଉଥିଲା । ଆଉ ଆଜି ସେ ଘର କ’ଣ ହେଲା !

 

ଧୀର— ବୋଉକୁ ସେମାନେ ଏମିତି ହଇରାଣ କରୁଛନ୍ତି ?

 

ଅନାଦି— ଆରେ କରୁଛନ୍ତି କ’ଣ ମ ? ତୁ ଯେତେଦିନ ହେଲା ଗାଁରୁ ଆସିଲୁଣି, ସେଇ ଦିନରୁ ପରା ଏ ଅବସ୍ଥା ! ବୋଉ ତେଣେ ବିଛଣା ଧରିଚି । ଘରୁ ପଦାକୁ ଆସିବାର ଉପାୟ ନାହିଁ । ମୁଁ କ’ଣ କହୁଥିଲି କି, ସେ ଗାଁ ଛାଡ଼ି ଅନ୍ୟ ଗାଁରେ ଘର କରି ରହିବା ଭଲ ।

 

ଧୀର— ସେ ଗାଁ ଛାଡ଼ି ଅନ୍ୟ ଗାଁକୁ ଚାଲିଯିବ ! କାହିଁକି ? ସମାଜପତିଙ୍କ ଭୟରେ ? ତା’ କେବେ ହେଇପାରେନା ।

 

ଅନାଦି— ବେଶ୍, ତୁ ତାହେଲେ ନିଜେ କହ କ’ଣ କରିବାକୁ ହବ ? ସେ ତ ଫେର ବଞ୍ଚିବ ? ତୁ ଥାଉ ଥାଉ ବୁଢ଼ୀଟା କ’ଣ ଏମିତି ହନ୍ତସନ୍ତ ହେଇ ମରିବ ?

 

ଧୀର— ବେଶ୍, ତାହେଲେ ବୋଉକୁ କହିଦିଅ, ସେ କଟକ ଚାଲିଆସୁ । ମୋ ପାଖରେ ରହିବ । ଏଥିରେ ତା’ର କିଛି ଅସୁବିଧା ହବ ନାହିଁ ।

 

ଅନାଦି— ତୋ ପାଖରେ ରହିବ ! ସେ ବାଟ ତୁ ରଖିଚୁ ? ସେ ପରା କହୁଥିଲା- ମରିଯିବ ପଛେ, ହେଲେ ତୋ ଘରକୁ ସେ ଆସିବ ନାହିଁ ।

 

ଧୀର— ସେ ତ ମୋ ଘରକୁ ଆସିବ ନାହିଁ, ମତେ ଛୁଇଁବ ନାହିଁ । ମୁଁ ତେବେ କ’ଣ କରିବି ମତେ କୁହ ।

 

ଅନାଦି— ଆରେ, ସେ ମୂର୍ଖଲୋକ ବୋଲି ତୁ ତା’ ସାଙ୍ଗରେ ସମାନ ହେଇଯାଉଚୁ ? ତୋ ବୋଉର ବା ଆଉ କେତେଦିନ ? ଏ ବୟସରେ ତୁ ତା’ ମନରେ ଦୁଃଖ ନ ଦେଇ, ସେ ଯାହା କହୁଚି ତୁ ସେଇଆ କର ।

 

ଧୀର— ବୋଉର ତାହେଲେ କ’ଣ ଇଚ୍ଛା ?

 

ଅନାଦି— ତା’ର ଇଚ୍ଛା.....ସେ ଆଉ ଗାଁରେ ଘର କରି ରହିବ ନାହିଁ । କାଶୀ କି ବୃନ୍ଦାବନ ଚାଲିଯିବ-

 

ଧୀର— ବେଶ୍ ଯାଉ । ସେଥିରେ ମୋର ବାଧା ଦବାର କ’ଣ ଅଛି ?

 

ଅନାଦି— ଆହା, ଖାଲି ଯାଉ ବୋଲି କହିଦେଲେ ତ ହବନି, ତା’ର ବ୍ୟବସ୍ଥା ତତେ କରିବାକୁ ପଡ଼ିବ । ୟେ ତ ପାଞ୍ଚପଚିଶର କାରବାର ନୁହେଁ ଯେ, କାହାଠୁ ଧାର ଉଧାର କରି ଚାଲିଯିବ । ଚାରି ପାଞ୍ଚ ହଜାର ଟଙ୍କାର କଥା । ସବୁଦିନ ପାଇଁ ସେ ସେଠି ରହିବ...

 

ଧୀର— ଏତେଗୁଡ଼ାଏ ଟଙ୍କା ମୁଁ ପାଇବି କୋଉଠୁ ?

 

ଅନାଦି— ଆହା, ତୁ ଆଉ ଏତେ ଟଙ୍କା ପା’ନ୍ତୁ କୁଆଡ଼ୁ ? ତୋ ବୋଉ କହୁଥିଲା-“ମାଣିକଯୋଡ଼ି” ଆଉ “ପାଟହାତୀ” ଜମି ଦି’ଟାକୁ ବିକ୍ରି କରିଦବ । ତୋ ମତ କ’ଣ ?

 

ଧୀର— ମୋର କୌଣସି ଆପତ୍ତି ନାହିଁ ଭାଇନା ! ବୋଉର ଯେମିତି ସୁବିଧା ହବ - ସେ କରୁ । (ଚାଲିଯାଉଥିଲା)

 

ଅନାଦି— ଚାଲିଯାଉଚୁ ଯେ ! ଶୁଣ୍ । ମୁହଁରେ କହିଦେଲେ ତ ହବ ନାହିଁ । ୟେ ଟଙ୍କା ପଇସା କଥା, ରୀତିମତ ଲେଖାପଢ଼ା ହବ, ତୁ ଦସ୍ତଖତ କରିବୁ । ତା’ ନହେଲେ ଜମି କିଣିବ କିଏ ? ତୋର କାଳେ ସମୟ ନ ଥିବ, ସେଇଥିପାଇଁ ମୁଁ ଆଗରୁ ସବୁ ଲେଖାପଢ଼ା କରି ନେଇଆସିଚି । ଏଇ ଦେଖ୍ (ଦଲିଲ ଦେଖାଇ) ଯୋଉଠି ଛକ ଦିଆହେଇଚି, ସେଇଠି ତୁ ଦସ୍ତଖତ କରିଦେ । ତୋ ବୋଉ ଦସ୍ତଖତ କରିଦେଇଚି, ତୋର କେବଳ ବାକି ଅଛି । (ନିଜ ପକେଟରୁ କଲମ ବାହାର କରି) ଧେତତାରୀ, ଦେଶୀ କଲମ ପରା ଏମିତି –ଦେଖୁନୁ, କାଲି ଲାଗି ଜାମାଟା କେମିତି ନଷ୍ଟ ହେଇଗଲାଣି ! (ସଫା କର ବଢ଼ାଇଲା । ଏତିକିବେଳେ ରାମ ସିଂ ଖୁବ୍ ତରବର ହେଇ ଆସିଲା)

 

ରାମ ସିଂ— ବାବୁ...ବାବୁ !

 

ଧୀର— କ’ଣ ହେଇଚି, ରାମ ସିଂ ?

 

ରାମ ସିଂ— ବାବୁଲାକୁ ନେଇ ସର କୁଆଡ଼େ ଚାଲିଯାଇଚି ।

 

ଧୀର— ଚାଲିଯାଇଚି ! କୁଆଡ଼େ ଚାଲିଯାଇଚି ?

 

ରାମ ସିଂ— କେଜାଣି ? ରାତି ଦୁଇଟା ବେଳେ ମା’ ଉଠି ଦେଖନ୍ତି ତ, ବାବୁଲା ନାହିଁ କି ସର ନାହିଁ-। ଆମେ ଦୁନିଆ ସାରା ସବୁଆଡ଼େ ଖୋଜି ଆସିଲୁଣି ବାବୁ, କୋଉଠି ତା’ ପତ୍ତା ପାଇଲୁ ନାହିଁ-। ମା’ ଖାଲି ବାୟାଣୀ ପରି ହଉଚନ୍ତି । ଆପଣ ଶୀଘ୍ର ଆସନ୍ତୁ ବାବୁ–

 

ଧୀର— ଏଁ ! (ଧୀର କାଗଜ ନେଇ ଦ୍ରୁତ ଗତିରେ ଚାଲିଗଲା । ପଛେ ପଛେ ରାମ ସିଂ ପ୍ରସ୍ଥାନ କଲା)

 

ଅନାଦି— ଧେତତେରୀ, ଏ ସଂକ୍ରାନ୍ତି ପୁରୁଷା କୋଉଠି ଥିଲା କେଜାଣି, ଠିକ୍ ସମୟରେ ଆସି ହାବୁଡ଼ିଗଲା ! ଆରେ, ଦଲିଲଟା ଯେ ନେଇ ପଳେଇଲା–ଧୀର-ଧୀର !

 

(ପଛେ ପଛେ ଅନୁଗମନ କଲା)

 

ଚତୁର୍ଥ ଦୃଶ୍ୟ

 

-ହମିଦଙ୍କ ଘର-

 

[ସମୟ–ସନ୍ଧ୍ୟା । ବାବୁଲାକୁ ଖୋଜିବା ପାଇଁ ଆଗେ ଆଗେ ହାସିନା ଘର ଭିତରୁ ବାହାରି ଆସିଚି । ପଛେ ପଛେ ରହିମ ବାଧା ଦଉଚନ୍ତି ।]

 

ରହିମ— ହାସିନା–

 

ହାସିନା— ମତେ ଆଉ ବାଧାଦିଅନ୍ତୁ ନାହିଁ ଚାଚା ! ମତେ ଯିବାକୁ ଦିଅନ୍ତୁ ।

 

ରହିମ— ତୁ ଯିବୁ କୁଆଡ଼େ ? ହମିଦ, ଥାନାବାଲା ସମସ୍ତେ ସେ ଛୁଆକୁ ଖୋଜିବାରେ ବ୍ୟସ୍ତ, ତୁ ଯାଇ ଅଧିକା କ’ଣ କରିବୁ ?

 

ହାସିନା— ସେମାନେ କେହି ଖୋଜିବାର ଚେଷ୍ଟା କରୁନାହାନ୍ତି । ତା’ ନହେଲେ ଆସି ସନ୍ଧ୍ୟା ହେଲା, ଏ ପର୍ଯ୍ୟନ୍ତ କେହି ସେ ଛୁଆର ପତ୍ତା ପାଆନ୍ତେ ନାହିଁ ?

 

ରହିମ— ତୋର ଏମିତି ଭାବିବା ଭୁଲ୍ । ମୁଁ ନିଜେ ଦେଖିଚି, ସକାଳୁ ଏ ଯାଏଁ ଥାନାର ପ୍ରତ୍ୟେକ ଲୋକ ସେ ଛୁଆକୁ ଖୋଜିବାରେ ବ୍ୟସ୍ତ । ତୁ କିଛି ଚିନ୍ତା କରନା । ସେ ଛୁଆଟା ନିଶ୍ଚୟ ମିଳିଯିବ ।

 

ହାସିନା— କାଲି ରାତିରୁ ଏଇ ଆଶ୍ୱାସନା ଦେଇଦେଇ ମତେ ଅଟକେଇ ରଖିଚନ୍ତି । କିନ୍ତୁ ମୁଁ ବୁଝିପାରିଚି, କେବଳ ବନ୍ଧୁର ଧର୍ମ ନଷ୍ଟ ହେବା ଭୟରେ ସେ ଏମିତି କରୁଚନ୍ତି ।

 

ରହିମ— ଗୋଟାଏ ପର ପିଲା ପାଇଁ ନିଜର ସ୍ୱାମୀକୁ ତୁ ଅବିଶ୍ୱାସ କରୁଚୁ ?

 

ହାସିନା— ପର ! ବାବୁଲା ମୋର ପର ! ମୁଁ ତାକୁ ଜନ୍ମଦେଇନି ସତ; ହେଲେ ମା’ ଛେଉଣ୍ତ ପିଲାକୁ ମୁ କି କଷ୍ଟରେ ପାଳିଚି, ସେ କଥା ଆପଣ ବୁଝିପାରିବେ ନାହିଁ ଚାଚା ! ତାକୁ ଛାଡ଼ି ମୁଁ ବଞ୍ଚି ରହିପାରିବି ନାହିଁ । ମତେ ଯିବାକୁ ଦିଅନ୍ତୁ ।

 

ରହିମ— ନିଜ ବଂଶପରମ୍ପରା ଇତିହାସକୁ ତୁ ଭୁଲିଯାଉଚୁ ହାସିନା ! ମନେରଖ, କୌଣସି ଖାନଦାନ ମୁସଲମାନ ଘରର ବୋହୂ ରାସ୍ତା ଉପରକୁ ଯାଇପାରେନା –

 

ହାସିନା— ଏମିତି ଖାନଦାନ-ଖାନଦାନ କହି କହି ଆପଣ ଆଜି ମୋର ସର୍ବନାଶ କରିଚନ୍ତି ।

 

ରହିମ— ମୁଁ ତୋର ସର୍ବନାଶ କରିଚି ?

 

ହାସିନା— ନୁହେଁ ? ଧର୍ମ ନାଁ’ରେ ଆପଣ ଏତେ ହିଂସା କଲେ ବୋଲି ସିନା, ଆଜି ଏତେସରି ହେଲା ! ତା’ ନହେଲେ ଆମେ ତ ବେଶ୍ ଖୁସିରେ ଥିଲୁ । ଆପଣ କାହିଁକି ୟା କରିବାକୁ ଗଲେ ?

 

ରହିମ— ହାସିନା ! ମନେରଖ, ମୋ ଅପେକ୍ଷା, ମଣିଷର ଜୀବନ ଅପେକ୍ଷା ତା’ର ନୀତିଟା ବଡ଼ । ଯାହାର ନୀତି ନାହିଁ, ଧର୍ମ ନାହିଁ, ସେ ମଣିଷ ନୁହେଁ-ଜାନୁଆର ।

 

ହାସିନା— ସେ ନୀତି- ଧର୍ମ ମୁଁ କିଛି ମାନେନା । ମୁଁ ଚାହେଁ ମୋର ପୁଅ ।

 

ରହିମ— ପୁଅ ! କିଏ ତୋର ପୁଅ ? ସେ କାଫେର ଛୁଆ ?

 

ହାସିନା— ସେ ଯାହା ହଉନା କାହିଁକି, ସେ ମୋର ପୁଅ, ମୁଁ ତା’ର ମା’ –

 

ରହିମ— ଚୁପ୍‍କର !

 

ହାସିନା— ମୁଁ ଜାଣେ, ଆପଣ ମୋର ଦୁଃଖ ବୁଝିପାରିବେ ନାହିଁ । ଛୁଆକୁ ହରେଇ ମୁଁ ଯେ କି ଦୁଃଖୀ, ସେ କଥା ଆପଣ ବାପ ହେଇଥିଲେ ବୁଝିପାରନ୍ତେ ।

 

ରହିମ— ହାସିନା, ମୋ ମୁହଁ ଉପରେ ତୁ ଏକଥା କହିପାରୁଚୁ ?

 

ହାସିନା— ମତେ କ୍ଷମା କରନ୍ତୁ ଚାଚା, ମତେ ଯିବାକୁ ଦିଅନ୍ତୁ ।

 

ରହିମ— ଶେଖ୍ ଅବଦୁଲ ରହିମ୍ ବଞ୍ଚି ଥାଉଥାଉ ଏ ବଂଶର ବୋହୂ ରାସ୍ତା ଉପରକୁ ଯିବ ? ନା–

 

ହାସିନା— ଚାଚା !

 

ରହିମ— ମନେରଖ, ଶେଖ ବଂଶର ଇଜ୍ଜତ ଏତେ ଶସ୍ତା ନୁହେଁ ଯେ, ତୁ ରାସ୍ତା ଉପରେ ବାରବୁଲା ଫକୀର ପରି ଘୂରି ବୁଲିବୁ । ଯଦି ମୋ କଥାର ଖିଲାଫ କରୁ, ତାହେଲେ ବାଧ୍ୟହେଇ ଏ ବଂଶର ସମ୍ପର୍କ ତତେ ଚିରଦିନ ପାଇଁ ଭୁଲିଯିବାକୁ ହବ ।

ହାସିନା— ଚାଚା !

ରହିମ— ହଁ-ହଁ, ଏ ଘରର ଝିଅ ବୋହୂ ଥରେ ଯିଏ ରାସ୍ତା ଉପରକୁ ଯିବ, ସେ ଆଉ ଫେରିଆସି ପାରିବନି ।

ହାସିନା— ସେ ଯାହା ହଉନା କାହିଁକି, ମୁଁ ଯିବି ।

(ଯିବାକୁ ବାହାରିଲେ)

ରହିମ— ଯିବୁ ? ବେଶ୍ ଯା-ହେଲେ ଏ ଜନ୍ମରେ ତୁ ସେ ଛୁଆକୁ ଆଉ ଫେରିପାଇବୁ ନାହିଁ ।

ହାସିନା— ପାଇବି ନାହିଁ ?

ରହିମ— ନା-ସେ ଆଉ ନାହିଁ । ମରିଯାଇଚି ।

ହାସିନା— ଚାଚା !

ରହିମ— ହଁ-ହଁ, ମୁଁ ତାକୁ ମାରିଦେଇଚି ।

ହାସିନା— ଚାଚା ! ଆପଣ ମୋ ପୁଅକୁ ମାରିଦେଲେ ! ଧର୍ମର ମହତ୍ତ୍ୱ ରଖିବାକୁ ଯାଇ ଗୋଟାଏ ନିଷ୍ପାପ ଶିଶୁକୁ ଶେଷରେ ଖୁନ କରିପାରିଲେ ?

ରହିମ— ହଁ-ହଁ, ମୁଁ ଖୁନ୍ କରିଚି କେବଳ ତୋରି ପାଇଁ ।

ହାସିନା— ଚାଚା ! ଆପଣ ଏ କ’ଣ କଲେ ? ମନରେ ଯଦି ଏତେ ହିଂସା ଥିଲା, ମତେ ମାରିଦେଇପାରିଲେ ନାହିଁ ? (କାନ୍ଦି)

(ଏତିକିବେଳେ ହମିଦ ଆସିଲେ)

ହମିଦ— ଓଃ, କାହିଁକି ତୁମେ ବ୍ୟସ୍ତ ହଉଚ ? ବାବୁଲାକୁ ନିଶ୍ଚୟ ପାଇବ ।

ହାସିନା— ସେ ଆଉ ଅଛି ଯେ ପାଇବି ?

ହମିଦ— ମାନେ ?

ହାସିନା— ବାବୁଲା ଆଉ ନାହିଁ । ନା, ସେ ମରିଯାଇଚି ।

ହମିଦ— ହାସିନା !

ହାସିନା— ହଁ-ହଁ, ଚାଚା ତାକୁ ମାରିଦେଇଚନ୍ତି । ଚାଚା ମୋ ପୁଅକୁ ମାରିଦେଇଚନ୍ତି । ବାବୁଲା ଆଉ ନାହିଁ । ବାବୁଲା ମରିଯାଇଚି । (କହି କହି ଭିତରକୁ ଚାଲିଗଲେ)

ହମିଦ— ହାସିନା, ହାସିନା ! (ରହିମ ପ୍ରତି) ଚାଚା ! ଏ କଥା କ’ଣ ସତ ?

ରହିମ— (ନୀରବ)

 

ହମିଦ— ଏ ନୀରବ ରହିବାର ବେଳ ନୁହେଁ ଚାଚା ! ଜୀବନମରଣ ସମସ୍ୟା । କୁହନ୍ତୁ, କ’ଣ କହି ମୁଁ ହାସିନାକୁ ସାନ୍ତ୍ୱନା ଦେବି ?

 

ରହିମ— ତୋର ସାନ୍ତ୍ୱନା ଦବା ଦରକାର ନାହିଁ ହମିଦ । ତୁ ଏଠୁ ଚାଲିଯା –

 

ହମିଦ— ଚାଚା, ଆପଣ ୟେ କ’ଣ କହୁଚନ୍ତି ? ବାବୁଲାକୁ ନ ପାଇଲେ ଯେ ହାସିନା ବଞ୍ଚିପାରିବ ନାହିଁ !

 

ରହିମ— ଏମିତି ବେସରମ୍ ବୋହୂର ମରିଯିବା’ ଇ ଭଲ ।

 

ହମିଦ— ଚାଚା !

 

ରହିମ— ବଂଶର ଗୌରବ ଅପେକ୍ଷା ତୋ ସ୍ତ୍ରୀର ଜୀବନ କିଛି ବଡ଼ ନୁହେଁ । ଏ ଘର ପାଇଁ ବୋହୂର ଅଭାବ ରହିବ ନାହିଁ । କିନ୍ତୁ ବଂଶ ମର୍ଯ୍ୟାଦା ଥରେ ନଷ୍ଟ ହେଲେ, ଆଉ ସେ ଫେରି ଆସିପାରେନା ।

 

ହମିଦ— ତା’ ବୋଲି ଆପଣ...

 

ରହିମ— ଗୋଟାଏ କାଫେର୍ ଛୁଆକୁ ଖୋଜିବା ପାଇଁ ଶେଖ ବଂଶର ବୋହୂ ରାସ୍ତା ଉପରକୁ ଯିବ-?

 

ହମିଦ— ମୁଁ ସେ ସବୁ କଥା ଶୁଣିବାକୁ ଚାହୁନି । ମୁ ପଚାରୁଚି-ବାବୁଲା କାହିଁ ?

 

ରହିମ— ମୁଁ ଜାଣେନା–

 

ହମିଦ— ତେବେ ସେ ଗଲା କୁଆଡ଼େ ?

 

ରହିମ— ୟାର ଜବାବ କ’ଣ ମୁଁ ତତେ ଦେବି ? ପୋଲିସ ଅଫିସର ହେଇଚୁ ବୋଲି ମତେ ତୁ ଜେରା କରୁଚୁ ?

 

ହମିଦ— ମୋ କର୍ତ୍ତବ୍ୟର ଗୁରୁଦାୟିତ୍ୱ ମତେ ସ୍ମରଣ କରେଇ ଦିଅନ୍ତୁ ନାହିଁ ଚାଚା ! ମୁଁ ଆପଣଙ୍କ ପୁଅ, ଆପଣଙ୍କ ପାଦଧରି ଅନୁରୋଧ କରୁଚି-ସତକଥା କୁହନ୍ତୁ । ମତେ ମୋ କର୍ତ୍ତବ୍ୟ କରିବାକୁ ବାଧ୍ୟ କରନ୍ତୁ ନାହିଁ ।

 

ରହିମ— କର୍ତ୍ତବ୍ୟ ! କ’ଣ ତୋର କର୍ତ୍ତବ୍ୟ ? ମତେ ଆରେଷ୍ଟ କରିବୁ ? ହାତକଡ଼ା ଦେଇ ହାଜତକୁ ନବୁ ? ମତେ ଫାଶୀ ଖୁଣ୍ଟରେ ଝୁଲେଇବୁ ? ବେଶ୍, ମତେ ଗିରଫ କର । ମୁଁ ସେ ଛୁଆକୁ ଖୁନ୍ କରିଚି ।

 

ହମିଦ— ଚାଚା !

 

ରହିମ— ହଁ-ହଁ, ମୁଁ ତାକୁ ମାରିଦେଇଚି । ମୁଁ ତାକୁ ଖୁନ୍ କରିଚି ।

 

ହମିଦ— ୟେ ଆପଣ କ’ଣ କଲେ ? ୟେ ଆପଣ କ’ଣ କଲେ ଚାଚା ! ଏତେ ବଡ଼ ପାପ ଆପଣ କରିପାରିଲେ ? ବେଶ୍, ଆପଣ ଚାଲନ୍ତୁ ଥାନାକୁ ।

 

ରହିମ— ହମିଦ !

 

ହମିଦ— ହଁ, ମୁଁ ଆପଣଙ୍କୁ ଆରେଷ୍ଟ କଲି ।

 

ରହିମ୍— ସାବାସ୍ ! ପୁଅ ଯଦି ବାପକୁ ଆରେଷ୍ଟ ନ କରିବ, ତେବେ ଆଉ ଆରେଷ୍ଟ କରିବ କିଏ ? ବେଶ୍, ଆରେଷ୍ଟ କର । ଶେଖ ବଂଶର ଇଜ୍ଜତ ରାସ୍ତାରେ ଠିଆହବା ପୂର୍ବରୁ ମୁଁ ତାକୁ ଅଟକାଇ ଦେଇଚି, ଏଇ ହଉଚି ମୋର ଅପରାଧ ।

 

ହମିଦ— ଚାଚା !

 

ରହିମ— ବଡ଼ ଅବଶୋଷ ହମିଦ । ଶେଷରେ ତୁ ବି ବିଶ୍ୱାସ କଲୁ ଯେ, ତୋ ଚାଚା ଖୁନ୍ କରିଚି ? କହ ହମିଦ, ଯୋଉ ଚାଚା ନମାଜ ନ କଲେ ମୁହଁରେ ପାଣି ଦିଏ ନାହିଁ; ମଣିଷ ମାରିବା ତ ଦୂରର କଥା, ଯିଏ ଆଖି ସାମନାରେ କୌଣସି ଜନ୍ତୁଜାନୁଆରର ହଲାଲ ବି ଦେଖିପାରେନା, ସେ ଆଜି ମଣିଷ ମାରିଦେଇଚି ! (ହସିଉଠି) ସେ ଆଜି ଗୋଟାଏ ନାଦାନ ଛୁଆକୁ ଖୁନ କରିଚି ! (ହସିଉଠିଲେ ଜୋରରେ)

 

ହମିଦ— ଚାଚା !

 

ପଞ୍ଚମ ଦୃଶ୍ୟ

 

-ଗ୍ରାମ ପଥ-

 

[ରାତ୍ରିର ଶେଷ ପ୍ରହର । ଅନାଦି ଅତି ସତର୍କ ଭାବରେ ଚାଲି ଯାଉ ଯାଉ ଚଇତା ପଛପଟୁ ଧାଇଁଆସି ଗାମୁଛା ସାହାର୍ଯ୍ୟରେ ଅନାଦିକୁ ଭିଡ଼ି ଧରିଲା]

 

ଅନାଦି— ଆରେ, ମତେ ଛାଡ଼ କହୁଚି । ଛାଡ଼-

 

ଚଇତା— ଛାଡ଼ିଦେବି ? ଏତେଦିନକେ ହାବୁଡ଼ରେ ପଡ଼ିଚୁ, ତତେ ଛାଡ଼ିଦେବି ?

 

ଅନାଦି— ଚଇତା, ମତେ ଚିହ୍ନିଚୁଟି ?

 

ଚଇତା— ତତେ ଚିହ୍ନିନି ? ତୁ ଚୋର ।

 

ଅନାଦି— ଏଁ.....ମୁହଁ ସମ୍ଭାଳି କଥା କହ କହୁଚି । ନହେଲେ କେଶ୍ କରିଦେବି ।

 

ଚଇତା— ତୁ ମତେ ଧମକୋଉଚୁ ? କେଶ୍ କରି ମୋର କ’ଣ କରିଦବୁ ? ମୁଁ କ’ଣ ତୋ ଭଳିଆ ଚୋରି କରିଚି ?

 

ଅନାଦି— ଆଉ କ’ଣ ମୁଁ ଚୋରି କରିଚି ? ମତେ କାହିଁକି ବାନ୍ଧୁଚୁ ? ଛାଡ଼ିଦେ କହୁଚି ।

 

ଚଇତା— ମୋ ଟଙ୍କା ଦେ- ଛାଡ଼ିଦେବି ।

 

ଅନାଦି— କି ଟଙ୍କା ? ସେ ଟଙ୍କା ଫଙ୍କା ମୁଁ ଜାଣିନି ।

 

ଚଇତା— ଏ ଠେଙ୍ଗାକୁ ଦେଖିଚୁ ! ଏକା ପାହାରକେ ତାଳୁ ଫଟେଇଦେବି । (ଠେଙ୍ଗା ଉଞ୍ଚେଇ) ମୋ ଚାରି କୋଡ଼ି ପନ୍ଦର ଟଙ୍କା ଦେ, ଯୁଆଡ଼େ ଯାଉଚୁ ଯା–

 

ଅନାଦି— ଆଚ୍ଛା ବେଶ୍, ମୁଁ କଟକରୁ ଫେରିଆସେ, ହିସାବ ଦେଖିବା- ତୁ ମୋ ଘରକୁ ଯିବୁ, ତୋର ଯାହା ପାଉଣା ତତେ ଅଣା ପାହି କରି ଚୁକ୍ତି କରିଦେବି ।

 

ଚଇତା— ସେ କଥା ହବ ନାଇଁ । ଆଜିକି ବର୍ଷେ ହେଲା ମତେ ଏମିତି ଠକି ଠକି ଆସିଚୁ । ହେଲେ, ଆଜି ଆଉ ନ ଛାଡ଼େ ।

 

ଅନାଦି— ଆରେ, ଟଙ୍କା କ’ଣ ମୁଁ ଅଣ୍ଟିରେ ମାରି ବୁଲୁଚି ?

 

ଚଇତା— ତୋ ପାଖରେ ଯାହା ଅଛି ବନ୍ଧା ଦେଇ ଯା-

 

ଅନାଦି— ମୋ ପାଖରେ କ’ଣ ଅଛି ଯେ ତତେ ବନ୍ଧା ଦେଇ ଯିବି ?

 

ଚଇତା— କାହିଁକି, ତୋ ଲୁଗା, ଜାମା, ଆଉ ସେ ବ୍ୟାଗରେ ଯାହା ଅଛି, ଦେଇ ଯାଉନୁ !

 

ଅନାଦି— କେଡ଼ିକି ହୁଣ୍ତାରେ ତୁ ? ମୁଁ ପରା କିଲଟରୀ କଚେରୀକୁ ଯାଉଚି-ମକଦ୍ଦମା କାର୍ଯ୍ୟରେ । କ’ଣ ଲଙ୍ଗଳା ହେଇ କିଲଟର ସାମନାକୁ ଯିବି ?

 

ଚଇତା— ମୁଁ ସେ ସବୁ ଜାଣିନି ।

 

ଅନାଦି— ତୁ ମତେ ଟଙ୍କା ଦେଇଚୁ, କିଚି ଲେଖା ରଖିଚୁ ? ମତେ ଛାଡ଼ିଦେ କହୁଚି, ନହେଲେ ଜେଲରେ ଠୁଙ୍କି ଦେବି । ମତେ କଣକିରି ପାଇଛୁ କି ?

 

ଚଇତା— ଜେଲରେ ଠୁଙ୍କିଦବୁ ? ତୁ ମୋ ହାତରୁ ଯିବୁ ଯେ ମତେ ଜେଲ୍ ଠୁଙ୍କିବୁ !

 

ଅନାଦି— ଚଇତା ! ମତେ ଏ ରାସ୍ତା ମଝିରେ କାହିଁକି ଏମିତି ବେଜିତ କରୁଚୁ କହିଲୁ ? କହିଲି ପରା, ତୋର ସବୁ ଟଙ୍କା ମୁଁ ପାହି କରି ଚୁକ୍ତି କରିଦେବି । ମତେ ଛାଡ଼ିଦେ-

 

ଚଇତା— ଛାଡ଼ିଦେଲେ ଆଉ ତୋ ଭେଟ ମିଳିବ ? ଗାଁରେ ସମସ୍ତଙ୍କର ଧାରିଚୁ ଯେ ଦିନରେ ତୋର ଦେଖା ମିଳୁନି । ସେଥିପାଇଁ ସନ୍ଧ୍ୟାରେ ଆସି ଭୋରରୁ ଚାଲିଯାଉଚୁ ?

 

ଅନାଦି— ଗାଁରେ ମୁଁ ଧାରିଚି ? କିଏ ସେ କହୁଚି ବେ ?

 

ଚଇତା— ନାଥିଆ ବାଉରି କହୁଚି, ରଘୁପାଣି କହୁଚି, ଶଙ୍କରା କହୁଚି । ଆଉ ଠାକୁରଘର ଚାନ୍ଦା ଟଙ୍କା ଖାଇଚୁ ବୋଲି ତୋ ନାଁ’ରେ କେଶ୍ ହେଇଚି ।

 

ଅନାଦି— ଆବେ ଯା, ଯା- ଏମିତି କେତେ କେଶ୍ ମୁଁ ଦଖିଚି । ମୋ ନାଁ’ରେ କେଶ୍ କଲେ ପୁଅଙ୍କୁ ଇମିତି ପାନେ ଦେବି ଯେ, ତାଙ୍କ ବାପ ଅଜା ଚଉଦପୁରୁଷର ନାଁ ପଇଟିବ ନାଇଁ । ଆମ ଆଡ଼ଭୋକେଟ୍ ବାବୁଙ୍କୁ ଚିହ୍ନିଚୁଟି ? ତାଙ୍କ ଜେରାରେ ଏ ପାର୍ବତୀପୁରିଆ ଛେରି ପକେଇବେ । ଗାଁକୁ ଆସିବାକୁ ବାଟ ପାଇବେନି, ଆଉ କେଶ୍ କରିବେ !

 

ଚଇତା— ତୁନି ହୋ ବେ, ସେଗୁଡ଼ା ମତେ ଶୁଣାନାଇଁ । ମୋ ଟଙ୍କା ପକା ।

 

ଅନାଦି— ତୁ ତାହେଲେ ମତେ ଛାଡ଼ିବୁ ନାହିଁ ?

 

ଚଇତା— ନା-

 

ଅନାଦି— ମୁଁ ତୋ ଟଙ୍କା ଫଙ୍କା କିଛି ଜାଣିନାହିଁ, ଯା-

 

ଚଇତା— ଫେର ସେ କଥା କହିଲୁ ? ଏ ଠେଙ୍ଗା ଦେଖୁଚୁ ଟି ? ମୋ ନାଁ ଚଇତା...

 

(ଏତିକିବେଳେ ପରଶୁଙ୍କ ପାଟି ଶୁଭିଲା ଦୂରରୁ)

 

ପରଶୁ— ଚଇତା, ତାକୁ ଛାଡ଼େନାରେ, ତାକୁ ଛାଡ଼ନା-

 

ଚଇତା— ନାଇଁ କକେଇ, ମୁଁ ଛାଡ଼ୁନି । ତୁମେ ଚଞ୍ଚଳ ଆସ ।

 

ଅନାଦି— ଚଇତା, ମୁଁ ତୋ ଟଙ୍କା ଦେଇଦଉଚି, ମତେ ଛାଡ଼ିଦେ । ମୋର ଗାଡ଼ି ସମୟ ହେଇଯାଉଚି ।

 

ଚଇତା— ଆଚ୍ଛା ହଉ, ମୋ ଟଙ୍କା ଦେ-ଛାଡ଼ିଦଉଚି । (ଅନାଦି ଟଙ୍କାତକ ଦେଲା, ଚଇତା ଖୁସି ହେଇଗଲା । ଯିବାକୁ ବାହାରିଲା ବେଳକୁ ଚଇତା ପୁଣି ଅଟକାଇଚି) ଯିବୁ କୁଆଡ଼େ ? ପରଶୁ କକେଇ ଆସୁ, ଗାଁ ଚଉପାଢ଼ୀକି ଯିବୁ । ସମସ୍ତଙ୍କର ଟଙ୍କା ଆଜି ଦବୁ ।

 

ଅନାଦି— ଚଇତା ! ତତେ ନେହୁରା ହଉଚି, ତୁ ମତେ ଛାଡ଼ିଦେ । (ଯିବାକୁ ଉଦ୍ୟତ ହେଉଥିଲା)

 

ପରଶୁ— (କହି କହି ଆସିଲେ) ଚଇତା ! ତାକୁ ଛାଡ଼ନା-ତା’ ଗଳାଚିପି ମାରିଦେ । ସଇତାନ, ମୋ ଝିଅର ସର୍ବନାଶ କରିଚି । (ଧୀରବୋଉ ଆସିଲେ)

 

ଧୀରବୋଉ— ହଇରେ ଅନାଦି ! ତତେ ଏତେ ବିଶ୍ୱାସ କରିଥିଲି । ତୁ ଶେଷରେ ଏଇଆ କଲୁ ? ମୋର ଯାହା ଯୋଉଠି ଥିଲା ସବୁ ନେଇଆସିଲୁ ?

 

ଅନାଦି— ମୁଁ କ’ଣ ନେଇଆସିଲି ? ମିଛରେ ମତେ ଦୋଷ ଦେନା କହୁଚି । ମୁଁ ପଞ୍ଚାୟତ ମେମ୍ବର–ମାନହାନି କେଶ୍ କରିଦେବି । ମତେ ଜାଣିଚୁ ?

 

ଧୀରବୋଉ— ତୋ କେଶ୍ ମୁହଁରେ ନିଆଁ, ତୋ ମୁହଁରେ ଧୂଆଁ । ଯୋଗନୀଖିଆ, ମୋରି ଟଙ୍କା ଚୋରି କରି ମୋ ନାଁ’ରେ କେଶ୍ କରିବୁ ?

 

ଅନାଦି— ମାଉସୀ !

 

ଧୀରବୋଉ— ମୋ ତକିଆ ତଳୁ ଚାବି ନେଇ, ସିନ୍ଦୁକରୁ ସବୁ ଟଙ୍କା, ସୁନା, କାଗଜପତ୍ର ନେଇଯାଇନୁ ? କାନ୍ତାର ଗଳା ଚିପି ମାରିଦେଇନୁ ?

 

ଅନାଦି— କ’ଣ ହେଲା ? ମୁଁ ତୋ ଟଙ୍କା, ସୁନା ନେଇଗଲି ? କାନ୍ତାର ଗଳାଚିପି ମାରିଦେଲି ? ହଇ ଲୋ ମାଉସୀ, ତୁ ପରା ନିଜେ କହୁଥିଲୁ–କାନ୍ତା ଗୋଟାଏ ବାଉରି ଟୋକା ସାଙ୍ଗରେ ରାତି ଅଧରେ ପଳେଇଲା ବୋଲି, ଆଉ ମୁଁ ମାରିଦେଲି କିମିତି ?

 

ପରଶୁ— ଚୁପ୍ କର, ସଇତାନ ! ଆଗ ମୋ କଥାର ଜବାବ ଦେ ।

 

ଅନାଦି— ମୋର ଜବାବ ଦବା ଆଗରୁ ମତେ କୁହ, ତୁମେସବୁ ମତେ ଇମିତି ଅପମାନ ଦଉଚ କାହିଁକି ? କିଛି ପ୍ରମାଣ ରଖିଚ ?

 

ଚଇତା— ଠେଙ୍ଗା ହଉଚି ୟାର ପ୍ରମାଣ । ଏକା ଠେଙ୍ଗାକେ ସବୁ ବାହାରିପଡ଼ିବ ।

 

ପରଶୁ— ତାକୁ ଥାନାକୁ ନେଇ ଚାଲ୍ ଚଇତା ! ସେ ଏଠି କିଛି ମାନିବନି ।

 

ଅନାଦି— ମତେ ବିଶ୍ୱାସ କର କକେଇ, ମୁଁ କାନ୍ତାକୁ ମାରିନି । ଏଇ ବୁଢ଼ୀ ଖାଇଲା ଭାତରେ ବିଷ ଦେଇ ତାକୁ ମାରିଦେଇଚି ।

 

ଧୀରବୋଉ— ଅନାଦି ! ତୁ ଏତେ ମିଛକଥା କହିପାରୁଚୁ ? ତତେ ଧର୍ମ ସହିବ ନାହିଁ । ତତେ ବଡ଼ରୋଗ ହବ । ତୋ ବଂଶ ବୁଡ଼ିଯିବ । ତୋ ଡିହରେ ବିଲୁଆ ଡେଇଁବ ।

 

ଚଇତା— ତତେ ଭୂତ ଖାଇବ ।

 

ଅନାଦି— ତୁନି ହୋ ବେ ! ମାଉସୀ, ସାବତ ପୁଅର ସମ୍ପତ୍ତି ଖାଇବୁ ବୋଲି ଏସବୁ କରିନୁ ? ଘରଦ୍ୱାର, ଜମିବାଡ଼ି ବିକ୍ରି କରିଦେଇନୁ ? (ଦଲିଲ ଦେଖାଇ) ଏ ଦଲିଲ ତୁ ଲେଖିଦେଇନୁ ? ଦେଖ କକେଇ ! ତୁମେ ନିଜେ ଦେଖ ଯେ, ସବୁ ବୁଝିପାରିବ । ଏଇ ଦେଖ, ୟେ ହଉଚି ଏ ବୁଢ଼ୀର ଟିପ, ତା’ ତଳକୁ ସାକ୍ଷୀମାନଙ୍କର ସନ୍ତକ ।

 

ପରଶୁ— (ଦଲିଲ ଛଡ଼େଇନେଇ) ମୁଁ ଜାଣେ, ଏସବୁ ଜାଲ୍ । ତୁ ବିଶ୍ୱାସରେ ବିଷ ଦେଇଚୁ ।

 

ଚଇତା— ତୋର ଆଉ ନିସ୍ତାର ନାହିଁରେ ଭାଇନା- କକେଇ ଆଗରେ ସବୁ କଥା ମାନିଯା-

 

ପରଶୁ— ନା, ସେ ଏଠି ମାନିବ ନାହିଁ । ତାକୁ ଥାନାକୁ ନେଇ ଚାଲ, ତା’ ନାଁ’ରେ ୱାରେଣ୍ଟ ବାହାରିଚି ।

 

ଅନାଦି— (ଚମକି) କକେଇ ! ତୁମ ଗୋଡ଼ତଳେ ପଡ଼ୁଚି, ମତେ ଥାନାକୁ ନିଅ ନାହିଁ । ମୁଁ ଏସବୁ କିଛି ଜାଣିନି ।

 

ପରଶୁ— କିଛି ଜାଣିନୁ ? କାନ୍ତାକୁ ମାରିବା କଥା ଜାଣିନୁ ?

 

ଅନାଦି— ମତେ ବିଶ୍ୱାସ କର କକେଇ ! ମୁଁ କାନ୍ତାକୁ ମାରିନି, କି ସେ ମରିନି ।

 

ପରଶୁ— ତେବେ ସେ ଗଲା କୁଆଡ଼େ ?

 

ଅନାଦି— ସେ ଧୀର ପାଖରେ ଅଛି । ମତେ ବିଶ୍ୱାସ କର, ମୁଁ ଏ ଚୋରି ଫୋରି କଥା କିଛି ଜାଣିନି-। ମତେ ଛାଡ଼ିଦିଅ ।

 

ଚଇତା— ତତେ ଛାଡ଼ିଦବୁ ? ତତେ ଛାଡ଼ିଦେଲେ ମାମୁଁ ଘରେ ଆଉ କତା ପିଟିବ କିଏ ? ଚାଲ୍ ଥାନାକୁ । (ଟାଣି ଟାଣି)

 

ଅନାଦି— କକେଇ ! କେକଇ ! (ଯାଉ ଯାଉ କହୁଥିଲା)

 

ପରଶୁ— ତୁ ଥାନାକୁ ଚାଲ, ସେଇଠି ସବୁ କଥା ଫଇସଲା ହବ ।

 

(ପଛେ ପଛେ ଗଲେ ଧୀରବୋଉ)

 

ଶେଷ ଦୃଶ୍ୟ

 

-ହମିଦଙ୍କ ଘର-

 

[କଥାବାର୍ତ୍ତା ହେଇ ଭିତରୁ ଆସିଲେ ରୋଜି ଓ ଧୀର]

 

ରୋଜି— ମୁଁ ବା କ’ଣ କରିପାରେ ? ଡକ୍ଟର ରାଓଙ୍କୁ ତ ଆଣି ଦେଖାଇଲି । ସେ ବି ସେହି କଥା କହିଲେ- ପିଲା ! ପିଲାଟିକି ନ ପାଇଲେ ସେ ପାଗଳ ହେଇଯିବେ; ନଚେତ୍...

 

ଧୀର— ନା-ନା, ଆପଣ ସେ କଥା କହନ୍ତୁ ନାହିଁ । ଡକ୍ଟର, ମୋର ଗୋଟିଏ ଅନୁରୋଧ ରଖିବେ-? ତାହେଲେ ଭାଉଜ ନିଶ୍ଚୟ ଭଲ ହେଇଯିବେ ।

 

ରୋଜି— କୁହନ୍ତୁ, ଯଦି ପାରେ ନିଶ୍ଚୟ ରଖିବି !

 

ଧୀର— ଗୋଟିଏ ପିଲା ଆଣିଦେଇପାରିବେ ?

 

ରୋଜି— ପିଲା !

 

ଧୀର— ହଁ, ଡକ୍ଟର ! ପିଲାଟିଏ ପାଇଲେ ଭାଉଜ ନିଶ୍ଚୟ ଭଲ ହେଇଯିବେ ।

 

ରୋଜି— କିନ୍ତୁ...ପିଲାଟିଏ ମୁଁ ପାଇବି କୋଉଠୁ ?

 

ଧୀର— ଆପଣ ମେଡ଼ିକାଲର ଲେଡ଼ି ଡକ୍ଟର । ଆପଣଙ୍କୁ ପିଲାର ଅଭାବ ରହିବ ନାହିଁ ।

 

ରୋଜି— ଆପଣ ଏସବୁ କ’ଣ କହୁଚନ୍ତି ?

 

ଧୀର— ମନା କରନ୍ତୁ ନାହିଁ ରୋଜି ଦେବୀ – ମନା କରୁନ୍ତୁ ନାହିଁ । ଯେତେ ଟଙ୍କା ଦବାକୁ ହବ, ମୁଁ ଦେବି । ମୋର ସମସ୍ତ ସମ୍ପତ୍ତି ବିନିମୟରେ ମୁଁ ଚାହେଁ ଗୋଟିଏ ଛୁଆ । ମୁଁ ଆପଣଙ୍କୁ ଅନୁରୋଧ କରୁଚି, ମତେ ହତାଶ କରନ୍ତୁ ନାହିଁ । ମୋ ଭାଉଜଙ୍କୁ ବଞ୍ଚାନ୍ତୁ ।

 

ରୋଜି— ୟା ବୋଲି ମୁଁ ପିଲା ଚୋରି କରିବି ?

 

ଧୀର— ତେବେ ଆପଣ ମତେ କଥା ଦିଅନ୍ତୁ, ମୋ ଭାଉଜ ନିଶ୍ଚୟ ବଞ୍ଚିବେ ।

 

ରୋଜି— ଆଚ୍ଛା ଲୋକ ଆପଣ ! ମୁଁ କିମିତି କଥା ଦେବି ? ଜନ୍ମ ମରଣ କ’ଣ ଆମ ହାତରେ ?

 

ଧୀର— ତେବେ ଆପଣ ଡାକ୍ତର ହୋଇଚନ୍ତି କାହିଁକି ? ଜନ୍ମ ମରଣ ଯଦି ମଣିଷ ଶକ୍ତିର ବାହାରେ, ତେବେ ମଣିଷର ଜୀବନକୁ ନେଇ ଏତେ ସବୁ ଖେଳ ଖେଳନ୍ତି କାହିଁକି ? (ଭିତରୁ ରହିମ୍ ଆସିଲେ)

 

ରହିମ— ଡକ୍ଟର, ଡକ୍ଟର ! ମା’ ମୋର ପୁଣି ବେହୋସ ହେଇଗଲା । ଆପଣ ଶୀଘ୍ର ଆସନ୍ତୁ ।

 

ରୋଜି— ଏଁ, ବେହୋସ ହେଇଗଲା ! (ଖୁବ୍ ତରତର ହେଇ ଭିତରକୁ ଗଲେ । ପଛେ ପଛେ ଧୀର ଯାଉଥିଲେ, ରହିଲେ)

ରହିମ— ଧୀର, ୟେ କ’ଣ ହେଲା ଧୀର ! ୟେ କ’ଣ ହେଲା ? ମୋରି ପାଇଁ ଆଜି ଗୋଟାଏ ପରିବାର ଧ୍ୱଂସ ହେଇଯିବ ? ୟା ମୁଁ ଦେଖିବି ?

ଧୀର— ଆପଣ ଧୈର୍ଯ୍ୟ ଧରନ୍ତୁ ଚାଚା ! ବାବୁଲା ଫେରିଆସିବ । ଭାଉଜ ନିଶ୍ଚୟ ଭଲ ହେଇଯିବେ ।

ରହିମ— ଭଲ ହେଇଯିବ ? ହାସିନା ମୋର ଭଲ ହେଇଯିବ ? ଦିନକୁଦିନ ତା’ର ଅବସ୍ଥା ଯେମିତି ଖରାପ ଆଡ଼କୁ ଯାଉଚି, ତୁମେ କହୁଚ-ସେ ଭଲ ହେଇଯିବ ?

ଧୀର— ଚାଚା, ଏତେବଡ଼ ବିପଦର ଆଶଙ୍କା କରନ୍ତୁନି ।

ରହିମ— ନା-ନା, ଆଲ୍ଲା କରନ୍ତୁ, ସେ ଦୁର୍ଯୋଗ ଯେମିତି ନ ଘଟୁ । ହେଲେ ମୁଁ ଖାଲି ଭାବୁଚି ଧୀର, ମା’ର ମମତା ପାଖରେ ବଂଶର ଇଜ୍ଜତ କିଛି ନୁହେଁ । ଆଜି ଯଦି ହାସିନାର ଭଲମନ୍ଦ କିଛି ହେଇଯାଏ, ଆଲ୍ଲାଙ୍କ ପାଖରେ ମୁଁ ୟାର କ’ଣ କୈଫିୟତ ଦେବି ?

ଧୀର— ଆପଣ କାହିଁକି ନିଜକୁ ଦୋଷୀ ବୋଲି ମନେକରୁଛନ୍ତି ? ବଂଶ ପରମ୍ପରାକୁ ବଞ୍ଚାଇବାକୁ ଯାଇ ଯାହା କରିବା କଥା କରିଛନ୍ତି ।

ରହିମ— ଏ ବଂଶ ପରମ୍ପରା, ଏ ଧର୍ମ, ଏ ସମାଜ ସବୁ ମିଛ ଧୀର, ସବୁ ମିଛ । ଦୁନିଆରେ ବଡ଼ କଥା ହଉଚି, ସ୍ନେହ, ପ୍ରେମ ମମତା । ଗୋଟାଏ ମମତା ପାଗଳୀ ମା’କୁ କ’ଣ କହି ଆଜି ସାନ୍ତ୍ୱନା ଦେବି ?

 

ଧୀର— ଆପଣ ଏମିତି ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ଚାଚା । ହମିଦ ଟିକେ ଫେରିଆସୁ...(ମୁହଁ ଫେରାଇଲା ବେଳକୁ ହମିଦ ଆସିଚନ୍ତି) ଏଇ ତ ହମିଦ ! କିଛି ଖବର ପାଇଲୁ ?

 

ହମିଦ— ନା–

 

ରହିମ— ନା ? ତାହେଲେ ହାସିନା କ’ଣ ଆଉ ବଞ୍ଚିବ ନାହିଁ, ହମିଦ । ମତେ ପାପରୁ ଉଦ୍ଧାର କର-

 

ହମିଦ— ମୁଁ ଆଉ କ’ଣ କରିବି ଚାଚା ! ମୋର ଯାହା କର୍ତ୍ତବ୍ୟ କରିଚି । ୱାରେଣ୍ଟ ଇସୁ କରିଚି, ଖବରକାଗଜରେ ବିଜ୍ଞାପନ ଦେଇଚି, ସରର ସନ୍ଧାନ ଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ଦେବି ବୋଲି ଘୋଷଣା କରିଚି । ତେଣିକି ଆଲ୍ଲାଙ୍କର ଯାହା ବରାଦ ଥିବ, ସେଇଆ ହବ ।

 

ରହିମ— ହମିଦ ! ତୁ ଏ ପୋଲିସ ପୋଷାକ ଛାଡ଼ିଦେ – ସାଧାରଣ ମଣିଷ ପରି ସରକୁ ଖୋଜିବୁଲ, ନିଶ୍ଚୟ ତା’ର ସନ୍ଧାନ ତୁ ପାଇବୁ । ମୋ ମନ କହୁଚି–ସେ ଆଉ କୁଆଡ଼େ ଯାଇନି, ଏଇ ସହରରେ ଅଛି ।

 

ହମିଦ— ନାହିଁ ଚାଚା, ସେ ଏ ସହରରେ ନାହିଁ । ଷ୍ଟେସନ, ଅନାଥାଶ୍ରମ, ଧର୍ମଶାଳା, ଏମିତିକି ଭିକାରିମାନଙ୍କ ମେଳରେ ବି ପୋଲିସ ତା’ର ସନ୍ଧାନ ନେଇଚି । କିନ୍ତୁ କାହିଁ ? ସେ ଏ ସହରରେ ନାହିଁ । ଆଉ କୁଆଡ଼େ ଚାଲିଯାଇଚି ।

 

ରୋଜି— (ଭିତରୁ) ଧୀରବାବୁ ! ଧୀରବାବୁ ! ଶୀଘ୍ର ଆସନ୍ତୁ-ଶୀଘ୍ର ଆସନ୍ତୁ । (ଧୀର ଖୁବ୍ ତରତର ହେଇ ଗଲେ । ପଛେ ପଛେ ରହିମ, ହମିଦ ମଧ୍ୟ ଚାଲିଗଲେ । ଟିକିଏ ପରେ ଆସିଚି କାନ୍ତା-ପିଲାଟିକୁ ନେଇ । ଚାରିଆଡ଼କୁ ଲକ୍ଷ୍ୟ କରି ପିଲାଟିକୁ ତଳେ ରଖିଦେଇ ଫେରିଯାଉଥିଲା । ଏତିକିବେଳେ ହମିଦ ଆସିଛନ୍ତି)

 

ହମିଦ— କିଏ, ସର ! (ପିଲାକୁ ଦେଖି) ବାବୁଲା ! ଚାଚା, ଚାଚା ! ବାବୁଲା । (ରହିମ ଆସିଚନ୍ତି)

 

ରହିମ— ଦେ, ମୋ କୋଳକୁ ଦେ ହମିଦ ! ଆଉ ଭୟ ନାହିଁ । ମା’ ହାସିନା, ନେ, ନେ- ତୋ ପୁଅକୁ ନେ (କହି ଭିତରକୁ ଚାଲିଗଲେ । କାନ୍ତା ମଧ୍ୟ ଯିବାକୁ ଉଦ୍ୟତ ହେଲା)

 

ହମିଦ— ତୁ କୁଆଡ଼େ ଚାଲିଯାଉଚୁ ?

 

କାନ୍ତା— ବାବୁ ! ଭାବିଥିଲି ବାବୁଲାକୁ ଚୋରେଇ ନେଇ ପୁଅ କରି ପାଳିବି । ତାକୁ ମୁଁ ମୁସଲମାନ ହବାକୁ ଦେବିନି । ହେଲେ ପାରିଲିନି ବାବୁ ! ପୁଅ ତା’ ମା’କୁ ସବୁବେଳେ ଝୁରିହେଲା । ମୋ ନିଦ ଭାଙ୍ଗିଗଲା ବାବୁ ! ଦେଖିଲି...ଦୁନିଆଁରେ ମା’ର ସ୍ନେହ ଆଗରେ ଧର୍ମଟା ବଡ଼ ନୁହେଁ । ସେଇଥିପାଇଁ ବାବୁଲାକୁ ଛାଡ଼ିଦେଇ ଚାଲିଯାଉଥିଲି । ହେଲେ...

 

ହମିଦ— ହେଲେ, ଧରା ପଡ଼ିଗଲୁ ।

 

କାନ୍ତା— ହଁ ବାବୁ ! ଏ ମୁହଁ ଆଉ ଆପଣମାନଙ୍କୁ ଦେଖାନ୍ତି କିମିତି ?

 

ହମିଦ— ମୁଁ ସବୁ ବୁଝିଚି ସର ! ତୁ ନିର୍ଦ୍ଦୋଷ; କିନ୍ତୁ...

 

ଧୀର— (ପ୍ରବେଶ କରି) କିନ୍ତୁ କ’ଣ ହମିଦ ! ତୁ ତାକୁ ଆରେଷ୍ଟ କର । ତା’ ନାଁ’ରେ ୱାରେଣ୍ଟ ଅଛି-। ସେ ପିଲା ଚୋର ।

 

କାନ୍ତା— ହଁ ବାବୁ, ଜୀବନରେ ସେଇ ଟିକକ ବାକି ଥିଲା । ଆପଣମାନଙ୍କ ଦୟାରୁ ଆଜି ସେତକ ବି ପୂରଣ ହେଇଯିବ । ଚାଲନ୍ତୁ, ମତେ ଥାନାକୁ ନେଇଚାଲନ୍ତୁ । (ରହିମ ଆସିଚନ୍ତି କହି କହି)

 

ରହିମ— ସେ କୁଆଡ଼େ ଯିବ, ହମିଦ ?

 

ହମିଦ— ପିଲାଚୋରି ଅଭିଯୋଗରେ ମୁଁ ତାକୁ ଆରେଷ୍ଟ କରୁଚି ।

 

ରହିମ— ପିଲାଚୋରି ! କିଏ ପିଲାଚୋର ? ସର ନା ଏଇ ଚାଚା ? ଚାଚା ତୋର ପିଲାଚୋର । ଏଇ ଚାଚା ପାଇଁ ହାସିନାର ଏ ଅବସ୍ଥା । ଏଇ ଚାଚା ପାଇଁ ଆଜି ଏ ସୁଖୀ ପରିବାର ଭିତରେ ଯେତେସବୁ ବିଭ୍ରାଟ । ତୁ ମତେ ଆରେଷ୍ଟ କର ହମିଦ !

 

ହମିଦ— ଚାଚା !

 

ରହିମ— ହଁ, ମୁଁ ନିଜେ କୋର୍ଟରେ ଠିଆହେଇ କହିବି–ଦୋଷୀ ମୁଁ, ଦୋଷୀ ଆମର ସମାଜ । ତୁ ଭିତରକୁ ଆ-(ନେଇଯାଉଥିଲେ, ଏତିକିବେଳେ ରାମ ସିଂର ପାଟି ଶୁଭିଲା)

 

ରାମ ସିଂ— ଆସନ୍ତୁ ବାବୁ, ଏଇ ଘରକୁ ଆସନ୍ତୁ । (ପଶି ଆସିଲେ ପରଶୁ ଓ ଧୀରବୋଉ)

 

ଧୀରବୋଉ— (କହି କହି ଆସିଲେ) କାହିଁ, ମୋ ପୁଅ କାହିଁ ? ଧୀର କାହିଁ ? ଧୀର- (ପାଖକୁ ଯାଉଥିଲେ)

 

ଧୀର— ହାଁ-ହାଁ, ବୋଉ ମତେ ଛୁଇଁବୁ ।

 

ଧୀରବୋଉ— ସେ କଥା ଆଉ କହନାରେ ଧୀର ! ସବୁ ଭୁଲ ମୋର । ଅନାଦି କଥାରେ ପଡ଼ି ଲକ୍ଷ୍ମୀ ପରି ବୋହୂ ନାଁ’ରେ ଅପବାଦ ଦେଇ ତାକୁ ମୁଁ ଘରୁ ତଡ଼ିଦେଲି ।

 

ଧୀର— କାନ୍ତା ତାହେଲେ ନିର୍ଦ୍ଦୋଷ ?

 

ପରଶୁ— ହଁ ଧୀର, କାନ୍ତା ନିର୍ଦ୍ଦୋଷ । ହମିଦବାବୁଙ୍କର ଏଇ ତାର ପାଇ ଅନାଦି ସାଙ୍ଗରେ କାନ୍ତା ଏଠିକି ଆସିଲା । ବାଟରେ ଅନାଦି...

 

ହମିଦ— ଓଃ, ତାହେଲେ ଅନାଦି ଏସବୁ କରିଚି ? କାହିଁ ସେ ଅନାଦି ? ମୁଁ ତାକୁ ଆରେଷ୍ଟ କରିବି-

 

ପରଶୁ— ତା’ ଫଳ ସେ ପାଇଚି ବାବୁ ! ସେ ଆମ ଗାଁ ଥାନାରେ ହେଲେ ବାବୁ, ମୋ ଝିଅ କାହିଁ ? ଅନାଦି କହିଲା–ସେ ଏଇଠି ଅଛି ବୋଲି । କାହିଁ ସେ ?

 

ହମିଦ— କାନ୍ତା କାହିଁ ? ଆମ ଘରେ କାନ୍ତା ବୋଲି ତ କେହି ନାହିଁ, ଯିଏ ଅଛି ସିଏ ସର । ଏଇତ ସେ ଠିଆ ହେଇଚି । (ଦେଖାଇଦେଲେ)

 

ପରଶୁ— ସର ! (ଦେଖି ଚିହ୍ନିପାରି) ସର କିଏ ବାବୁ, ଏଇ ତ ମୋ ଝିଅ କାନ୍ତା !

 

କାନ୍ତା— ନା-ନା, ମୁଁ କାନ୍ତା ନୁହେଁ, ସର । ମୁଁ ପିଲା ଚୋରଣୀ ।

 

ପରଶୁ— କାନ୍ତା ! ତୁ ତୋ ବାପ ଆଖିକୁ ଫାଙ୍କି ଦଉଚୁ !

 

କାନ୍ତା— ନନା ! (ପରଶୁଙ୍କ କୋଳରେ ପଡ଼ିଗଲା)

 

ଧୀରବୋଉ— ବୋହୂ !

 

କାନ୍ତା— ବୋଉ ! (ଶାଶୁଙ୍କ କୋଳରେ ପଡ଼ି)

 

ହମିଦ— କାନ୍ତା ! ତୁମେ ଆଜିଯାଏ ଏସବୁ ଗୋପନ ରଖିଥିଲ କାହିଁକି ?

 

କାନ୍ତା— କୋଉ ଭରସାରେ ମୁଁ ମୋ ପରିଚୟ ଦେଇଥାନ୍ତି ବାବୁ ! ସ୍ୱାମୀ ଯେତେବେଳେ ବ୍ୟଭିଚାରିଣୀ ବୋଲି ବିଶ୍ୱାସ କରିପାରିଲେ, ମୁଁ ମୋର ପରିଚୟ ଗୋପନ ରଖିବାକୁ ବାଧ୍ୟହେଲି ।

 

ରହିମ— (ହସି) ତୁ ଠିକ୍ କରିଚୁ । ସବୁ ଆଲ୍ଲାଙ୍କର ବରାଦ, ମା’ ! ଆସ ସମୁଦି । (ପରଶୁଙ୍କ ପ୍ରତି)

 

ପରଶୁ— ସମୁଦି !

 

ରହିମ— ହଁ, ହମିଦ କ’ଣ ତୁମ ପୁଅ ନୁହେଁ ? ସମୁଦୁଣୀ ! ଧୀର କ’ଣ ମୋ ପୁଅ ନୁହେଁ ? ଆସ, ଭିତରକୁ ଆସ, ନାତିକି ଦେଖିବ । ବୁଝିଲ ସମୁଦୁଣୀ, ଆଜି ଆମେ ସମସ୍ତେ ପତର ପକେଇ ବସିବୁ, ତୁମେ ପରଶିବ । (ପରଶୁ ଓ ଧୀରବୋଉ ଟିକିଏ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ) ଜାତି କଥା ଭାବୁଚ ସମୁଦୁଣୀ ! ଦେଖ (ଫଟୋ ସବୁକୁ ଦେଖାଇଦେଲେ) ଏ ମହାପୁରୁଷମାନେ କ’ଣ କହିଯାଇଚନ୍ତି ? ସମୁଦି, ସମୁଦୁଣୀଙ୍କୁ ଟିକେ ବୁଝେଇଦିଅ । ଆମେ ସମସ୍ତେ ଏକ । ଦୁନିଆରେ ଆମର ପରିଚୟ ଆମେ “ମଣିଷ” । ଆସ, ଭିତରକୁ ଆସ । (ସମସ୍ତେ ଚାଲିଗଲେ, କେବଳ କାନ୍ତା ଓ ଧୀର ରହିଗଲେ । କାନ୍ତା ଯିବାକୁ ଉଦ୍ୟତ ହେଲାବେଳେ ଧୀର ଡାକିଲେ)

 

ଧୀର— କାନ୍ତା !

 

କାନ୍ତା— (ଅଟକିଯାଇ ନିରୁତ୍ତର ରହିଲା)

 

ଧୀର— ମୋ ଅପରାଧର କ’ଣ କ୍ଷମା ନାହିଁ ?

 

କାନ୍ତା— ନା-ନା, ତୁମେ ସେମିତି କୁହ ନାଇଁ (ଗୋଡ଼ତଳେ ପଡ଼ି)

 

ଧୀର— ଆରେ, ୟେ କ’ଣ କରୁଚ ? (ତଳୁ ଉଠାଇ) ଉଠ । କାନ୍ତା ! ଦିନେ ଶଙ୍ଖମହୁରି ବଜାଇ ମୁଁ ତୁମକୁ ବିବାହ କରିଥିଲି । ହେଲେ, ସେଦିନର ସେ ପ୍ରତିଜ୍ଞା ଶଙ୍ଖ-ମହୁରି ଆବାଜ ପରି ଶୂନ୍ୟରେ ମିଳେଇ ଯାଇଥିଲା । କିନ୍ତୁ ଆଜି ମୋ ହୃଦୟର ସମ୍ମତିକୁ ମୁଁ ଫାଙ୍କିଦେଇ ପାରୁନାହିଁ କାନ୍ତା ! ମତେ ବିଶ୍ୱାସ କର ।

 

କାନ୍ତା— (ମୁହଁରେ କେବଳ ତୃପ୍ତିର ହସଟିଏ ଖେଳିଗଲା । ସ୍ୱାମୀର କୋଳକୁ ଆଉଜିପଡ଼ିଲା ।)

 

ଯ ବ ନି କା

Image